ବାଗଲକୋଟ : କର୍ଣ୍ଣାଟକର ବାଗଲକୋଟଠାରେ ଜଣେ ମୁସଲମାନ ମହିଳା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ ଗାଡ଼ି ଉପରକୁ ଟଙ୍କା ଫୋପାଡ଼ିଛନ୍ତି। କେରୁର ହିଂସାରେ ଆହତ ହୋଇଥିବା ତାଙ୍କ ସ୍ବାମୀଙ୍କ ପାଇଁ ରିଲିଫ ସ୍ବରୂପ କଂଗ୍ରେସ ନେତା ସିଦ୍ଦାରାମାୟା ତାଙ୍କୁ ୨ ଲକ୍ଷ ଟଙ୍କା ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବାଗଲକୋଟଠାରେ ଥିବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଦେଖା କରିବାକୁ ଆସିଥିବା ବେଳେ ବୁର୍ଖା-ପିନ୍ଧା ମହିଳାଜଣକ ତାଙ୍କ ଗାଡ଼ିକୁ ଟଙ୍କା ଫୋପାଡ଼ିଥିଲେ। ଏହି ଟଙ୍କା ଫିଙ୍ଗାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ସୂଚନାଯୋଗ୍ୟ ଇଭ୍ ଟିଜିଂକୁ କେନ୍ଦ୍ରକରି ଜୁଲାଇ ୬ ତାରିଖରେ ତିନିଜଣ ହିନ୍ଦୁ ଯୁବକଙ୍କୁ ଛୁରି ଭୁଷାଯାଇଥିଲା। ଏହାର ପ୍ରତିକ୍ରିୟାରେ ମୁସଲମାନଙ୍କ ଉପରେ ଆକ୍ରମଣ ହୋଇଥିଲା ଏବଂ ସେମାନଙ୍କ ଦୋକାନବଜାର ଆଦି ଭଙ୍ଗାଯାଇଥିଲା।
ମହିଳାଙ୍କ କହିବା କଥା ହେଲା- ଆମେ ନ୍ୟାୟ ଚାହୁଁ, କ୍ଷତିପୂରଣ କି ସମବେଦନା ନୁହେଁ। ମୋ ପ୍ରତି ଯାହା ଘଟିଲା ତାହା ଆଉ କାହା ପ୍ରତି ନ ଘଟୁ। ସିଦ୍ଦରାମାୟା ବା ଆଉ କାହା ପାଖରୁ ମୁଁ ସବୁବେଳେ ଭିକ ମାଗିପାରିବି ନାହିଁ, ସେମାନେ ଯେମିତି ଭୋଟ ପାଇଁ ଭିକ ମାଗୁଛନ୍ତି। ହିଂସାରେ ଆହତ ମୋ ସ୍ବାମୀଙ୍କୁ ଅତି କମ୍ରେ ଗୋଟିଏ ବର୍ଷ ବିଶ୍ରାମ (ବେଡ୍ରେଷ୍ଟ) ନେବାକୁ ପଡ଼ିବ। ସେତେ ଦିନ ଯାଏ କିଏ ଆମ ପରିବାରର ଯତ୍ନ ନେବ? ତେଣୁ ଏ ଭିକରୁ ଆମକୁ କ’ଣ ମିଳିବ, ଆମକୁ ନ୍ୟାୟ ଦରକାର ବୋଲି ହିଂସାରେ ଗୁରୁତର ଆହତ ମହମ୍ମଦ ହନିଫଙ୍କ ସ୍ତ୍ରୀ କହିଛନ୍ତି। ଆଉ ଏକ ଘଟଣାରେ ରଫିକ ନାମକ ଆଉ ଜଣେ ମସୁଲମାନ ଯୁବକର ଭଉଣୀ ମଧ୍ୟ ସିଦ୍ଧାରାମାୟାଙ୍କଠାରୁ ସାହାଯ୍ୟ ନେବାକୁ ମନା କରିଦେଇଥିବା ଜଣାପଡ଼ିଛି।
ସିଦ୍ଧରାମାୟାଙ୍କୁ ଏ ବିଷୟରେ ପ୍ରଶ୍ନ କରାଯିବାରୁ ସେ କହିଲେ ଯେ ତାଙ୍କର ବ୍ୟକ୍ତିଗତ କ୍ଷମତାରେ ସେ ପୀଡ଼ିତ ପରିବାରକୁ ସାହାଯ୍ୟ କରିଥିଲେ। କିନ୍ତୁ ସେମାନେ ନ୍ୟାୟ ଚାହୁଛନ୍ତି। କର୍ଣ୍ଣାଟକର ବିଜେପି ସରକାର ଘଟଣାର ନିରପେକ୍ଷ ତଦନ୍ତ କରି ପୀଡ଼ିତ ପରିବାରଗୁଡ଼ିକୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/www-1.jpg)