ନୂଆଦିଲ୍ଲୀ: ଦେଶରେ ଟିକାକରଣ ୭୦ କୋଟି ଟପିଯାଇଛି। ସୋମବାର ଦିନ ଦେଶରେ ୧.୧୩ କୋଟି ଡୋଜ୍ ଟିକା ଦିଆଯାଇଛି। ଏଥିସହ ଗତ ୧୧ ଦିନରେ ଦେଶରେ ୩ ଥର ୧ କୋଟିରୁ ଅଧିକ ଟିକାକରଣ ହୋଇଛି। ମାତ୍ର ୧୩ ଦିନରେ ଦେଶରେ ୧୦ କୋଟି ଟିକାକରଣ ହୋଇଛି। ଏହି ସଫଳତା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା ସମସ୍ତ ସ୍ବାସ୍ଥ୍ୟକର୍ମୀ ଏବଂ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମଣ୍ଡଭିୟା କହିଛନ୍ତି, ପ୍ରଥମ ୮୫ ଦିନରେ ଦେଶରେ ୧୦ କୋଟି ଟିକାକରଣ ହୋଇଥିବାବେଳେ ପରବର୍ତ୍ତୀ ୪୫ ଦିନରେ ଟିକାକରଣ ୨୦ କୋଟି ଟପିଲା। ଟିକାକରଣ ୩୦ କୋଟି ଟପିବାପାଇଁ ଆଉ ୨୯ ଦିନ ଲାଗିଥିଲା। ସେହିପରି ଟିକାକରଣ ୩୦ କୋଟିରୁ ୪୦ କୋଟିରେ ପହଞ୍ଚିବାପାଇଁ ଆଉ ୨୪ ଦିନ ଲାଗିଲା। ପରବର୍ତ୍ତୀ ୨୦ ଦିନରେ ଟିକାକରଣ ୫୦ କୋଟି ଟପିଲା ଏବଂ ୧୯ ଦିନରେ ଟିକାକରଣ ୬୦ କୋଟି ଟପିଲା। ତେବେ ମାତ୍ର ୧୩ ଦିନରେ ଦେଶରେ ଟିକାକରଣ ୬୦ କୋଟିରୁ ୭୦ କୋଟି ହୋଇଛି।
ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୩୧,୨୨୨ ନୂଆ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ୧୯.୮ ପ୍ରତିଶତ କମିଛି। ଦେଶରେ ମୋଟ୍ ସକ୍ରିୟ ମାମଲା ୩,୯୨,୮୬୪। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୧.୧୯ ପ୍ରତିଶତ ଏବଂ ଆରୋଗ୍ୟ ହାର ୯୭.୪୮ ପ୍ରତିଶତ। ଗତ ୨୪ ଘଣ୍ଟାରେ ଦେଶରେ ୪୨,୯୪୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ସାପ୍ତାହିକ ପଜିଟିଭ୍ ହାର ୨.୫୬ ପ୍ରତିଶତ। ଲଗାତାର ୭୪ ଦିନ ଧରି ଦେଶରେ ପଜିଟିଭ୍ ହାର ୩ ପ୍ରତିଶତ ତଳେ ରହିଛି। ଗତ ୭ ଦିନ ଧରି ଦେଶରେ ଦୈନିକ ପଜିଟିଭ୍ ହାର ୨.୦୫ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟାରେ ୫ ରାଜ୍ୟ କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ କର୍ଣ୍ଣାଟକରେ ୮୭.୪୭ ପ୍ରତିଶତ ମାମଲା ଚିହ୍ନଟ ହୋଇଥିବାବେଳେ କେବଳ କେରଳରେ ନୂଆ ମାମଲାର ୬୩.୦୬ ପ୍ରତିଶତ ରହିଛି। କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୧୯,୬୮୮ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୩,୬୨୬, ତାମିଲନାଡ଼ୁରେ ୧୫୫୬, ମିଜୋରାମରେ ୧୪୬୮ ଏବଂ କର୍ଣ୍ଣାଟକରେ ୯୭୩ ମାମଲା ଚିହ୍ନଟ ହୋଇଛି। ତେବେ କେରଳରେ ସଂକ୍ରମଣ ବୃଦ୍ଧି ସତ୍ତ୍ବେ କେରଳ ସରକାର ନାଇଟ୍ କର୍ଫ୍ୟୁ ଉଠାଇବାପାଇଁ ଏବଂ ରବିବାର ଲକ୍ଡାଉନ୍ ହଟାଇବାପାଇଁ ନିଷ୍ପତ୍ତି ନେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଆଜି ଏହା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/vaccine.jpeg)