ଆମେରିକା-ରୁଷ୍ ଉତ୍ତେଜନାରେ ଫସିଲା ବିଶ୍ୱ: ମହାକାଶରୁ ଖସିବ କି ପରମାଣୁ ଅସ୍ତ୍ର?

ନୂଆଦିଲ୍ଲୀ: ଦୁଇତିନି ଦିନ ହେବ ସମଗ୍ର ବିଶ୍ୱରେ ଏକ ନୂଆ ଚର୍ଚ୍ଚା ଚାଲିଛି। ମହାକାଶରେ ଅଛି ପରମାଣୁ ଅସ୍ତ୍ର। କିନ୍ତୁ ପ୍ରଶ୍ନ ଉଠୁଛି, ମହାକାଶରେ ଏଭଳି ଅସ୍ତ୍ରଶସ୍ତ୍ର ଅଛି କି? ପୃଥିବୀର ଶକ୍ତିଶାଳୀ ଦେଶମାନଙ୍କ ପାଖରେ ଏଭଳି ଅସ୍ତ୍ରଶସ୍ତ୍ର ଅଛି କି, ଯାହାକୁ ମହାକାଶରୁ ଉତ୍‌କ୍ଷେପଣ କରାଯାଇପାରିବ? ଆସନ୍ତୁ ଜାଣିବା ପ୍ରକୃତରେ କୌଣସି ଦେଶକୁ ନିପାତ କରିବା ପାଇଁ ମହାକାଶରୁ ଅସ୍ତ୍ର ବ୍ୟବହାର କରାଯାଇପାରିବ କି ନାହିଁ । ଆମେରିକା ଓ ଜାପାନ ଭଳି ଦେଶ ମହାକାଶରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଚାହୁନାହାନ୍ତି। ନିକଟରେ ମିଳିତ ଜାତିସଂଘରେ ବାହ୍ୟ ମହାକାଶ ଚୁକ୍ତି ଉପରେ ମତଦାନ ହୋଇଥିଲା। ସପକ୍ଷରେ ୧୩ଟି ଭୋଟ୍ ପଡ଼ିଥିଲା। କିନ୍ତୁ ରୁଷିଆ ଭିଟୋ ବ୍ୟବହାର କରିଥିଲା। ଭୋଟ୍ ଦେବାରୁ ଚୀନ୍ ବିରତ ରହିଥିଲା। ବିଶ୍ୱାସ କରାଯାଏ ଯେ ରୁଷ୍ ଏପରି ଏକ ଉପଗ୍ରହ ତିଆରି କରୁଛି ଯାହା ପରମାଣୁ ଅସ୍ତ୍ର ନେଇ ମହାକାଶକୁ ଯାଇପାରିବ। ସ୍ପେସ୍ ୱିପନ (ମହାକାଶ ଅସ୍ତ୍ର)ର ଅର୍ଥ ହେଉଛି ମହାକାଶରୁ ନିକ୍ଷେପ କରାଯାଉଥିବା ଅସ୍ତ୍ରଶସ୍ତ୍ର। ଲକ୍ଷ୍ୟ ପୃଥିବୀର କୌଣସି ଦେଶ ବା ସ୍ଥାନ କିମ୍ବା କୌଣସି ଦେଶର ଉପଗ୍ରହ କିମ୍ବା ମହାକାଶରେ ଥିବା ମହାକାଶ ଷ୍ଟେସନ। ଏପରି ଅସ୍ତ୍ରଶସ୍ତ୍ର ଦ୍ୱାରା ମହାକାଶରୁ ବାଲିଷ୍ଟିକ୍ ଓ କ୍ରୁଜ୍ କ୍ଷେପଣାସ୍ତ୍ରକୁ ଧ୍ବଂସ କରାଯାଇପାରିବ। ଆମେରିକା ଓ ସୋଭିଏତ୍ ୟୁନିୟନ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ସମୟରେ ଏଭଳି ଅସ୍ତ୍ରଶସ୍ତ୍ରର ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଛି ଯେ, ସେହି ସମୟରେ ଏହି ଦୁଇ ଦେଶ ଏଭଳି ଅସ୍ତ୍ରଶସ୍ତ୍ରର ଡିଜାଇନ୍ ପ୍ରସ୍ତୁତ କରିଥିଲେ।

କୌଣସି ଦେଶ ପାଖରେ ଏଭଳି ଅସ୍ତ୍ରଶସ୍ତ୍ର ଅଛି କି?
ସୋଭିଏତ ୟୁନିୟନ ସମୟରେ ଅଲମାଜକୁ ସିକ୍ରେଟ୍ ମିଲିଟାରୀ ସ୍ପେସ୍ ଷ୍ଟେସନ ଭାବରେ ନିର୍ମାଣ କରାଯାଇଥିଲା। ଏଥିରେ ଅତି ଶକ୍ତିଶାଳୀ ‘ଅଟୋକାନନ’(ସମ୍ପୂର୍ଣ୍ଣ ସ୍ବୟଂଚାଳିତ କ୍ଷେପଣାସ୍ତ୍ର) ଥିଲା। ଯାହାଦ୍ୱାରା ଏହା ଉପରେ ଆକ୍ରମଣ କିମ୍ବା ଟାର୍ଗେଟକୁ ନିପାତ କରାଯାଇପାରିବ। ଇତିହାସରେ ଏହା ହେଉଛି ଏକମାତ୍ର ଅସ୍ତ୍ର, ଯାହାକୁ ମହାକାଶରେ ମୁତୟନ କରାଯାଇଥିଲା। ଏହାବ୍ୟତୀତ ସୋଭିଏତ ୟୁନିୟନ ‘ପୋଲିଅସ୍’ ନାମକ ଏକ ମହାକାଶ ଅସ୍ତ୍ର ପ୍ଲାଟଫର୍ମ ତିଆରି କରିଥିଲା, ଯାହା ଏକ ଲେଜର ଅସ୍ତ୍ର ଥିଲା। ତେବେ ସୋଭିଏତ ୟୁନିୟନ ଏହାକୁ ମହାକାଶରେ ମୁତୟନ କରିଛି କି ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ।

ମହାକାଶକୁ ପରମାଣୁ ଅସ୍ତ୍ର ପଠାଯାଇ ପାରିବ କି?
୧୯୬୭ର ବାହ୍ୟ ମହାକାଶ ଚୁକ୍ତି, ଯେଉଁଥିରେ ରୁଷ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା ସମେତ ସମସ୍ତ କ୍ଷମତାଶାଳୀ ଦେଶ ସ୍ବାକ୍ଷର କରିଥିଲେ, ସେଥିରେ କୌଣସି ଦେଶ ମହାକାଶରେ ପରମାଣୁ ଅସ୍ତ୍ରଶସ୍ତ୍ର କିମ୍ବା ସାମୂହିକ ବିନାଶକାରୀ ଅସ୍ତ୍ର ମୁତୟନ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯଦି ମହାକାଶରେ ପରମାଣୁ ବିସ୍ଫୋରଣ ହୁଏ, ତେବେ ଏହା ପୃଥିବୀ କିମ୍ବା ଏଠାରେ ରହୁଥିବା ମଣିଷ କିମ୍ବା ଜୀବଜନ୍ତୁଙ୍କ ପ୍ରତି ସିଧାସଳଖ କ୍ଷତି ପହଞ୍ଚାଇ ନ ଥାଏ।

ପୃଥିବୀରୁ ମହାକାଶକୁ ଯାଉଥିବା ଅସ୍ତ୍ରଶସ୍ତ୍ର
ଭାରତ, ଆମେରିକା, ଚୀନ୍ ଓ ରୁଷ୍ ଭଳି ବିଶ୍ୱର ଅନେକ ଦେଶ ପାଖରେ ଆଣ୍ଟି-ସାଟେଲାଇଟ୍ ଅସ୍ତ୍ର ରହିଛି। ଅର୍ଥାତ୍ ପୃଥିବୀରୁ କ୍ଷେପଣାସ୍ତ୍ର ନିକ୍ଷେପ କରି ଉପଗ୍ରହକୁ ମହାକାଶରେ ନଷ୍ଟ କରି ଖସାଇ ପାରିବେ। ଏଭଳି ଅସ୍ତ୍ରଶସ୍ତ୍ରରେ ବିସ୍ଫୋରକ ଓ କାଇନେଟିକ୍ କିଲ୍ ବ୍ୟବହାର କରାଯାଏ। କାଇନେଟିକ୍ କିଲ୍‌ର ଅର୍ଥ ହେଉଛି ବିନା ଅସ୍ତ୍ରରେ କୌଣସି ଉପଗ୍ରହ ଉପରେ ସିଧାସଳଖ କ୍ଷେପଣାସ୍ତ୍ର ମାଡ଼ କରିବା।

ସମ୍ବନ୍ଧିତ ଖବର