ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ତୃତୀୟ ଦିବସରେ ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇଛି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ବିଲ୍‌କୁ ନେଇ ୮ ଘଣ୍ଟାର ବିତର୍କ ପରେ ଭୋଟ୍‌ ଗ୍ରହଣ ହୋଇଥିଲା। ବିଲ୍‌କୁ ବିପୁଳ ସମର୍ଥନ ମିଳିଥିଲା ଏବଂ ଏହା ସପକ୍ଷରେ ୪୫୪ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ମାତ୍ର ୨ଟି ଭୋଟ୍‌ ପଡ଼ିଥିଲା। ଏଆଇଏମ୍‌ଆଇଏମ୍‌ର ୨ ସାଂସଦ ଅସଦ୍‌ଉଦ୍ଦିନ ଅୱେସି ଓ ଇମ୍‌ତିୟାଜ ଜଲିଲ୍‌ ବିଲ୍‌କୁ ବିରୋଧ କରି ଭୋଟ୍‌ ଦେଇଥିଲେ। ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍‌କୁ ଅନୁମୋଦନ କରିଥିବା ବେଳେ ଗତକାଲି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍‌କୁ ଲୋକସଭାରେ ଆଗତ କରିଥିଲେ। ଏହି ବିଲ୍‌ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’। ଗତକାଲି ବିଲ୍‌ ଲୋକସଭାରେ ଆଗତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ସେପ୍‌ଟେମ୍ବର ୧୯ ଭାରତର ସଂସଦୀୟ ଇତିହାସରେ ଏକ ‘ଐତିହାସିକ ଦିବସ’। ଏହି ବିଲ୍‌କୁ ଗୃହୀତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ସବୁ ଦଳର ସମର୍ଥନ ଲୋଡ଼ିଥିଲେ। ଆଜି ବିଲ୍‌ ଉପରେ ଜୋରଦାର ବିତର୍କ ପରେ ଏହା ପାରିତ ହୋଇଥିଲା ଏବଂ ଆସନ୍ତାକାଲି ରାଜ୍ୟସଭାରେ ଏହି ବିଲ୍‌ ଆଗତ ହେବ।

Advertisment

ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ପ୍ରଥମ ଜନଗଣନା ଆଧାରରେ ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ଆଜି ଲୋକସଭାରେ ସରକାର ସ୍ପଷ୍ଟ କରିଦେଇଥିଲେ ଯେ କୌଣସି ବୈଷୟିକ ବ୍ୟବସ୍ଥା ବାହାନାରେ ବିଲ୍‌କୁ ଅଟକି ରହିବାକୁ ଦିଆଯିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବିତର୍କରେ ଭାଗ ନେଇ ବିଲ୍‌ରେ ଓବିସି ବର୍ଗର ମହିଳାଙ୍କ ପାଇଁ ପୃଥକ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। କଂଗ୍ରେସ ସାଂସଦମାନେ ଜନଗଣନା ଏବଂ ସୀମାପୁନଃନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ପ୍ରୟାସ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଥିଲେ ଯେ ଲୋକସଭା ନିର୍ବାଚନ ପରେ ତୁରନ୍ତ ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାଣଣ ପ୍ରକ୍ରିୟା ଆରମ୍ଭ କରାଯିବ।

ସୂଚନାଯୋଗ୍ୟ ଯେ ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ମହିଳା ସଂରକ୍ଷଣ ବିଲ୍‌ ଦୀର୍ଘ ୨୭ ବର୍ଷ ଧରି ଲଟକି ରହିଥିଲା ଏବଂ ଏ ବାବଦରେ ସହମତି ହୋଇପାରୁନଥିଲା। ତେବେ ମହିଳମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ସରକାର ବଦ୍ଧପରିକର ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ସହ ବିଲ୍‌ ଉପରେ ଆଜି ପୂର୍ବାହ୍ନ ୧୧ଟାରୁ ବିତର୍କ ଆରମ୍ଭ ହୋଇଥିଲା। ବିଲ୍ ଲୋକସଭା, ଦିଲ୍ଲୀ ବିଧାନସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କୁ ୩୩% ସଂରକ୍ଷଣ ପ୍ରଦାନ କରିବ। କିନ୍ତୁ ରାଜ୍ୟସଭା କିମ୍ବା ରାଜ୍ୟ ବିଧାନ ପରିଷଦଗୁଡ଼ିକ ପ୍ରତି ଏହି କୋଟା ପ୍ରଯୁଜ୍ୟ ହେବ ନାହିଁ। ଏହି କୋଟାରୁ ଏକତୃତୀୟାଂଶ ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ।

ଆସନ୍ତା ଜନଗଣନା ତଥ୍ୟ ପ୍ରକାଶ ପାଇବା ପରେ ଏବଂ ପୁନଃସୀମାନିର୍ଦ୍ଧାରଣ ପ୍ରକ୍ରିୟ‌ା ଶେଷ ହେବା ପରେ ମହିଳାଙ୍କ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ଜଣାପଡ଼ିଛି। ରାଜ୍ୟ ଓ ଜାତୀୟସ୍ତରରେ ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କ ସମ୍ପୃକ୍ତି ବୃଦ୍ଧି କରିବା ଏହି ବିଲ୍‌ର ଉଦ୍ଦେଶ୍ୟ। ଗତ ୨୭ ବର୍ଷ ଧରି ଏହି ବିଲ୍‌ ପାସ୍ ପାଇଁ ଉଦ୍ୟମ ହୋଇ ଆସିଥିବାରୁ ଏବେ ବିଲ୍‌ ଗୃହୀତ ହେବାର ଶ୍ରେୟ ନେବାପାଇଁ କଂଗ୍ରେସ ଓ ବିଜେପି ସଂସଦରେ ମୁହାଁମୁହିଁ ହୋଇଛନ୍ତି। ୨୦୧୦ ମସିହାରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ହୋଇଥିଲା। କିନ୍ତୁ ଲୋକସଭାରେ ଗୃହୀତ ହୋଇ ନ ପାରିବାରୁ ଏହା ଆଇନରେ ପରିଣତ ହୋଇପାରି ନ ଥିଲା।