ଟିକାକରଣକୁ ବର୍ଷେ ପୂରିଲା: ୧୫୬ କୋଟି ଡୋଜ୍‌ ଦିଆଗଲାଣି, ୮୭ କୋଟି ନେଇଛନ୍ତି ପ୍ରଥମ ଡୋଜ୍‌

ନୂଆଦିଲ୍ଲୀ,: କୋଭିଡ୍‌ ଟିକାକରଣକୁ ଆଜି ଏକ ବର୍ଷ ପୂରଣ ହୋଇଛି। ୨୬ ଜାନୁଆରି ୨୦୨୧ରେ ଦେଶରେ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କର୍ମୀଙ୍କ ଟିକାକରଣ ଆରମ୍ଭ ହୋଇଥିଲା। ଏହାପରେ ବିଭିନ୍ନ ବୟସ ବର୍ଗର ବ୍ୟକ୍ତିଙ୍କ ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଆଜି ସୁଦ୍ଧା ୧୫୬ କୋଟି କୋଭିଡ୍‌ ଡୋଜ ଟିକା ପ୍ରଦାନ କରାଯାଇଛି ଏବଂ ସଂପୂର୍ଣ୍ଣ ଜନସଂଖ୍ୟାର ଟିକାକରଣ ଲକ୍ଷ୍ୟ ହାସଲ ଅନେକ ଦୂରରେ ରହିଛି। ଟିକାକରଣର ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଅବଦାନ ପ୍ରଶଂସନୀୟ ବୋଲି କହିଛନ୍ତ। ଟିକାକରଣକୁ ସଫଳ କରିବାରେ ଭୂମିକା ନିର୍ବାହ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ଏବେ ଭାରତ ଯେଉଁ ଲକ୍ଷ୍ୟ ହାସଲ କରିଛି ତାହା ବର୍ଷକ ତଳେ ଅତ୍ୟନ୍ତ କଷ୍ଟସାଧ୍ୟ ମନେହେଉଥିଲା। ତେବେ ଏ କ୍ଷେତ୍ରରେ ନିରନ୍ତର ପ୍ରୟାସ ଏବଂ ଜନସଚେତନତା ସଫଳତାର ରାସ୍ତା ଖୋଲିଦେଲା। ଆଜି ସୁଦ୍ଧା ୧୮ ବର୍ଷରୁ ଅଧିକ ଆୟୁ ବର୍ଗର ୮୭ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ୍ ନେଇସାରିଲେଣି। ପ୍ରାୟ ୯୨ ପ୍ରତିଶତ ଜନସଂଖ୍ୟା ପ୍ରଥମ ଡୋଜ ନେଇସାରିଥିବା ବେଳେ ୬୫ କୋଟିରୁ ଅଧିକ ଲୋକ ଉଭୟ ଡୋଜ୍‌ ନେଇସାରିଲେଣି।

୧୫ରୁ ୧୮ ଆୟୁବର୍ଗର ପ୍ରାୟ ୮ କୋଟି ତରୁଣଙ୍କୁ ଟିକା ଦିଆଯିବା ପ୍ରକ୍ରିୟା ଜାରି ରହିଛି। ଆଜି ସୁଦ୍ଧା ପ୍ରାୟ ୪ କୋଟି ପିଲା ଟିକା ନେଲେଣି। ଗତ ସୋମବାରଠାରୁ ବୁଷ୍ଟର ଡୋଜ୍‌ ଦେବା ଆରମ୍ଭ ହୋଇଛି। ପ୍ରାୟ ୪୮ ଲକ୍ଷ ବୁଷ୍ଟର ଡୋଜ୍‌ ଦିଆଗଲାଣି। ଭାରତର ଟିକାକରଣ କାର୍ଯ୍ୟକ୍ରମ ବିଶ୍ବର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହୋଇଥିବା ବେଳେ ଟିକା ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ଦେଶରେ ୦ରୁ ୫୦ କୋଟି ଡୋଜ୍‌ ଦେବାପାଇଁ ୨୦୩ ଦିନ, ୫୦ରୁ ୧୦୦ କୋଟି ଡୋଜ୍‌ ପାଇଁ ୭୫ ଦିନ, ୧୦୦ରୁ ୧୫୦ କୋଟି ଡୋଜ୍‌ ଲକ୍ଷ୍ୟ ହାସଲ କରିବା ପାଇଁ ୮୨ ଦିନ ଲାଗିଥିଲା। ଭାରତର ଟିକା ପ୍ରସ୍ତୁତିଜନିତ ସାମର୍ଥ୍ୟ ଯୋଗୁଁ ବନ୍ଧୁ ରାଷ୍ଟ୍ରମାନଙ୍କୁ ମଧ୍ୟ ଟିକା ଯୋଗାଇ ଦେଇଛି।

ସମ୍ବନ୍ଧିତ ଖବର