ଦ୍ବନ୍ଦ୍ବ ଆଣୁଛି ଭ୍ରାନ୍ତ ସୂଚନା, ଦୁର୍ବଳ ହେଉଛି କୋଭିଡ୍‌ ଲଢ଼େଇ

୧୬ ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ

ନୂଆଦିଲ୍ଲୀ: ବିଗତ କିଛି ମାସ ହେଲା ସାରା ବିଶ୍ବ ମହାମାରୀ କୋଭିଡ୍‌-୧୯ କବଳରୁ ନିସ୍ତାର ପାଇବା ପାଇଁ ବିକଳ୍ପ ଉପାୟ ଅନ୍ବେଷଣରେ ତ୍ରାହି ତ୍ରାହି ଡାକ ଛାଡୁଥିବା ବେଳେ ସାମାଜିକ ଗଣମାଧ୍ୟମରେ ଛାଇ ଯାଇଥିବା କିଛି ଭିନ୍ନ ପରାମର୍ଶ ଲୋକଙ୍କୁ ଭ୍ରମିତ କରିବାରେ ଲାଗିଛି। ମହାମାରୀ କୋଭିଡ୍‌ ଦାଉରୁ ମୁକ୍ତି ପାଇବାକୁ ହେଲେ ‘ମାସ୍କ ପିନ୍ଧନାହିଁ, ଶୁକ୍ରାଣୁ ସଂଚାରିତ ପାନୀୟ ପିଅ ଏବଂ ଯଥେଷ୍ଟ ପାପଡ଼ ଖାଅ’ ଭଳି ସଂଖ୍ୟାଧିକ ଭ୍ରମାତ୍ମକ ପରାମର୍ଶ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଏପରିକି ସ୍ଥଳବିଶେଷରେ କିଛି ରାଷ୍ଟ୍ରନେତାଙ୍କ ଠାରୁ ଆରମ୍ଭ କରି ନାମୀଦାମୀ ଲୋକପ୍ରିୟ କଳାକାର ଓ ଜ୍ଞାନୀଗୁଣୀ ବ୍ୟକ୍ତିତ୍ବ ମଧ୍ୟ ଏହାକୁ ସେୟାର କରିବାକୁ ଭୁଲୁନାହାନ୍ତି। ଫଳରେ ସାଧାରଣ ଲୋକଟିଏ ତାହାକୁ ଅନୁସରଣ କରିବା ପାଇଁ ଆଗଭର ହେଉଛି। ମାତ୍ର ସମସ୍ୟା ହେଲା, ସାମାଜିକ ଗଣମାଧ୍ୟମ ଅନୁସରଣକାରୀଙ୍କୁ ଦ୍ବନ୍ଦ୍ବରେ ପକାଉଥିବା ଏଭଳି ସୂଚନାଗୁଡ଼ିକ ସଂପୂର୍ଣ୍ଣ ଅମୂଳକ ଏବଂ ନକଲି। ଅପରପକ୍ଷେ, ଏହାଦ୍ବାରା କରୋନାଭୂତାଣୁ ବିରୋଧରେ ଜାରି ରହିଥିବା ସାମୂହିକ ଲଢ଼େଇ ମଧ୍ୟ ଦୁର୍ବଳ ହୋଇଯିବାର ଆଶଙ୍କା ରହିଛି।

ଉଦାହରଣ ସ୍ବରୂପ, ମ୍ୟାଲେରିଆ ଔଷଧ ହାଇଡ୍ରକ୍ସିକ୍ଲୋରୋକ୍ବିନ୍‌ ବଟିକା ମହାମାରୀ କୋଭିଡ୍‌ର ଉପଶମ ଲାଗି ଆଶାତୀତ ଭାବେ ଫଳପ୍ରଦ ବୋଲି କିଛି ଦିନ ତଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଗଣମାଧ୍ୟମରେ ନିଜ ଅନୁଭୂତି ବାଣ୍ଟିଥିଲେ। ସେହିପରି ପପ୍‌ଷ୍ଟାର ମାଡୋନା ମଧ୍ୟ ମାସ୍କ ପିନ୍ଧିବା ଆବଶ୍ୟକ ନୁହେଁ ବୋଲି ଡା. ଷ୍ଟିଲା ଇମାନୁଏଲ୍‌ଙ୍କର ଏକ ଭିଡିଓ ବାର୍ତ୍ତା ନିଜ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଥିଲେ। ଏମିତି ଆହୁରି ଅନେକ ଭ୍ରାନ୍ତ ତଥା ଅମୂଳକ ସୂଚନା ଆମକୁ ଦ୍ବନ୍ଦ୍ବରେ ପକାଇ ଚାଲିଛି। ସେଗୁଡ଼ିକ ମଧ୍ୟରେ କରୋନାଭୂତାଣୁ ସେତେ ବିପଦପୂର୍ଣ୍ଣ ନୁହେଁ ଏବଂ ତାହା ଆଉ ରହିନାହିଁ, ଏହା ଏକ ଜୈବିକ ଅସ୍ତ୍ର, ଟିକା ବିକି ଅର୍ଥ ରୋଜଗାର କରିବା ପାଇଁ ଭେଷଜ କମ୍ପାନିମାନଙ୍କର ଏହା ଏକ ଚାଲ୍‌, ଏବଂ ୫ଜି ଯୋଗାଯୋଗ ବ୍ୟବସ୍ଥା ସଂକ୍ରମଣକୁ ଦ୍ରୁତ କରିଛି ପରି ଅନେକ ବିଭ୍ରାନ୍ତିକର ତତ୍ତ୍ବ ପ୍ରତିଦିନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି।

ନୂଆଦିଲ୍ଲୀ : ଭାରତରେ ଆରୋଗ୍ୟ ହାର ଲଗାତାର ବଢ଼ି ଚାଲିଛି। ଗତ ଗୋଟିଏ ସପ୍ତାହରେ ପ୍ରତିଦିନ ଆରୋଗ୍ୟଙ୍କ ସଂଖ୍ୟା ୩୪ ହଜାରରୁ ଅଧିକ ରହିଛି। ଏପ୍ରିଲ୍‌ରେ ଆରୋଗ୍ୟ ହାର ୭.୮୫ ପ୍ରତିଶତ ଥିଲା। କିନ୍ତୁ ଏବେ ଏହା ୬୪ ପ୍ରତିଶତ ଟପିଯାଇଛି। ୧୬ଟି ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାରାହାରିଠାରୁ ଅଧିକ ରହିଛି। ଦିଲ୍ଲୀରେ ଆରୋଗ୍ୟ ହାର ୮୮ ପ୍ରତିଶତ ଥିବାବେଳେ ଲଦାଖ୍‌ରେ ୮୦, ହରିୟାଣାରେ ୭୮, ଆସାମରେ ୭୬, ତେଲେଙ୍ଗାନାରେ ୭୪, ତାମିଲନାଡ଼ୁ ଏବଂ ଗୁଜରାଟରେ ୭୩, ରାଜସ୍ଥାନରେ ୭୦ ମଧ୍ୟପ୍ରଦେଶରେ ୬୯ ଏବଂ ଗୋଆରେ ଆରୋଗ୍ୟ ହାର ୬୮ ପ୍ରତିଶତ ରହିଛି। ‌ଜୁନ୍‌ ୪ରେ ଦେଶରେ ଆରୋଗ୍ୟ ହାର ୧ ଲକ୍ଷ ଥିଲା। କିନ୍ତୁ ଜୁନ୍‌ ୨୫ ବେଳକୁ ଏହା ୩ ଲକ୍ଷ ୪୭ ହଜାର ୯୭୮ ଏବଂ ଜୁଲାଇ ୨୯ରେ ଏହା ୧୦ ଲକ୍ଷ ଟପିଲା। ଉଭୟ ରାଜ୍ୟ ‌ଏବଂ କେନ୍ଦ୍ର ସରକାରଙ୍କ କଠିନ ପରିଶ୍ରମ ବଳରେ ଏହି ସଫଳତା ମିଳିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି।

ସମ୍ବନ୍ଧିତ ଖବର