ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଏକ ସୁଡ଼ଙ୍ଗ ଭିତରେ ଗତ ତିନି ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ଉଦ୍ଧାର କାର୍ଯ୍ୟରେ ଦେଖାଦେଇଥିବା ଜଟିଳତା ସଙ୍କଟ ବଢ଼ାଉଥିବାରୁ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଆଜି ରାଜ୍ୟ ସରକାର ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି। ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଦେଇଥିବାରୁ ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି। ତେବେ ଉଦ୍ଧାର ଅପରେସନକୁ ସଫଳ ଓ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ଥାଇଲାଣ୍ଡ୍‌ ଓ ନରୱେର ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ିଛନ୍ତି। ୨୦୧୮ରେ ଥାଇଲାଣ୍ଡ୍‌ର ଏକ ଗୁମ୍ଫାରେ ବନ୍ୟାଜଳ ପଶିଯିବାରୁ ସେଠାରେ ଫସି ରହିଥିବା ପିଲାମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ଏହି ଅଭିଯାନରେ ଯେଉଁ ବିଶେଷଜ୍ଞମାନେ ନିୟୋଜିତ ଥିଲେ, ଏବେ ସେମାନଙ୍କର ସହାୟତା ନିଆଯିବ।। ସୂଚନାଯୋଗ୍ୟ ଯେ ଥାଇଲାଣ୍ଡର ଥାମ ଲୁଆଙ୍ଗ ଗୁମ୍ଫା କମ୍ପ୍ଲେକ୍ସରେ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଫସି ରହିଥିବା ଏକ ଫୁଟ୍‌ବଲ ଟିମ୍‌କୁ ଏକ ବିଶାଳ ଉଦ୍ଧାର ଅଭିଯାନ ମାଧ୍ୟମରେ ସୁରକ୍ଷିତ ବାହାର କରାଯାଇଥିଲା।

Advertisment

ଏହାସହିତ ନରୱେ ଜିଓଟେକ୍ନିକାଲ୍ ଇନଷ୍ଟିଚ୍ୟୁଟର ସହାୟତା ମଧ୍ୟ ଉତ୍ତରାଖଣ୍ଡ ସରକାର ମାଗିଛନ୍ତି। ଖଣି ଓ ସୁଡ଼ଙ୍ଗ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବା ବିଶେଷଜ୍ଞଙ୍କଠାରୁ କେତେକ ଜରୁରୀ ପରାମର୍ଶ ଲୋଡ଼ାଯାଇଛି। ଆଜି ଉଦ୍ଧାର କାର୍ଯ୍ୟ ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ ଡ୍ରିଲିଂ ମେସିନ୍ ଓ ଏହାର ପ୍ଲାଟଫର୍ମ ଭାଙ୍ଗି ଯାଇଛି। ଉଦ୍ଧାରକାରୀ ଅଧିକାରୀମାନେ ଭଗ୍ନାବଶେଷ ଭିତରେ ଷ୍ଟିଲ ପାଇପ୍ ପକାଇବା ପାଇଁ ଅଗର ଡ୍ରିଲିଂ ମେସିନ୍ ଲାଗି ଏକ ପ୍ଲାଟଫର୍ମ ପ୍ରସ୍ତୁତ କରିବାରେ ଘଣ୍ଟା ଘଣ୍ଟା ବିତାଇଥିଲେ, କିନ୍ତୁ ମଙ୍ଗଳବାର ରାତିରେ ପୁଣି ଥରେ ଭୂସ୍ଖଳନ ଯୋଗୁଁ ପ୍ଲାଟଫର୍ମ ଭାଙ୍ଗିଯିବାରୁ ପୁଣି ଥରେ କାମ ଆରମ୍ଭ କରିବାକୁ ସେମାନେ ବାଧ୍ୟ ହୋଇଥିଲେ।

ଅତଡ଼ା ଖସିବାରୁ ଦୁଇ ଜଣ ଉଦ୍ଧାରକାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଘଟଣାସ୍ଥଳରେ ସ୍ଥାପିତ ଅସ୍ଥାୟୀ ଡାକ୍ତରଖାନାକୁ ପଠାଯାଇଥିଲା। ଉତ୍ତରକାଶୀର ବରିଷ୍ଠ ପୁଲିସ ଅଧିକାରୀ ଅର୍ପଣ ଯଦୁବଂଶୀ ଗଣମାଧ୍ୟମକୁ କହିଛନ୍ତି, ୬୦ ମିଟର ଧୂଳିମାଟି ଭିତରୁ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରାଯାଇପାରିଛି। ଯଦି ସବୁକିଛି ଯୋଜନା ଅନୁଯାୟୀ ଚାଲେ, ତେବେ ଗୁରୁବାର ସୁଦ୍ଧା ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ। ନୂଆ ଡ୍ରିଲିଂ ମେସିନ୍ ଲଗାଇବା ପାଇଁ ପ୍ଲାଟଫର୍ମ ଲେଭେଲିଂ କାମ ଚାଲିଛି। ପାଇପକୁ ଆବର୍ଜନା ଭିତରକୁ ଠେଲି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି। ୯୦୦ ମିଲିମିଟର ପାଇପ୍ ଶ୍ରମିକମାନଙ୍କ ପାଇଁ ଯଥେଷ୍ଟ ପ୍ରଶସ୍ତ ହେବ। ପ୍ଲାଟଫର୍ମକୁ ସୁଦୃଢ଼ କରିବା ପାଇଁ କଂକ୍ରିଟ କାମ ମଧ୍ୟ ଚାଲିଛି। ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଏବଂ ଔଷଧ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି। ସେମାନେ ଏବେ ସୁରକ୍ଷିତ ଅଛନ୍ତି।