ବିଶୋଧକ ସି‌ଞ୍ଚନରେ ଭୂତାଣୁୁ ଯିବନି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ

ଜେନେଭା: ସମ୍ପ୍ରତି ଅନେକ ଦେଶରେ କରୋନାଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜନଗହଳି ଅ‌ଞ୍ଚଳର ରାସ୍ତାଘାଟରେ ବିଭିନ୍ନ ପ୍ରକାର ବିଶୋଧକ ସିଞ୍ଚ‌ନ କରାଯାଉଛିା ମାତ୍ର ଏହାଦ୍ବାରା ଘାତକ କରୋନାଭୂତାଣୁ ସାର୍ସ–କୋଭ୍–୨କୁ ତ ଦୂରେଇହେବନି; ବରଂ ଅଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଶନିବାର ଚେତାବନୀ ଦେଇଛିା କରୋନାଭୂତାଣୁର ମୁକାବିଲା ପାଇଁ ବିଭିନ୍ନ ଚଟାଣକୁ ସଫାସୁତର ଏବଂ ଜୀବାଣୁମୁକ୍ତ କରିବା ସମ୍ପର୍କରେ ‘ହୁ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏପରି ବିଶୋଧକ ଦ୍ବାରା ସି‌ଞ୍ଚନ କରିବା ଆଦୌ କରୋନାଭୂତାଣୁ ବିରୋଧରେ ଫଳପ୍ରଦ ହେବନାହିଁ ବୋଲି ସତର୍କ କରାଇ ଦିଆଯାଇଛିା ସାଧାରଣତଃ ରାସ୍ତାଘାଟ କି ହାଟବଜାରରେ ଏ ପ୍ରକାର ବିଶୋଧକଗୁଡି଼କୁ ଧୁଆଁ ଆକାରରେ ଛାଡି଼ବା କିମ୍ବା ତରଳ ଆକାରରେ ସି‌ଞ୍ଚନ କରାଗଲେ ମଧ୍ୟ ତାହା ଆଖପାଖରେ ଗଦାହୋଇଥିବା ଭଙ୍ଗାରୁଜା ପଦାର୍ଥ କି ଆବର୍ଜନା ଦ୍ବାରା ହିଁ ନିଷ୍କ୍ରିୟ ସାବ୍ୟସ୍ତ ହୋଇଥାଏ। ତେଣୁ କରୋନାଭୂତାଣୁ କି ଅନ୍ୟ କୌଣସି ରୋଗଜୀବାଣୁ ମାରିବା ପାଇଁ ଏପରି ବିଶୋଧନ ଆଦୌ ଫଳପ୍ରଦ ନୁହେଁ ବୋଲି ‘ହୁ’ ପରାମର୍ଶ ଦେଇଛି।

ସେହିପରି କୌଣସି ଜୈବପଦାର୍ଥ ଅନୁପସ୍ଥିତିରେ ରାସାୟନିକ ସାମଗ୍ରୀ ସି‌ଞ୍ଚନ କରାଗଲେ ମଧ୍ୟ ତାହା ରୋଗଜୀବାଣୁକୁ ନିଷ୍କ୍ରିୟ କରିବା ପାଇଁ ଆବଶ୍ୟକ ନିର୍ଦ୍ଧାରିତ ସମୟରେ ସବୁ ସମତଳରେ ପହ‌ଞ୍ଚିପାରିବ ନାହିାଁ ତେଣୁ ଏଭଳି କ୍ଷେତ୍ରରେ ମଧ୍ୟ ଏହି ସି‌ଞ୍ଚନ ପ୍ରକ୍ରିୟା ଫଳପ୍ରଦ ନୁହେଁ। ଅପରପକ୍ଷେ, ରାସ୍ତାଘାଟ କି ବଜାରହାଟଗୁଡି଼କୁ ସଂକ୍ରମଣ ଭଣ୍ତାର ଭାବେ ବିବେଚନା କରିବା ମଧ୍ୟ ଠିକ୍ ନୁହେଁ। ବରଂ ଏପରି ଅଯୌକ୍ତିକ ସ୍ଥାନରେ ଅଯଥାରେ ବିଶୋଧକ ପ୍ରୟୋଗ ଦ୍ବାରା ମନୁଷ୍ୟର ସ୍ବାସ୍ଥ୍ୟ ପକ୍ଷେ ତାହା ହାନିକାରକ ହୋଇପାରେ ବୋଲି ‘ହୁ’ ସତର୍କ କରାଇଛି। କ୍ଲୋରିନ୍ ଗ୍ୟାସ୍‌ କିମ୍ବା ଅନ୍ୟାନ୍ୟ ବିଷାକ୍ତ ରାସାୟନିକ ବିଶୋଧକ ଛାଡି଼ବା ଦ୍ବାରା ସୁସ୍ଥ ଲୋକର ଆଖିରୋଗ, ଚର୍ମରୋଗ, ଶ୍ବାସକ୍ରିୟାରେ ସମସ୍ୟା କିମ୍ବା ପରିପାକ ପ୍ରଣାଳୀରେ ସମସ୍ୟା ଆଦି ଦେଖାଦେଇପାରେ ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଘର ଭିତରେ ଏପରି ବିଶୋଧକକୁ କପଡା଼ରେ ଭିଜାଇ ଉପଯୁକ୍ତ ସାବଧାନତାର ସହ ବାରମ୍ବାର ସଂସ୍ପର୍ଶରେ ଆସୁଥିବା ବିଭିନ୍ନ ପଦାର୍ଥ କିମ୍ବା ସମତଳକୁ ପୋଛି ନେବା ଶ୍ରେୟସ୍କର ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର