ଗତ ୧୫ ତାରିଖର କଥା। ମହାରାଷ୍ଟ୍ରର ଖରଘରଠାରେ ଲକ୍ଷଲକ୍ଷ ଲୋକଙ୍କ ସମାବେଶରେ ଆୟୋଜିତ ଭୂଷଣ ପୁରସ୍କାର ଉତ୍ସବରେ ୧୩ ଜଣ ଅଂଶୁଘାତ ଯୋଗୁଁ ପ୍ରାଣ ହରାଇବା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ଜଣାଶୁଣା କଂଗ୍ରେସ ସମର୍ଥକ @BhavikaKapoor5 ଏ ଘଟଣାର ଖବର ପ୍ରସାରଣରେ ଗଣମାଧ୍ୟମର କାର୍ପଣ୍ୟ ନେଇ ଏକ କଡ଼ା ପ୍ରଶ୍ନ କରିଛନ୍ତି। ‘‘ଯଦି ରୢାଲିଟି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ନ ହୋଇ ରାହୁଲ ଗାନ୍ଧିଙ୍କ କଂଗ୍ରେସ ରୢାଲି ହୋଇଥା’ନ୍ତା, ଗଣମାଧ୍ୟମ ବେଶ୍ ଅଧିକ ମୁଖରିତ ହୋଇ ଉଠି ନ ଥା’ନ୍ତା କି?’’ ପ୍ରତିକ୍ରିୟା ମିଶ୍ରିତ। ସମର୍ଥନରେ କହାଯାଇଛି, ଏହି ଉପାଖ୍ୟାନରେ ଗଣମାଧ୍ୟମର ନିରବତାରୁ ଆମ ଦେଶରେ ବାକ୍ ସ୍ବାଧୀନତାର ହାଲ୍ ବୁଝାପଡ଼ୁଛି। ଦଲାଲମାନଙ୍କୁ ଭଲ ଟିଆର୍ପି ମିଳିଲେ ହେଲା। ଗଣମାଧ୍ୟମ ତଥା ଶାହ-ମୋଦୀଙ୍କୁ ପରୋକ୍ଷରେ ଛିଗୁଲେଇକି କହାଯାଇଛି, ଏଠି ପରା ତାଙ୍କ ବାପ-କକା ଥିଲେ, ତାଙ୍କ ବିରୋଧରେ ସେମାନେ କେମିତି ଲେଖନ୍ତେ? ଏହି ସମାବେଶ ପାଇଁ ମହାରାଷ୍ଟ୍ର ସରକାରଙ୍କର ରାଜକୋଷରୁ ୧୩.୬୨ କୋଟି ଖର୍ଚ୍ଚ ହୋଇଛି।
/sambad/media/post_attachments/wp-content/uploads/2023/04/19-17.jpg)
ଅଥଚ ଛାୟାନିର୍ମାଣ କିମ୍ବା ଜଳଯୋଗାଣ ନେଇ ସେଥିରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନାହିଁ। କେବଳ ଭିଆଇପିମାନଙ୍କ ଆରାମକୁ ଗୁରୁତ୍ବ ଦିଆଯାଇଛି। କଂଗ୍ରେସ ରାଲିରେ ଏୟା ହୋଇଥିଲେ ଷ୍ଟୁଡିଓରେ ଅର୍ଣ୍ଣବ ପାଟିତୁଣ୍ଡ କରି ଏତେବେଳକୁ ବୋବାଲ୍ କରିପକାନ୍ତେଣି। ଅଞ୍ଜନା କୁମ୍ଭୀର ପରି ଆଖିରୁ ପାଣି ଝରାଉଥା’ନ୍ତେ ଓ ଅମନ ଆଜେବାଜେ ପୋଷ୍ଟରମାନ ଦେଖାଇ କଥାକୁ ଗେନ୍ଦ୍ରାଗେନ୍ଦ୍ରି କରିବା ଚକ୍କରରେ ଥା’ନ୍ତେ। ଟିଭି ଉପସ୍ଥାପକ ବଡ଼ପାଟିରେ ଶିରୋନାମାକୁ ଏହିପରି ଢ଼ଙ୍ଗରେ ପଢ଼ୁଥା’ନ୍ତେ:- ‘‘ଆଗାମୀ ନିର୍ବାଚନ ପାଇଁ କଂଗ୍ରେସର ରକ୍ତର ହୋରି; କ’ଣ ଜନତା କ୍ଷମା ଦେବେ?’’ଆଉ କିଛି ଲୋକଙ୍କ ମତ ହେଲା, ‘‘ହଁ, କୋଉ ଗାଁ’ଗହଳିରେ ହୋଇଥା’ନ୍ତା କି? ସେ ପୁଣି ଭାରତର ବାଣିଜ୍ୟ ରାଜଧାନୀର ଯୁଗ୍ମ-ନଗରୀ ନଭି ମୁମ୍ବାଇରେ..?’’ ଏଭଳି ଅଘଟଣରେ ‘ଯଦି’ ଓ ‘କିନ୍ତୁ’ର କିଛି ମୂଲ୍ୟ ନାହିଁ। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସରକାର ଦେବେ କୁହାଯାଛଛି। ସରକାର କ’ଣ ନିଜ ଘରୁ ଆଣିକି ଦେଉଛନ୍ତି? ଆମ ପଇସାରେ ଏସବୁ କାରବାର। ବିଜେପିବାଲାଙ୍କ କେବଳ ଗୋଟିଏ କାମ, ସଭାରେ କେମିତି ବେଶି ଲୋକ ହେବେ? ନାଗପୁରରେ ଏମ୍ଭିଏବାଲା ବଡ଼ ରୢାଲିଟିଏ କଲେ। ତେଣୁ ଏମାନେ ଜଣେ ବିଶିଷ୍ଟ ସମାଜସେବୀଙ୍କୁ ବ୍ୟବହାର କରିକି ଆହୁରି ବିଶାଳ ରୢାଲିଟିଏ କଲେ।
ଅନ୍ୟ ପକ୍ଷରେ ସଭାର ସମାଲୋଚକମାନଙ୍କୁ ବି ଟାହିଟାପରା କରାଯାଇଛି। କହାଯାଇଛି, ‘‘ଅବାସ୍ତବ ପ୍ରଶ୍ନ। ରାହୁଲ ଗାନ୍ଧିଙ୍କ ସଭାରେ ଏତେ ଲୋକ ହେବାଟା ସ୍ବପ୍ନ।’’ ଏକ ପାଲଟା ବିତଣ୍ଡା ଯୁକ୍ତିରେ ପ୍ରଶ୍ନ କରାଯାଇଛି, ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ପଦଯାତ୍ରାରେ ଚାଲୁଚାଲୁ ଜଳନ୍ଧରର କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୈାଧରୀଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଥିବା ଘଟଣାକୁ ଭୁଲିଯାଉଛ କି? ଆହୁରି ବଡ଼ ବିତଣ୍ଡା:- ୧୯୮୪ ଭୋପାଳ ଗ୍ୟାସ୍ ଦୁର୍ଘଟଣାରେ ୨୦ ହଜାର ଲୋକଙ୍କ ପ୍ରାଣହାନି ଖବର ମନେନାହିଁ କି? ଜଣେ ମଜାଳିଆ ଢଙ୍ଗରେ କହିଛନ୍ତି, କଂଗ୍ରେସ ଏବେ ଅତିକ ଅହମ୍ମଦ ଉପାଖ୍ୟାନକୁ ନେଇ ଦ୍ବନ୍ଦ୍ବାଗ୍ରସ୍ତ। ତାଙ୍କୁ ନେଇ ‘ଯଦି’ ଓ ‘କିନ୍ତୁ’ କରିକି ଆଉ ଅକଳରେ ପକାଅନି। ତେବେ ଯୋଉ କଥାଟିରୁ ଭୋଟ କାଙ୍ଗାଳ ରାଜନୈତିକ ଦଳଗୁଡ଼ିକର ଅସହାୟତାର ସୂଚନା ମିଳୁଛି। ବିଜେପି ସମର୍ଥକ କହୁଛନ୍ତି, ଶାହଙ୍କ ରୢାଲିରେ ଏତେ ଲୋକଙ୍କୁ କାହିଁକି ଏକାଠି କଲ ବୋଲି ପଚାରୁଛ ତ? ଅଳ୍ପ ଲୋକ ଆସିଥିଲେ ‘ମୋଦୀଙ୍କ ଲୋକପ୍ରିୟତା ଆଉ ନାହିଁ’ ଳ ବୋଲି କହିଥା’ନ୍ତ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/22-18.jpg)