ନୂଆଦିଲ୍ଲୀ: ଭାରତ-ଆମେରିକା ଲଗାତାର ସୁରକ୍ଷା ପ୍ରସଙ୍ଗରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରୁଥିବା ବେଳେ ଆମେରିକା ନିକଟରେ ଅପରାଧୀ ଓ ଆତଙ୍କବାଦୀଙ୍କ ସଂପର୍କରେ ଅତି ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ତଥ୍ୟ ପ୍ରଦାନ କରିଛି। ଆତଙ୍କବାଦୀ ସଂଗଠନଗୁଡ଼ିକର ଭାରତ ବିରୋଧୀ ଗତିବିଧି ନେଇ କେତେକ ତଥ୍ୟ ହାସଲ ହୋଇଥିବାରୁ ଏହାର ମୁକାବିଲା ପାଇଁ ଭାରତ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଆଜି କହିଛନ୍ତି ଯେ ଆମେରିକା ସରକାର ଉଠାଇଥିବା ସୁରକ୍ଷା ପ୍ରଶ୍ନର ଅନୁଧ୍ୟାନ କରି କମିଟି ବିସ୍ତୃତ ରିପୋର୍ଟ ପ୍ରଦାନ କରିବ। ନିକଟରେ ଆମେରିକା ଭାରତ ସହ ସୁରକ୍ଷା ପ୍ରଶ୍ନକୁ ନେଇ ଚିନ୍ତା ପ୍ରକଟ କରିବା ସହ ସଂଗଠିତ ଅପରାଧୀ, ବନ୍ଧୁକ ଚୋରା ଚାଲାଣକାରୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଥିବା ସମ୍ପର୍କରେ ସୂଚନା ଦେଇଛି।

Advertisment

ଆମେରିକା ମାଟିରେ ଶିଖ୍ ବିଚ୍ଛିନ୍ନତାବାଦୀ ଗୁରପତୱନ୍ତ ସିଂହ ପନ୍ନୁକୁ ହତ୍ୟା କରିବାର ଷଡ଼ଯନ୍ତ୍ରକୁ ଆମେରିକୀୟ କର୍ତ୍ତୃପକ୍ଷ ବିଫଳ କରିଛନ୍ତି ବୋଲି ଏକ ଖବର ପ୍ରକାଶ ପାଇବା ପରେ ଆମେରିକା ସରକାର ଏହି ଦାବି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏ ନେଇ କହିଛନ୍ତି, ଭାରତ-ଆମେରିକା ସୁରକ୍ଷା ସହଯୋଗ ଉପରେ ନିକଟରେ ହୋଇଥିବା ଆଲୋଚନା ସମୟରେ ଆମେରିକା ପକ୍ଷରୁ ସଂଗଠିତ ଅପରାଧୀ ଓ ଆତଙ୍କବାଦୀଙ୍କ ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଇଥିଲା। ଏହା ଉଭୟ ଦେଶ ପାଇଁ ଚିନ୍ତାର କାରଣ ଏବଂ ସେମାନେ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି।

କାନାଡା ମାଟିରେ ଶିଖ୍‌ ଆତଙ୍କବାଦୀ ହରଦୀପ ସିଂହ ନିଜାରକୁ ହତ୍ୟା କରିବାରେ ଭାରତୀୟ ଏଜେଣ୍ଟଙ୍କ ଭୂମିକା ରହିଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସାର୍ବଜନୀନ ଅଭିଯୋଗ କରିବା ପରେ ଭାରତ-କାନାଡା କୂଟନୈତିକ ବିବାଦ ଚାଲିଥିବା ବେଳେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଛି। ଭାରତ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ କାନାଡା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ସୁରକ୍ଷିତ ଆଶ୍ରୟ ଦେଉଥିବା ଅଭିଯୋଗ କରିଛି। ଏହି ପରିପ୍ରେକ୍ଷୀରେ ୨୦୨୩ ନଭେମ୍ବର ୧୮ ତାରିଖରେ ଭାରତ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରି ଘଟଣାର ସମସ୍ତ ପ୍ରାସଙ୍ଗିକ ଦିଗକୁ ଅନୁଧ୍ୟାନ କରିଥିଲେ। ଭାରତ ସରକାର ତଦନ୍ତ କମିଟିର ଅନୁସନ୍ଧାନ ଆଧାରରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।