ପଶ୍ଚିମବଂଗ ବିଜେପିରେ ବିପର୍ଯ୍ୟାୟ ଆସିପାରେ; ୨୫ରୁ ୩୦ ବିଜେପି ବିଧାୟକଙ୍କ ଉପରେ ମୁକୁଲ ରାୟଙ୍କ ନଜର

କୋଲାକାତା: ପଶ୍ଚିମବଂଗ ବିଜେପିରେ ଆଗକୁ ବଡ଼ ଧରଣର ସଙ୍କଟ ସୃଷ୍ଟି ହେବା ଆଶଙ୍କା କରାଯାଉଛି। ବିଧାନସଭା ନିର୍ବାଚନରେ ତ୍ରୁଣମୂଳର ବିପୁଳ ବିଜୟ ପରେ ବିଜେପିରୁ ଜଣକ ପରେ ଜଣେ ଟାଣୁଆ ନେତା ଦଳ ଛାଡ଼ୁଥିବା ବେଳେ ଆଗାମୀ ଦିନରେ ୨୫ରୁ ୩୦ ଜଣ ବିଜେପି ବିଧାୟକ ଦଳ ଛାଡ଼ିବା ସମ୍ଭାବନା ରହିଛି। ବିଜେପିରେ ୪ ବର୍ଷ ରହିବା ପରେ ପୁଣି ଟିଏମ୍‌ସିକୁ ଫେରିଥିବା ମୁକୁଲ ରାୟ ଏବଂ ତାଙ୍କ ପୁଅ ଶୁଭ୍ରାଂଶୁ ରାୟ ପ୍ରାୟ ୩୦ ବିଧାୟକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ଟିଏମ୍‌ସିକୁ ଆଣିବା ପାଇଁ ଯୋଜନା ଚଳାଇଛନ୍ତି। ଏହି ବିଧାୟକଙ୍କ ସହ ମୁକୁଲ ରାୟ ଟେଲିଫୋନ୍‌ ସଂପର୍କରେ ଥିବା ବେଳେ ତାଙ୍କ ପୁଅ ମଧ୍ୟ ଏଥିରେ ଅଗ୍ରଣୀ ଭୂମିକା ନେଇଥିବା ଜଣାପଡ଼ିଛି। ଶୁଭ୍ରାଂଶୁ ଏ ବାବଦ ପ୍ରୟାସକୁ ସ୍ବୀକାର କରି କହିଛି ଯେ ଖୁବ୍‌ଶୀଘ୍ର ୨୫ରୁ ୩୦ ବିଜେପି ବିଧାୟକ ଦଳ ଛାଡ଼ିପାରନ୍ତି ଏବଂ ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଦୁଇ ଜଣ ବିଜେପି ବିଧାୟକ ପ୍ରସ୍ତୁତ ରହିଛନ୍ତି। ଅନ୍ୟପକ୍ଷରେ ଟିଏମ୍‌ସି ଭୟ ଓ ଆତଙ୍କ ସୃଷ୍ଟି କରିବା ସହ ସରକାରୀ କଳର ଦୁରୁପଯୋଗ କରି ବିଜେପି ନେତାଙ୍କୁ ନିଜ ପଟକୁ ନେବାକୁ ଉଦ୍ୟମ କରୁଛି ବୋଲି କେତେକ ବିଜେପି ନେତା କହିଛନ୍ତି। ବିଜେପି ଏବେ ନିଜ ବିଧାୟକମାନଙ୍କୁ ଏକଜୁଟ୍‌ ରଖିବା ପାଇଁ କେତେକ ପଦକ୍ଷେପ ନେଇଛି। ଟିଏମ୍‌ସି ସହିତ ରାଜନୈତିକ ଲଢ଼େଇରେ ଯେଉଁମାନେ ଦୃଢ଼ତାର ସହ କାମ ନ କରିବେ ସେମାନେ ଦଳ ଛାଡ଼ି ପଳାଇଲେ କିଛି ଫରକ ପଡ଼ିବ ନାହିଁ ବୋଲି ମଧ୍ୟ ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର