ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବା ପରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ସୋମବାର କିଛି ବିରୋଧୀ ମହିଳା ଲୋକସଭା ସାଂସଦଙ୍କ ସହ ୨୦୧୯ ବନାମ ୨୦୨୪ର ଫଟୋ ପୋଷ୍ଟ କରିଛନ୍ତି। ୨୦୧୯ର ପୁରୁଣା ଫଟୋରେ ସାଂସଦ ମୈତ୍ର, କାନିମୋଝି, ସୁପ୍ରିୟା ସୁଲେ, ଜୋଥିମାନି ଓ ଥାମିଜାଚି ଥାଙ୍ଗାପାଣ୍ଡିଆନ୍ ସଂସଦର ନିମ୍ନ ସଦନର ଏକ ବେଞ୍ଚରେ ବସିଥିବା ବେଳେ ସଦ୍ୟତମ ଫଟୋରେ ନୂଆ ଲୋକସଭା ସାଂସଦ ଡିମ୍ପଲ ଯାଦବଙ୍କୁ ଦେଖିବାକୁ ମିଳିଛି। ଏକ୍ସରେ ପୋଷ୍ଟ କରାଯାଇଥିବା ଏହି ଫଟୋର କ୍ୟାପସନରେ ମୈତ୍ର ଲେଖିଛନ୍ତି, 'ଯୋଦ୍ଧାମାନେ ଫେରିଆସିଛନ୍ତି'।

Advertisment

ମୈତ୍ର ପଶ୍ଚିମବଙ୍ଗର କୃଷ୍ଣନଗର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବେଳେ କାନିମୋଝି ତାମିଲନାଡୁର ଥୁଥୁକୁଡି ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଅନ୍ୟ ସାଂସଦମାନେ ଯଥାକ୍ରମେ ସୁପ୍ରିୟା ସୁଲେ, ଜୋଥିମାନି, ଥାମିଜାଚି ଥାଙ୍ଗାପାଣ୍ଡିଆନ୍ ଓ ଡିମ୍ପଲ ଯାଦବ ଯଥାକ୍ରମେ ମହାରାଷ୍ଟ୍ରର ବାରାମତୀ, ତାମିଲନାଡୁର କାରୁର ଆସନ, ଚେନ୍ନାଇ ଦକ୍ଷିଣ ଏବଂ ଉତ୍ତରପ୍ରଦେଶର ମୈନପୁରୀ ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଲୋକସଭା ନିର୍ବାଚନରେ ମୋଟ ୭୪ ଜଣ ମହିଳା ବିଜୟୀ ହୋଇଛନ୍ତି, ଯାହା କି ୨୦୧୯ରେ ନିର୍ବାଚିତ ହୋଇଥିବା ୭୮ ଜଣ ମହିଳାଙ୍କ ତୁଳନାରେ କମ୍। ନିମ୍ନ ସଦନକୁ ନିର୍ବାଚିତ ହୋଇଥିବା ସମସ୍ତ ମହିଳା ସାଂସଦଙ୍କ ମଧ୍ୟରେ ପଶ୍ଚିମବଙ୍ଗ ୧୧ ଜଣ ମହିଳା ସାଂସଦଙ୍କ ସହ ଆଗରେ ରହିଛି।