ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ‘ଜଳ ଜୀବନ ମିସନ ଆପ୍’ ଉନ୍ମୋଚିତ

୭୦ ବର୍ଷରେ ଯାହା ହୋଇ ନ ଥିଲା ୨ ବର୍ଷରେ ହୋଇପାରିଛି

ନୂଆଦିଲ୍ଲୀ: ୨୦୧୯ରେ ‘ଜଳ ଜୀବନ ମିସନ’ ଆରମ୍ଭ ହୋଇଥିବା ବେଳେ ଦୁଇ ବର୍ଷ ଭିତରେ ପାଞ୍ଚକୋଟି ପରିବାର ଜଳ ସଂଯୋଗ ପାଇଛନ୍ତି ଏବଂ ପ୍ରାୟ ୧.୨୫ ଲକ୍ଷ ଗ୍ରାମରେ ପ୍ରତ୍ୟେକ ପରିବାର ଟ୍ୟାପ୍ ପାଣି ପାଇପାରୁଛନ୍ତି ବୋଲି ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜଳ ଜୀବନ ମିସନ ଆପ୍’ ଉନ୍ମୋଚନ ଅବସରରେ କହିଛନ୍ତି। ଏଥି ସହ ସତୁରି ବର୍ଷରେ ଯାହା କରାଯାଇପାରି ନ ଥିଲା, ଦୁଇ ବର୍ଷରେ ତାହା ହୋଇଛି ବୋଲି ସେ ଦୃଢ଼ତା ପ୍ରକାଶ କରିଥିଲେ।

ଜଳ ଜୀବନ ମିସନ ଉପରେ ଗ୍ରାମ ପଞ୍ଚାୟତ ଓ ପାଣି ସମିତି/ ଗ୍ରାମ ଜଳ ଓ ପରିମଳ କମିଟି (ଭିଡବ୍ଲୁଏସ୍‌ସି)କୁ ଉଦ୍‌ବୋଧନ ଦେଇ ମୋଦୀ କହିଲେ ଯେ, ଲୋକଙ୍କ ପାଖରେ ପିଇବା ପାଣି ପହଞ୍ଚାଇବା କେବଳ ମିସନର ଉଦ୍ଦେଶ୍ୟ ନୁହେଁ ବରଂ ଏହା ଏକ ବିକେନ୍ଦ୍ରୀକରଣ ଆନ୍ଦୋଳନ ଯାହା ଗ୍ରାମ ଓ ମହିଳାମାନଙ୍କ ଦ୍ବାରା ପରିଚାଳିତ। ସ୍ବାଧୀନତା ସମୟରୁ ୨୦୧୯ ପର୍ଯ୍ୟନ୍ତ ମାତ୍ର ତିନି କୋଟି ପରିବାରଙ୍କ ପାଖରେ ଟ୍ୟାପ୍ ପାଣି ପହଞ୍ଚିଥିଲା। କିନ୍ତୁ ୨୦୨୯ରେ ଜଳ ଜୀବନ ମିସନ ଆରମ୍ଭ ହେବା ପରେ ମାତ୍ର ଦୁଇବର୍ଷ ଭିତରେ ପାଞ୍ଚ କୋଟି ପରିବାରକୁ ଟ୍ୟାପ୍ ପାଣି ସଂଯୋଗ ଦିଆଯାଇ ପାରିଛି। ବର୍ତ୍ତମାନ ଦେଶର ପ୍ରାୟ ୮୦ ଜିଲ୍ଲାରେ ୧.୨୫ ଲକ୍ଷ ଗ୍ରାମର ସବୁ ପରିବାରକୁ ଟ୍ୟାପ୍ ପାଣି ମିଳିପାରୁଛି। ତେଣୁ ୭୦ ବର୍ଷରେ ଯାହା ହୋଇ ନ ଥିଲା, ମାତ୍ର ୨ ବର୍ଷରେ ହୋଇପାରିଛି ବୋଲି ମୋଦୀ କହିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜଳ ସମ୍ପର୍କିତ ସଚେତନତା ସୃଷ୍ଟି କରିବା ଏବଂ ଯୋଜନାରେ ଅଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଭରିଦେବା ଉଦ୍ଦେଶ୍ୟରେ ‘ଜଳ ଜୀବନ ମିସନ ଆପ୍’ ଉନ୍ମୋଚନ କରିଥିଲେ। ସେ ମଧ୍ୟ ‘ରାଷ୍ଟ୍ରୀୟ ଜଳ ଜୀବନ କୋଷ’ ଉଦ୍‌ଘାଟନ କରିଥିଲେ, ଯେଉଁଥିକି ଜଣେ ବ୍ୟକ୍ତି, ଅନୁଷ୍ଠାନ, କର୍ପୋରେଟ ବା ଜନସେବୀ- ସେ ଦେଶର ହୁଅନ୍ତୁ ବା ବିଦେଶର- ପ୍ରତ୍ୟେକ ଗ୍ରାମୀଣ ପରିବାର, ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର, ଆଶ୍ରମଶାଳା ଓ ଅନ୍ୟ ସର୍ବସାଧାରଣ ଅନୁଷ୍ଠାନକୁ ଟ୍ୟାପ୍ ପାଣି ଯୋଗାଇଦେବା ନିମନ୍ତେ ଆର୍ଥିକ ସାହାଯ୍ୟ କରିପାରିବେ। ପାଣି ସମିତିଗୁଡ଼ିକର କାମ ହେଉଛି ଗ୍ରାମ୍ୟ ଜଳଯୋଗାଣ ବ୍ୟବସ୍ଥା ଲାଗି ଯୋଜନା କରିବା, ତାକୁ କାର୍ଯ୍ୟକାରୀ କରିବା, ପରିଚାଳନା କରିବା ଓ ରକ୍ଷଣାବେକ୍ଷଣ କରିବା, ଯାହାଦ୍ବାରା ପ୍ରତ୍ୟେକ ପରିବାର ଦୀର୍ଘକାଳୀନ ଭିତ୍ତିରେ ସ୍ବଚ୍ଛ ପାନୀୟ ଟ୍ୟାପ୍ ଜଳ ପାଇପାରିବେ। ଛଅ ଲକ୍ଷରୁ ଊର୍ଦ୍ଧ୍ବ ଗ୍ରାମ ଭିତରୁ ପ୍ରାୟ ୩.୫ ଲକ୍ଷ ଗ୍ରାମରେ ପାଣି ସମିତି ଗଠନ କରାଯାଇଛି। ଫିଲ୍‌ଡ ଟେଷ୍ଟ କିଟ୍ ମାଧ୍ୟମରେ ଜଳର ମାନ ପରୀକ୍ଷା କରିବା ଲାଗି ୭.୧ ଲକ୍ଷ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି। ୩.୬୦ ଲକ୍ଷ କୋଟି ଟଙ୍କାର ବଜେଟରେ ରାଜ୍ୟଗୁଡ଼ିକର ସହଭାଗିତାରେ ଏହି ଜଳ ଜୀବନ ମିସନ କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର