ଭୁବନେଶ୍ବର : ସମଗ୍ର ବିଶ୍ୱ ଭାରତୀୟ ଯୁବଶକ୍ତି ପ୍ରତି ଅନେକ ଆଶା ରଖିଛି । କାରଣ ଆପଣାମାନେ ଦେଶର ଅଭିବୃଦ୍ଧିର କଳ ଓ ଭାରତ ହେଉଛି ବିଶ୍ୱ ଅଭିବୃଦ୍ଧିର କଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଚେନ୍ନାଇଠାରେ ଆନ୍ନା ବିଶ୍ୱବିଦ୍ୟାଳୟର ୪୨ତମ ସମାବର୍ତ୍ତନ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି। ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ସମ୍ମାନ ଗ୍ରହଣ କରୁଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ‘ଆଜି ଆନ୍ନା ବିଶ୍ୱବିଦ୍ୟାଳୟରୁ ୪୨ତମ ସମାବର୍ତ୍ତନ ସମାରୋହରେ ଯେଉଁମାନେ ସ୍ନାତକ ଉପାଧି ହାସଲ କରିଛନ୍ତି ସେ ସମସ୍ତଙ୍କୁ ଅଭିନନ୍ଦନ । ଆପଣମାନେ ସମସ୍ତେ ନିଜ ମନ ମଧ୍ୟରେ ନିଜର ଭବିଷ୍ୟତ ଗଠନ କରି ସାରିଥିବେ । ତେଣୁ ଆଜି କେବଳ ସଫଳତା ହାସଲ ଦିନ ନୁହେଁ ଆକାଂକ୍ଷାର ଦିନ’ ବୋଲି ସେ କହିଥିଲେ । ସେମାନଙ୍କୁ ଆସନ୍ତା କାଲିର ନେତା ଭାବେ ଅଭିହିତ କରି ବାପା-ମାଆ, ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କ ତ୍ୟାଗର ସେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଆନ୍ନା ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ହେବାର ସ୍ମୃତିଚାରଣ କରିଥିଲେ । ‘ତାଙ୍କର ଚିନ୍ତାଧାରା ଓ ମୂଲ୍ୟବୋଧ ସବୁବେଳେ ଆପଣମାନଙ୍କୁ ପ୍ରେରଣା ଦେଉ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-୧୯ ବୈଶ୍ୱିକ ମହାମାରୀ ଥିଲା ଏକ ଅଭୂତପୂର୍ବ ଘଟଣା । ଏହା ଗୋଟିଏ ଶତାବ୍ଦୀର ଜଟିଳ ପରିସ୍ଥିତି ଯାହାର କୌଣସି ନଥିପତ୍ର କାହାପାଖରେ ନଥିଲା । ପ୍ରତ୍ୟେକ ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଭାରତ ଏଭଳି ଅଜ୍ଞାତ ପରିସ୍ଥିତିକୁ ଗଭୀର ଆତ୍ମବିଶ୍ୱାସର ସହ ସାମ୍ନା କଲା। ନବୋନ୍ମେଷ ଏକ ଜୀବନଧାରା ପାଲଟିଯାଇଛି । ଗତ ଛଅ ବର୍ଷ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପସ ସଂଖ୍ୟା ୧୫ ହଜାର ପ୍ରତିଶତ ବୃଦ୍ଧି ପାଇଛି। ବୈଷୟିକ ଜନିତ ବାଧାବିଘ୍ନରେ ଭାରତ ସପକ୍ଷରେ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି । ପ୍ରଥମ ହେଲା ବୈଷୟିକ ଜ୍ଞାନ ନିମନ୍ତେ ରୁଚି ରହିଛି । ପ୍ରଯୁକ୍ତି ବିଦ୍ୟାର ଉପଯୋଗ ନେଇ ଏକ ଆରାମଦାୟକ ଅନୁଭୂତି ରହିଛି। ଗରିବରୁ ଗରିବତମ ବ୍ୟକ୍ତି ମଧ୍ୟ ଏହାକୁ ଆଦରି ନେଇଛି । ଦ୍ୱିତୀୟ ହେଲା ଯେଉଁମାନେ ବିପଦ ସମ୍ଭାବନାକୁ ନେଇଛନ୍ତି ସେମାନଙ୍କ ଉପରେ ଆସ୍ଥା ରହିଛି । ଆଗରୁ କୌଣସି ସାମାଜିକ ଉତ୍ସବରେ ଜଣେ ଯୁବକ ବା ଯୁବତୀ ନିଜକୁ ଜଣେ ଉଦ୍ୟୋଗପତି ଭାବେ ନିଜର ପରିଚୟ ପ୍ରଦାନ କରିବା ଅସୁବିଧା ହେଉଥିଲା। ବର୍ତ୍ତମାନ ସ୍ଥିତି ପୂରା ଓଲଟି ଯାଇଛି। ତୃତୀୟ କାରଣ ହେଲା ସଂସ୍କାର ପାଇଁ ମାନସିକତା। ଆମେ ଏହାର ପରିବର୍ତ୍ତନ କରିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଲେ, ଏକ ସବଳ ସରକାରର ଶକ୍ତି ଏକ ପ୍ରକାର ସ୍ଥିତିରେ ନିହିତ ଥାଏ ଯେ ଏହା କେବେ ସବୁ ଜାଣିବା ବା ସବୁ କରିବା ସମ୍ଭବ ନୁହଁ ବୋଲି ତାକୁ ବିନା ଦ୍ୱିଧାରେ ସ୍ୱୀକାର କରିଥାଏ । ସେଥିପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂସ୍କାର ଆସୁଛି ଓ ଜନସାଧାରଣଙ୍କ ମେଧାଶକ୍ତି ସେଥିରେ ଉପଯୋଗ ହେଉଛି। ଉପସଂହାରରେ ସେ କହିଥିଲେ ଯେ ‘ଆପଣମାନଙ୍କ ଅଭିବୃଦ୍ଧି ଭାରତର ଅଭିବୃଦ୍ଧି । ଆପଣମାନଙ୍କ ଶିକ୍ଷା ଦେଶର ଶିକ୍ଷା । ଆପଣମାନଙ୍କ ବିଜୟ ଦେଶର ବିଜୟ। ସମାରୋହରେ ପ୍ରଧାନମନ୍ତ୍ରୀ ୬୯ ଜଣ ସ୍ୱର୍ଣ୍ଣପଦକଧାରୀଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ତାମିଲନାଡୁ ରାଜ୍ୟପାଳ ଏନ୍ ରବି, ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ, କେନ୍ଦ୍ରମନ୍ତ୍ରୀ ଏଲ ମୁରୁଗନ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/modi-a.jpg)