ନୂଆଦିଲ୍ଲୀ: ଗୁଜରାଟର ଅହମଦାସ୍ଥିତ ଭେଷଜ କମ୍ପାନି ଜାଇଡସ୍ କାଡିଲା ଦ୍ବାରା ବିକଶିତ କୋଭିଡ୍ ଟିକା ‘ଜାଇକୋଭ୍-ଡି’ର ଜରୁରୀକାଳୀନ ବ୍ୟବହାର ପାଇଁ ଖୁବ୍ ଶୀଘ୍ର ଆବେଦନ କରାଯିବ ବୋଲି କମ୍ପାନି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏପରିକି ଭେଷଜ ନିୟନ୍ତ୍ରକଙ୍କଠାରୁ ଚଳିତ ମାସ ଶେଷ ସୁଦ୍ଧା ଭାରତରେ ବ୍ୟବହାର ପାଇଁ ଅନୁମତି ମିଳିଯିବ ବୋଲି କମ୍ପାନିର ମୁଖ୍ୟ ସର୍ବିଲ ପଟେଲ ଆଶା ରଖିଛନ୍ତି। ମାସକୁ କୋଟିଏ ସଂଖ୍ୟକ ମାତ୍ରା ପ୍ରସ୍ତୁତ କରିବା ସହ ଆଗକୁ ଅନ୍ୟ କାରଖାନା ମାଧ୍ୟମରେ ୩ରୁ ୪ କୋଟି ମାତ୍ରା ପ୍ରସ୍ତୁତ ପାଇଁ କମ୍ପାନି ଲକ୍ଷ୍ୟ ରଖିଥିବା ବେଳେ ଆବଶ୍ୟକ ଅନୁମତି ମିଳିଗଲେ ଦେଶରେ ସମ୍ପ୍ରତି ଦେଖାଦେଇଥିବା ଟିକା ଅଭାବ ଅନେକାଂଶରେ କମିଯିବ ବୋଲି ସେ କହିଛନ୍ତି।
ଏହା ଦେଶରେ କୋଭିସିଲ୍ଡ, କୋଭାକ୍ସିନ୍ ଓ ସ୍ପୁଟ୍ନିକ୍-ଭି ପରେ ଚତୁର୍ଥ ଟିକା ଭାବେ ଜାରି ରହିଥିବା ଗଣ ଟିକାକରଣରେ ବିନିଯୋଗ ହୋଇପାରିବ ବୋଲି ଆଶା କରାଯାଉଛି। ‘ଜାଇକୋଭ୍-ଡି’ ୨ରୁ ୮ ଡିଗ୍ରି ସେଲସିଅସ୍ ତାପମାତ୍ରା ମଧ୍ୟରେ ଅତି ସୁରକ୍ଷିତ ରହିପାରିବ ବୋଲି କୁହାଯାଉଛି, ତେବେ ୨୫ ଡିଗ୍ରି ସେଲସିଅସ୍ ପରି ସାଧାରଣ ଘରୋଇ ତାପମାତ୍ରାରେ ମଧ୍ୟ ଏହା ନିରାପଦ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।