ନୂଆଦିଲ୍ଲୀ: ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି ବିଜେପି। ଦିଲ୍ଲୀରେ ବିଜୟ ପଛରେ ରହିଛି ବିଜେପିର ସୁଚିନ୍ତିତ ରଣନୀତି। ଏଥିରେ ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭୂମିକାକୁ ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି। ଗତ ବର୍ଷ ଅକ୍ଟୋବର ୧୫ରେ ବିଜେପି ବୈଜୟନ୍ତଙ୍କୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ରୂପେ ନିଯୁକ୍ତ କରିଥିଲା। ୧୯୯୮ ପରଠାରୁ ଦିଲ୍ଲୀ ଶାସନରୁ ବିଜେପି ଦୂରେଇ ରହିଥିବା ପରିପେକ୍ଷୀରେ ବିଜେପିକୁ ଶାସନ କ୍ଷମତାକୁ ଫେରାଇ ଆଣିବା ଏକ ଆହ୍ବାନ ଥିଲା। ଉଭୟ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କ କାର୍ଯ୍ୟକାଳରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ତଥା ଦିଲ୍ଲୀ ଓ ଆସାମର ସଂଗଠନ ପ୍ରଭାରୀ ଏବଂ ଉତ୍ତର ପ୍ରଦେଶର ନିର୍ବାଚନ ପ୍ରଭାରୀ ଦାୟିତ୍ବ ତୁଲାଇଥିବାରୁ ଶ୍ରୀ ପଣ୍ଡାଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ବ ତାଙ୍କ ଉପରେ ଭରସା କରିଥିଲେ। ଦିଲ୍ଲୀ ନିର୍ବାଚନର ମଙ୍ଗ ଧରିବା ସହିତ ବୈଜୟନ୍ତ ନିର୍ବାଚନ ଜିଣିବାର ରଣନୀତି ପ୍ରସ୍ତୁତ କରିଥିଲେ।
ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଆପ୍) ସରକାରଙ୍କ ବିରୋଧରେ ଜନଆକ୍ରୋଶ ରହିଥିବା ଶ୍ରୀ ପଣ୍ଡା ଆକଳନ କରିବା ସହ ଏହାକୁ କ୍ଷମତାଚ୍ୟୁତ କରିବାକୁ ସ୍ବତନ୍ତ୍ର ରଣନୀତି ଉପରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି କ୍ରମରେ ଆପ୍ର ପ୍ରମୁଖ ନେତାଙ୍କୁ ଦଳରେ ସାମିଲ କରାଯିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ନିର୍ବାଚନ ପୂର୍ବରୁ ଆପ୍ର ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇଥିଲେ। ବୈଜୟନ୍ତଙ୍କ ଅନ୍ୟ ରଣନୀତି ଥିଲା, ତୀବ୍ର ପ୍ରଚାର ଅଭିଯାନ ଓ ପ୍ରସଙ୍ଗ ଭିତ୍ତିରେ ବିରୋଧୀଙ୍କୁ ନିଶାଣ କରିବା । ତୃତୀୟ ରଣନୀତି ଥିଲା, ପ୍ରବାସୀ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରବାସୀ ପ୍ରକୋଷ୍ଠ ଖୋଲାଯିବ।। ଏହି କ୍ରମରେ ପୂର୍ବାଞ୍ଚଳ ତଥା ଅନ୍ୟରାଜ୍ୟର ଭୋଟଦାତାଙ୍କ ନିକଟତର ଦଳ ହୋଇପାରିଥିଲା। ତାରକା ପ୍ରଚାରକଙ୍କ ତାଲିକାରେ ଶ୍ରୀ ପଣ୍ଡା ସାମିଲ ହେବା ସହ ପ୍ରଚାର ଓ ରୋଡ ସୋ ଜରିଆରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ହେବା ପାଇଁ ନିବେଦନ କରିଥିଲେ।
ସେ ଲଗାତାର ତୃଣମୂଳ ସ୍ତରର ନେତାମାନଙ୍କ ପାଖରୁ ପ୍ରତିକ୍ରିୟା ନେବା ସହ ଶୀର୍ଷ କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ ଆଲୋଚନା ଜାରି ରଖୁଥିଲେ। ରାଜନୈତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ଏକ ପ୍ରମୁଖ ବିନ୍ଦାଣି ଭାବେ ବୈଜୟନ୍ତଙ୍କ ପତିଆରା ବୃଦ୍ଧି ପାଇଛି। ଏଥି ପୂର୍ବରୁ ହରିୟାଣା ବିଧାନସଭା ନିର୍ବାଚନର ପ୍ରଭାରୀ ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ସହପ୍ରଭାରୀ ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦଳର ସଫଳତାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।