ଭାରତ-ଚୀନ୍‌ ଆଲୋଚନା ଉପରେ ପୂରା ବିଶ୍ବର ନଜର, ଭାରତ ଉପରେ ଦୋଷ ଲଦିବାକୁ ଚୀନ୍‌ର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଲଦାଖ୍‌ର ଗଲୱାନ୍‌ ଉପତ୍ୟକାରେ ଘଟିଥିବା ସଂଘର୍ଷ ପାଇଁ ଚୀନ୍‌ ଭାରତକୁ ଦାୟୀ କରି ଆଜି ବିବୃତି ଜାରି କରିଛି। ସୀମାରେ ହଠାତ୍‌ ଉତ୍ତେଜନା ବଢ଼ିଯିବାପରେ ଚୀନ୍‌ ଭାରତକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରି ଭାରତୀୟ ସେନା ହିଁ ବାରମ୍ବାର ସୀମା ଅତିକ୍ରମଣ କରୁଥିବା ଅଭିଯୋଗ କରିଛି। ଚୀନ୍‌ କହିଛି ଯେ , ଭାରତୀୟ ସେନା ୨ଥର ଏହାର ସୀମା ଅତିକ୍ରମ କରି ଚୀନ୍‌ ସୈନିକଙ୍କ ଉପରକୁ ଆକ୍ରମଣ କରିଛି। ଭାରତ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯୋଗୁଁ ହିଁ ଉତ୍ତେଜନା ବଢ଼ୁଛି ବୋଲି ଚୀନ୍‌ ଦର୍ଶାଇବା ସହ ସମସ୍ୟାକୁ ଅଧିକ ନବଢ଼ାଇବା ପାଇଁ କହିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରି ଏହା କୁହାଯାଇଛି। ତେବେ ଚୀନ୍‌ର ଷଡ଼ଯନ୍ତ୍ର ଏବଂ ବିସ୍ତାରବାଦୀ ନୀତି ସଂପର୍କରେ ପୂରା ବିଶ୍ବ ଅବଗତ ଥିବା ବେଳେ ଭାରତ ଉପରେ ଦୋଷ ଲଦିବା ପାଇଁ ଚୀନ୍‌ର ଚାଲ୍‌ କାମ ଦେବନାହିଁ ବୋଲି କୂଟନୀତିଜ୍ଞମାନେ ମତ ଦେଇଛନ୍ତି। ଦୁଇ ଦେଶର ସାମରିକ ପ୍ରତିନିଧି ଦଳ ଏବେ ଉତ୍ତେଜନା ହ୍ରାସ କରିବାପାଇଁ ବୈଠକ ଜାରି ରଖିଥିବାରୁ ଏହା ଉପରେ ସମଗ୍ର ବିଶ୍ବର ନଜର ରହିଛି। ଦୁଇ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ମଧ୍ୟରେ ଏଭଳି ଉତ୍ତେଜନା ୧୯୬୨ ପରେ ପ୍ରଥମ ବୋଲି ଜଣାପଡ଼ଇଛି।

ସମ୍ବନ୍ଧିତ ଖବର