ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୩ ପ୍ରସଙ୍ଗ: ବିଜେପିର ଗଣିତ ବିଗାଡ଼ିପାରେ

ପଶ୍ଚିମାଞ୍ଚଳରୁ ଲଢ଼େଇ ଆରମ୍ଭ ହେବ

ନୂଆଦିଲ୍ଲୀ : ନିର୍ବାଚନ କମିସନ୍‌ ଗତ ଶନିବାର ଦିନ ଉତ୍ତରପ୍ରଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ।ଉତ୍ତରପ୍ରଦେଶରେ ଫେବ୍ରୁଆରି ୧୦ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମାର୍ଚ୍ଚ ୭ରେ ଉତ୍ତରପ୍ରଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅଛି। ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଆସିବ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ପଶ୍ଚିମାଞ୍ଚଳରୁ ଲଢ଼େଇ ଆରମ୍ଭ ହେବ। ଉକ୍ତ ଅଞ୍ଚଳ ରାଜନୈତିକ ଦୃଷ୍ଟିକୋଣରୁ ସବୁଠୁ ସମ୍ବେଦନଶୀଳ। ଏହା ସର୍ବାଧିକ ଧ୍ରୁବୀକରଣ ଅଞ୍ଚଳ। ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଏଠାରେ ଭୋଟ୍‌ ଗ୍ରହଣ ହେବ। ୨୦୧୭ ବିଧାନସଭା ନିର୍ବାଚନରେ ମଧ୍ୟ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରଥମେ ନିର୍ବାଚନୀ ଯୁଦ୍ଧ ଆରମ୍ଭ ହୋଇଥିଲା। ୨୦୧୭ରେ ଏହି ଅଞ୍ଚଳରେ ବିଜେପିକୁ ନିର୍ଣ୍ଣାୟକ ଜନାଦେଶ ମିଳିଥିଲା। ଏହାପରେ ରାଜ୍ୟର ଅନ୍ୟ ଅଂଶରେ ବିଜେପିର ବିଜୟ ଫର୍ଦ୍ଦ ଯୋଡ଼ି ହୋଇଥିଲା। କିନ୍ତୁ ୫ ବର୍ଷ ପରେ ପଶ୍ଚିମ ଉତ୍ତରପ୍ରଦେଶରେ ଲଢ଼େଇ ବିଜେପି ପାଇଁ ଏତେ ସହଜ ହେବାଭଳି ଲାଗୁନାହିଁ। ସମସ୍ତ ପ୍ରତିଦ୍ବନ୍ଦ୍ବୀ ଭଲଭାବେ ଅବଗତ ଅଛନ୍ତି ଯେ ‘ ଜାଟ୍‌ ଭୂମି’ରେ ଏକ ଭଲ ଆରମ୍ଭ ସେମାନଙ୍କୁ ଉତ୍ତରପ୍ରଦେଶ ବିଧାନସଭାର ମ୍ୟାଜିକ୍‌ ସଂଖ୍ୟା ୨୦୨ରେ ପହଞ୍ଚାଇବାରେ ସହଯୋଗ କରିବ। ତେଣୁ ଚଳିତ ଲଢ଼େଇ ଅଧିକ ଜଟିଳ ହେବ। ବିଜେପିର ସହଜ ବିଜୟ ଜଟିଳ ହୋଇଯିବ।

୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମ ଉତ୍ତରରପ୍ରଦେଶ ଅଞ୍ଚଳର ୭୬ ଆସନରେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲା। ବିଜେପି ୬୬ ଆସନରେ ଜିତିଥିବା ବେଳେ ସମାଜବାଦୀ ପାର୍ଟି ୪, ବିଏସ୍‌ପି ୩, କଂଗ୍ରେସ ୨ ଏବଂ ଆର୍‌ଏଲ୍‌ଡି ( ରାଷ୍ଟ୍ରୀୟ ଲୋକ ଦଳ) ଗୋଟିଏ ଆସନରେ ଜିତିଥିଲା। ଗତ ନିର୍ବାଚନରେ ସପା ଓ କଂଗ୍ରେସ ମେଣ୍ଟ କରିଥିଲେ। କିନ୍ତୁ ନିର୍ବାଚନରେ ଆଶାନୁରୂପ ଫଳ ମିଳିନଥିଲା। ସମ୍ପୃକ୍ତ ଅଞ୍ଚଳରେ ବିଏସ୍‌ପିର ଦଖଲ ଥିଲେ ମଧ୍ୟ ମାୟାବତୀ ପଛେଇ ଯାଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ରାଜନୈତିକ ମେଣ୍ଟ ବଦଳି ଯାଇଛି। ଏଥିସହ ପ୍ରସଙ୍ଗ ବି ବଦଳିଛି। ଚଳିତ ନିର୍ବାଚନରେ ବିଜେପି ଏବଂ ସପା ମଧ୍ୟରେ ଜୋରଦାର ଲଢ଼େଇ ହେବ। ସପା ସୁପ୍ରିମୋ ଅଖିଳେଶ ଯାଦବ ଆଞ୍ଚଳିକ ଦଳ ମାନଙ୍କ ସହ ମେଣ୍ଟ କରୁଛନ୍ତି।

ତେବେ ପଶ୍ଚିମ ଉତ୍ତରପ୍ରଦେଶରେ କିଛି ପ୍ରସଙ୍ଗ ବିଜେପିର ଭୋଟ୍‌ ଗଣିତ ବିଗାଡ଼ି ପାରେ। ପ୍ରଥମ ପ୍ରସଙ୍ଗ ହେଉଛି ଚାଷୀ ପ୍ରସଙ୍ଗ। କୃଷି ଆଇନ ଉଚ୍ଛେଦ ହୋଇଥିଲେ ସୁଦ୍ଧା ପଶ୍ଚିମ ଉତ୍ତରପ୍ରଦେଶର କୃଷକମାନଙ୍କ ପାଇଁ ୩ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି। ପ୍ରଥମଟି ହେଉଛି ଆଖୁର ମୂଲ୍ୟ। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ସରକାର ଆଖୁର ମୂଲ୍ୟ ବୃଦ୍ଧି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିନାହାନ୍ତି। ଦ୍ବିତୀୟଟି ହେଉଛି ବୁଲା ଗାଈ। ଯେଉଁମାନେ କି ଶସ୍ୟ ନଷ୍ଟ କରିବା ସହ ଗରିବ ଚାଷୀଙ୍କ ଜନଜୀବନକୁ ଜଟିଳ କରିଦେଉଛନ୍ତି। ତୃତୀୟଟି ହେଉଛି ଉତ୍ତରପ୍ରଦେଶରେ ଚାଷୀଙ୍କ ପାଇଁ ବିଦ୍ୟୁତ ଦର। ହରିୟାଣା ଏବଂ ପଂଜାବ ତୁଳନାରେ ଉତ୍ତରପ୍ରଦେଶରେ ବିଦ୍ୟୁତ ଦର ଯଥେଷ୍ଟ ଅଧିକ ରହିଛି। ଉକ୍ତ ୩ଟି ପ୍ରସଙ୍ଗକୁ ନେଇ ପଶ୍ଚିମ ଉତ୍ତରପ୍ରଦେଶରେ ଚାଷୀମାନେ ଅସନ୍ତୁଷ୍ଟ ଅଛନ୍ତି। ଏହା ବିଜେପିର ଭୋଟ୍‌ ଗଣିତ ଉପରେ ପ୍ରଭାବ ପକାଇପାରେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ରୢାଲିରେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିରେ ହୋଇଥିବା ଉନ୍ନତି ସଂକ୍ରାନ୍ତରେ ଦାବି କରୁଛନ୍ତି। କିନ୍ତୁ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ନେଇ ବିଜେପି ସରକାରକୁ ଟାର୍ଗେଟ୍‌ କରିଛନ୍ତି। ଅନ୍ୟପକ୍ଷେ ବିଜେପି ହିନ୍ଦୁ ସମର୍ଥନ ପାଇବାପାଇଁ ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗକୁ ବ୍ୟବହାର କରୁଛି। ଏଥିସହ ବିଜେପି କାଶୀ ଏବଂ ମଥୁରା ପରି ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛି। ଗତ ନିର୍ବାଚନରେ ମଧ୍ୟ ବି‌ଜେପି ୨୦୧୩ ମୁଜାଫରନଗର ଦଙ୍ଗାକୁ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ କରିଥିଲା। ଏହା ଦଳ ପାଇଁ ଉପକାରୀ ହୋଇଥିଲା। ଜାଟ୍‌ମାନେ ବିପୁଳ ସଂଖ୍ୟାରେ ବିଜେପିକୁ ଭୋଟ୍‌ ଦେଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିରୋଧୀମାନେ ଜାଟ-ମୁସଲିମ ପ୍ରସଙ୍ଗକୁ ନେଇ ଜିତିବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର