ବ୍ୟାଙ୍କ କଷ୍ଟମର କେୟାରକୁ ଫୋନ୍‌ କରି ୧୬ ଲକ୍ଷ ହରାଇଲେ ମହିଳା

ନୂଆଦିଲ୍ଲୀ: ଏକ ଅଗ୍ରଣୀ ଘରୋଇ ବ୍ୟାଙ୍କର କଷ୍ଟମର କେୟାରକୁ ଫୋନ୍‌ କରି ଗୁରୁଗ୍ରାମର ଜଣେ ମହିଳା ଗ୍ରାହକ ପ୍ରାୟ ୧୬ ଲକ୍ଷ ଟଙ୍କା ହରାଇଛନ୍ତି। ଆକାଉଣ୍ଟ ସଂପର୍କିତ ସମସ୍ୟାର ସମାଧାନ ପାଇଁ ସଂପୃକ୍ତ ମହିଳା ଗ୍ରାହକ ବ୍ୟାଙ୍କର କଷ୍ଟମର କେୟାରକୁ ଫୋନ କରିଥିଲେ। ଏହାପରେ ବ୍ୟାଙ୍କର ପ୍ରତିନିଧି ବୋଲି ପରିଚୟ ଦେଇ ଦୁଇ ଜଣ ବ୍ୟକ୍ତି ଗ୍ରାହକଙ୍କ ନିକଟକୁ ଫୋନ୍ କରି ତାଙ୍କ ଆକାଉଣ୍ଟରୁ ପ୍ରାୟ ୧୬ ଲକ୍ଷ ଟଙ୍କା ଠକି ନେଇଛନ୍ତି।

ପୁଲିସର କହିବାନୁଯାୟୀ, ଗୁରୁଗ୍ରାମର ସେକ୍ଟର ୫୩ରେ ବାସ କରୁଥିବା ମହିଳାଜଣକ ଗତ ନଭେମ୍ବରରେ ତାଙ୍କ ଆକାଉଣ୍ଟ ସଂପର୍କରେ କଷ୍ଟମର କେୟାରରେ ଅଭିଯୋଗ କରିଥିଲେ। ଗତ ନଭେମ୍ବରରେ ସେକ୍ଟର-୫୩ର ବାସିନ୍ଦା ପୂର୍ଣ୍ଣିମା ଆନନ୍ଦ ଏକ ଘରୋଇ ବ୍ୟାଙ୍କର କଷ୍ଟମର କେୟାର ନମ୍ବର ବିରୋଧରେ ଅଭିଯୋଗ କରିଥିଲେ। ନଭେମ୍ବର ୧୨ରେ ସେ ରାହୁଳ ଶର୍ମା ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍‌ କଲ୍‌ ପାଇଥିଲେ। ରାହୁଳ ତାଙ୍କୁ ଏନି ଡେସ୍କ ଆପ୍‌ ଫୋନ୍‌ରେ ଡାଉନ୍‌ଲୋଡ୍‌ କରିବାକୁ କହିଥିଲା। ଏହି କଲ୍ କରିବା ସମୟରେ ସଂପୃକ୍ତ ବ୍ୟକ୍ତିଜଣକ ମହିଳାଙ୍କ ବ୍ୟାଙ୍କ ଖାତାରୁ ଏକ ଋଣ ଆବେଦନ କରିଥିଲେ। ତାହା ପରେ ସେହି ଆକାଉଣ୍ଟରୁ ବିଭିନ୍ନ ଅନଲାଇନ୍‌ ୱାଲେଟକୁ ୧୩.୧୫ ଲକ୍ଷ ସ୍ଥାନାନ୍ତର କରିଦେଇଥିଲେ। ଗ୍ରାହକଙ୍କ ଆକାଉଣ୍ଟରୁ ଯାଇଥିବା ଏହି ଟଙ୍କା ସଂପର୍କରେ ବ୍ୟାଙ୍କ ପକ୍ଷରୁ ‌ତାଙ୍କୁ କୋଣସି ସୂଚନା ଯାଇ ନଥିଲା। ତେଣୁ ସେ ଏହି କାରବାର ସଂପର୍କରେ ଜାଣି ପାରି ନଥିଲେ। ପୁନର୍ବାର ନଭେମ୍ବର ୨୫ରେ ସୁଜିତ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କ ପ୍ରତିନିଧିର ପରିଚୟ ଦେଇ ଗ୍ରାହକଙ୍କୁ ଫୋନ କରିଥିଲେ। ରାହୁଳ ଭଳି ସେ ମଧ୍ୟ ମହିଳାଙ୍କ ଆକାଉଣ୍ଟରୁ ୩ ଲକ୍ଷ ଉଠାଇ ନେଲା। ଏହାପରେ ସନ୍ଦେହ ହେବାରୁ ପୂର୍ଣ୍ଣିମା ବ୍ୟାଙ୍କକୁ ଯାଇ ଦେଖନ୍ତି ତାଙ୍କ ଆକାଉଣ୍ଟରୁ ପାଖାପାଖି ୧୬ ଲକ୍ଷ ଟଙ୍କା ଗାଏବ ହୋଇଛି। ଏ ନେଇ ସେ ସାଇବର ଥାନାରେ ଠକେଇ ମାମଲା ରୁଜୁ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର