ପଟିଆଲାରେ ହୋଇଥିବା ହିଂସା ରାଜନୈତିକ ଥିଲା, ସାମ୍ପ୍ରଦାୟିକ ନୁହେଁ: ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ପଟିଆଲା: ପଟିଆଲାରେ ଗତକାଲି ହୋଇଥିବା ସଂଘର୍ଷ ରାଜନୈତିକ ଥିଲା, ସାମ୍ପ୍ରଦାୟିକ ନୁହେଁ ବୋଲି ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି। ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ ହୋଇଥିବା ହିଂସା ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଆମ ସରକାର ରାଜ୍ୟରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟକୁ ଖରାପ ହେବାକୁ ଦେବ ନାହିଁ। ରାଜ୍ୟର ଲୋକମାନେ ଶାନ୍ତି ଏବଂ ଧାର୍ମିକ ସମନ୍ୱୟ ଉପରେ ବିଶ୍ୱାସ କରନ୍ତି ଏବଂ ସରକାର ଏହାକୁ ଯେକୌଣସି ପରିିସ୍ଥିତିରେ ପୁନଃ ସ୍ଥାପିତ କରିବେ।

ସେ କହିଛନ୍ତି ଯେ, ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଆମ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। ଗତକାଲି ହୋଇଥିବା ହିଂସାର ସମାଧାନ ହୋଇଛି। ଏହି ହିଂସାର ଶିବସେନାର କେତେକ ସଦସ୍ୟ, ବିଜେପିର କିଛି ସଦସ୍ୟ ଏବଂ ଶିରୋମଣି ଅକାଳୀ ଦଳର କର୍ମୀ ସାମିଲ ଥିଲେ। ଏହା ରାଜନୈତିକ ଦଳ ମଧ୍ୟରେ ବିବାଦ ଥିଲା। ଏହା ସାମ୍ପ୍ରଦାୟିକ ବିବାଦ ନୁହେଁ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ କାଳୀମାତା ମନ୍ଦିର ବାହାରେ  ଖଲିସ୍ତାନ ବିରୋଧୀ ରାଲିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇଜଣ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟୂନ ୪ଜଣ ଆହତ ହୋଇଥିଲେ। ସଂଘର୍ଷ ସମୟରେ ଟେକାପଥର ଫିଙ୍ଗା ଓ ଖଣ୍ଡା ବୁଲାଯାଇଥିବା କଥା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଫାଙ୍କା ଗୁଳି ଚାଳନା କରିଥିଲା। ଘଟଣା ପରେ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘଟଣାସ୍ଥଳରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ବ୍ୟାପକ ପୁଲିସ ମୁତୟନ ପାଇଁ ଆଦେଶ ଦେବା ସହ ସନ୍ଧ୍ୟା ୬ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଜାରି କରାଇଥିଲେ।

ସମ୍ବନ୍ଧିତ ଖବର