ନୂଆଦିଲ୍ଲୀ: ସମ୍ପ୍ରତି ପ୍ରକାଶିତ ବିଶ୍ବ ଖୁସି ସୂଚକାଙ୍କରେ ଭାରତ ୧୨୬ତମ ସ୍ଥାନରେ ରହିଛି। ଏସ୍ବିଆଇ ଇକୋରାପ ଦ୍ବାରା ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ରିପୋର୍ଟ ତ୍ରୁଟିପୂର୍ଣ୍ଣ, ଭାରତ ୪୮ତମ ସ୍ଥାନରେ ରହିବା କଥା, ୧୨୬ତମ ସ୍ଥାନରେ ନୁହେଁ। ୧୩୪ଟି ଦେଶ ମଧ୍ୟରୁ ଏହି ସୂଚକାଙ୍କରେ ଭାରତକୁ ସବା ତଳେ ସ୍ଥାନ ଦିଆଯାଇଛି, ଯାହା ଆଦୌ ଗ୍ରହଣୀୟ ନୁହେଁ। ଭାରତର ରୢାଙ୍କ ନିରୂପଣ କଲାବେଳେ କେତେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ବିଚାରକୁ ନିଆଯାଇ ନାହିଁ ବୋଲି ଏଥିରେ ଅଭିଯୋଗ କରାଯାଇଛି।
ଏହି ତାଲିକାରେ ଯୁଦ୍ଧ-ପୀଡ଼ିତ ୟୁକ୍ରେନ୍ ୯୨ତମ ସ୍ଥାନରେ ଥିବା ବେଳେ ଗୁରୁତର ଆର୍ଥିକ ଓ ରାଜନୈତିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଓ ପାକିସ୍ତାନର ସ୍ଥାନ ଯଥାକ୍ରମେ ୧୧୨ ଓ ୧୦୮ ରହିଛି। ଭାରତ କ’ଣ କେବେ ଏମାନଙ୍କ ତଳେ ରହିପାରେ? ଅଧିକ ଭଲ ରୢାଙ୍କ ରଖିଥିବା ଦେଶଗୁଡ଼ିକର କେତେକ ଗୁରୁତ୍ବପୂର୍ଣ୍ଣ ଦିଗକୁ ଅଣଦେଖା କରାଯାଇଛି। ଯେଉଁ ଦେଶରେ ରାସ୍ତାଘାଟ, ସ୍କୁଲ, ମଲ ପ୍ରଭୃତିରେ ଲୋକଙ୍କୁ ବନ୍ଧୁକରେ ଆକ୍ରମଣ କରି ମାରିଦିଆଯାଉଛି, ସେ ଦେଶ ବି ରୢାଙ୍କରେ ଉପରେ ଅଛନ୍ତି।
ଯେଉଁ ଦେଶରେ ଗୃହଯୁଦ୍ଧ ଲାଗିଛି, ଯେଉଁଠି ପେନସନ ଓ ଚାକିରିକୁ ନେଇ ଲୋକମାନେ ସରକାର ବିରୋଧରେ ଆନ୍ଦୋଳନ କରୁଛନ୍ତି, ଯେଉଁଠି ଏକଚ୍ଛତ୍ରବାଦୀ ସାମରିକ ଶାସନ ଚାଲିଛି, ଯେଉଁଠି ସାଧାରଣ ନାଗରିକଙ୍କ ପାଇଁ ସ୍ବାଧୀନତା ବୋଲି କିଛି ନାହିଁ, ସେ ଦେଶ ବି ଭାରତଠାରୁ ଉପରେ ଅଛନ୍ତି ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଇକୋନମିକ ରିସର୍ଚ୍ଚ ଡିପାର୍ଟମେଣ୍ଟ ବା ଏସ୍ବିଆଇ ଇକୋରାପ ରିପୋର୍ଟରେ ପ୍ରକାଶ କରିଛି। ଏସ୍ବିଆଇ ରିପୋର୍ଟରେ କୁହାଯାଇଛି ଯେ ଖୁସି ହେଉଛି ଏକ ସବ୍ଜେକ୍ଟିଭ୍ ବା ବ୍ୟକ୍ତିନିଷ୍ଠ ବିଷୟ ଯାହା ବ୍ୟକ୍ତିର ମାନସିକ ଭାବନା ଉପରେ ନିର୍ଭର କରେ। ତାହାର ପରିମାପ ସହଜ ନୁହେଁ। ସାରା ବିଶ୍ବର ଖୁସିକୁ ଗୋଟିଏ ଯବକାଚରେ ଦେଖିବା ଠିକ୍ ନୁହେଁ। ସମସ୍ତେ ସମାନ ବସ୍ତୁ ଦ୍ବାରା ସମାନ ଖୁସି ପାଇ ନ ଥାନ୍ତି। ୨୦୨୩ ମସିହା ଖୁସି ସୂଚକାଙ୍କ ଗ୍ୟାଲପ ୱାର୍ଲଡ ପୋଲ ତଥ୍ୟ ଦ୍ବାରା କ୍ଷମତାପ୍ରାପ୍ତ ସଷ୍ଟେନେବ୍ଲ ଡେଭ୍ଲପ୍ମେଣ୍ଟ ସଲ୍ୟୁସନ୍ସ ନେଟ୍ୱାର୍କ ଦ୍ବାରା ପ୍ରକାଶ ପାଇଛି, ଯେଉଁଥିରେ ଅନେକ ତ୍ରୁଟି ରହିଛି ବୋଲି ଏସ୍ବିଆଇ ରିପୋର୍ଟରେ କୁହାଯାଇଛି।