ନୂଆଦିଲ୍ଲୀ: ଆଣ୍ଟିଲିଆ ବୋମା ଆତଙ୍କ ମାମଲାରେ ଗିରଫ ହୋଇଥିବା‌ ସଚିନ ଭାଜେଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ଆଜି ୟୁଏଏପିଏ (ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ)ଲାଗୁ କରିଛି। ଭା‌‌ଜେ ଏବେ ଏନ୍‌ଆଇଏ ହାଜତରେ ଅଛନ୍ତି। ମନସୁଖ୍‌ ହିରେନ୍‌ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାଜେଙ୍କ ବିରୋଧରେ ମହାରାଷ୍ଟ୍ର ଏଟିଏସ୍‌ ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ମନସୁଖ୍‌ ହିରେନ୍‌ଙ୍କ ସ୍କର୍ପିଓ ନିଖୋଜ ହେବାର ଦିନକ ପୂର୍ବରୁ ଭାଜେ ମୁମ୍ବାଇର ଏକ ହୋଟେଲ୍‌ରେ ଥିଲେ। ହୋଟେଲ୍‌ରେ ରହିବାପାଇଁ ସେ ଏକ ନକଲି ଆଧାର କାର୍ଡ ବ୍ୟବହାର କରିଥିଲେ। ଏନ୍‌ଆଇଏ ତଦନ୍ତରୁ ଜଣାପଡ଼ିଛି ଯେ, ଭାଜେଙ୍କ ସହ ହୋଟେଲ୍‌ରେ ଜଣେ ମହିଳା ଥିଲେ। ଭାଜେ ହୋଟେଲ୍‌ରେ ୫ ଦିନ ରହିଥିଲେ। ତେବେ ସେ ମହିଳା ଜଣଙ୍କ କିଏ ତାହା ଜଣାପଡ଼ିନି।

Advertisment

ଏନ୍‌ଆଇଏ ପକ୍ଷରୁ ଉକ୍ତ ମହିଳାଙ୍କୁ ସମନ୍‌ କରାଯାଇପାରେ। ଇତି ମଧ୍ୟରେ ହୋଟେଲ୍‌ କର୍ମଚାରୀମାନଙ୍କୁ ଏନ୍‌ଆଇଏ ପକ୍ଷରୁ ପଚରାଉଚୁରା‌ ଜାରି ରହିଛି। ଭାଜେଙ୍କ ୫ ଦିନର ରହଣି ମଧ୍ୟରେ ତାଙ୍କୁ କେଉଁମାନେ ସାକ୍ଷାତ କରିଛନ୍ତି ତାହା ଏନ୍‌ଆଇଏ ଜାଣିବାକୁ ଚାହିଛି। ତେବେ ହୋଟେଲ୍‌ର ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ଯେ, ଭାଜେ ତାଙ୍କ ସାଙ୍ଗରେ ୫ଟି ବ୍ୟାଗ୍‌ ନେଇଥିଲେ ଏବଂ ନକଲି ପରିଚୟପତ୍ର ବ୍ୟବହାର କରିଥିଲେ।

ମୁମ୍ବାଇ : ମୁମ୍ବାଇ ପୁଲିସରେ ୮୬ ଜଣଙ୍କର ବଦଳି ହୋଇଛି। ସେମାନଙ୍କ ମଧ୍ୟରୁ ୬୫ ଜଣ କେବଳ କ୍ରାଇମ୍‌ ବ୍ରାଞ୍ଚ୍‌ର। ହେମନ୍ତ ନାଗ‌ରଲେ ନିକଟରେ ମୁମ୍ବାଇ ପୁଲିସ କମିସନର ଭାବେ ଦାୟିତ୍ବ ଗ୍ରହଣ କରିବାପରେ ଏକାବେଳେ ୮୬ ଜଣଙ୍କର ବଦଳି ହୋଇଛି। ତେବେ ରାଜ୍ୟ ଗୁଇନ୍ଦାର ପୂର୍ବତନ କମିସନର ରଶ୍ମି ଶୁକ୍ଳାଙ୍କ ଦ୍ବାରା ପୁଲିସ ବିଭାଗରେ ବଦଳିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ରିପୋର୍ଟକୁ ଆଧାର କରି ବିରୋଧୀ ଦଳ ନେତାମାନେ ସରକାରଙ୍କୁ ଘେରିଛନ୍ତି।

ରିପୋର୍ଟରେ ଅନେକ ବରିଷ୍ଠ ରାଜନେତା ଏବଂ ପୁଲିସ ଅଫିସର୍‌ଙ୍କ ନାମ ରହିଛି। ରାଜ୍ୟ ସରକାର ଉକ୍ତ ପ୍ରସଙ୍ଗରେ କୌଣସି ବୟାନ ରଖିନଥିବାବେଳେ ବିଜେପି ନେତା ଦେବେନ୍ଦ୍ର ଫଡ଼ନାବିସ ଉକ୍ତ ଘଟଣାରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଇତି ମଧ୍ୟରେ କ୍ରାଇମ୍‌ ବ୍ରାଞ୍ଚ୍‌ର ଦୁଇ ଜଣ ଅଧିକାରୀ ରିୟାଜୁଦ୍ଦିନ୍‌ କାଜି ଏବଂ ପ୍ରକାଶ ହାୱାଲ୍‌ଙ୍କର ମଧ୍ୟ ବଦଳି ହୋଇଛି। ନିଲମ୍ବିତ ଅଫିସର୍‌ ସଚିନ ଭାଜେଙ୍କ ସହ ସମ୍ପୃକ୍ତି ଥିବା ମାମଲାରେ ଏନ୍‌ଆଇ ଦ୍ବାରା ସେମାନଙ୍କୁ ଜେରା କରାଯାଇଥିଲା। କ୍ରାଇମ୍‌ ବ୍ରାଞ୍ଚ୍‌ରୁ ବଦଳି ହୋଇଥିବା ୬୫ ଜଣଙ୍କ ମଧ୍ୟରୁ ୨୮ ଜଣ ପୁଲିସ ଇନ୍ସ‌ପେକ୍ଟର ଅଛନ୍ତି।