ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ, ପାଶ୍ଚାତ୍ୟ ଦେଶଗୁଡ଼ିକ ବାସ୍ତବ ନାଜିବାଦୀ ଗୋଷ୍ଠୀ ସୃଷ୍ଟି କରୁଛନ୍ତି। ବିଜୟ ଦିବସ ଉପଲକ୍ଷେ ଉଦ୍‌ବୋଧନ ଦେଇ ପୁଟିନ କହିଲେ ଯେ, ରୁଷ୍ ଉପରେ ଆକ୍ରମଣ କରିବାକୁ ଯେଉଁ ପାଶ୍ଚାତ୍ୟ ଗୋଷ୍ଠୀ ପ୍ରସ୍ତୁତ ହେଉଛନ୍ତି, ସେମାନେ ଦ୍ବିତୀୟ ବିଶ୍ବଯୁଦ୍ଧର ଫଳାଫଳକୁ ଭୁଲିଯାଉଛନ୍ତି।

Advertisment

୧୯୪୫ରେ ନାଜି ଜର୍ମାନୀକୁ ପରାଜିତ କରିଥିଲା ରୁଷ୍, ଯାହାର ସ୍ମରଣରେ ମଙ୍ଗଳବାର ବିଜୟ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ପୁଟିନ କହିଲେ ଯେ, ସେମାନେ ତାଙ୍କ ମାତୃଭୂମି ବିରୋଧରେ ଆକ୍ରମଣ କରିବାକୁ ମସୁଧା କରୁଛନ୍ତି। ଆଜି ସଭ୍ୟତା ଏକ ନିର୍ଣ୍ଣାୟକ ମୋଡ଼ ନେଇଛି। ପାଶ୍ଚାତ୍ୟର ଅଦମନୀୟ ଉଚ୍ଚାଭିଳାଷ, ଆତ୍ମବଡ଼ିମା ଓ ଦଣ୍ଡାଭାବ ହିଁ ୟୁକ୍ରେନ୍ ସଂକଟ ପାଇଁ ଦାୟୀ।

ୟୁକ୍ରେନ୍‌ରେ ରୁଷ୍ ସେନା ଭୟାବହ ଡ୍ରୋନ୍ ଆକ୍ରମଣ ଓ ଗୁଳିଗୋଳା ମାଡ଼ କରିବାର ଦିନକ ପରେ ପୁଟିନ ଏଭଳି ମନ୍ତବ୍ୟ ଦେଇଛନ୍ତି। ରାଜଧାନୀ କିବ୍ ଓ କୃଷ୍ଣସାଗର ତଟସ୍ଥ ନଗରୀ ଓଡ଼େଶା ଉପରେ ‌ରୁଷ୍ ଭୟଙ୍କର ଆକ୍ରମଣ ଜାରି ରଖିଛି। ନିଜର ଦେଶର ସୁରକ୍ଷା ଓ ପଡ଼ୋଶୀ ଦେଶକୁ ନାଜିବିହୀନ କରିବା ପାଇଁ ୨୦୨୨ ଫେବ୍ରୁଆରି ମାସରୁ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଛି।