୫ ଟିକା ଉପରେ ବିଶ୍ବର ନଜର: ୧୯୦ ପ୍ରକାର ଟିକାର ବିକାଶ ଜାରି ରହିଛି

ନୂଆଦିଲ୍ଲୀ: ମହାମାରୀ କୋଭିଡ୍‌-୧୯ ଦ୍ବାରା ସାରା ବିଶ୍ବରେ ଅଦ୍ୟାବଧି ପାଖାପାଖି ୨ କୋଟି ୪୪ଲକ୍ଷ ଲୋକ ସଂକ୍ରମିତ ହେବା ସହ ୮ଲକ୍ଷ ୩୧ ହଜାରରୁ ଅଧିକ ଆଖି ବୁଜିଲେଣି। କିଛି ଦେଶରେ ମଧ୍ୟ ଦ୍ବିତୀୟ ପର୍ୟ୍ୟାୟ ସଂକ୍ରମଣ ଆରମ୍ଭ ନେଇ ଚର୍ଚ୍ଚା ହେଉଛି। କରୋନା ଭୂତାଣୁ ସାର୍ସ-କୋଭ୍-୨ର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ବିଶ୍ବବ୍ୟାପୀ ଏହାର ମୁକାବିଲା ପାଇଁ ସମ୍ପ୍ରତି ଅତି କମ୍‌ରେ ୧୯୦ଟି ଟିକାର ବିକାଶ ଜାରି ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ମୁତାବକ, ସେଥିରୁ ୨୮ଟି ସମ୍ଭାବ୍ୟ ଟିକା ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚିଥିବା ବେଳେ ଚୂଡ଼ାନ୍ତ ପରୀକ୍ଷଣ ଚଳାଇଥିବା ଅତି କମ୍‌ରେ ୫ଟି ବହୁ ପ୍ରତୀକ୍ଷିତ ଟିକା ଉପରେ ଏବେ ବିଶ୍ବବାସୀଙ୍କ ନଜର ରହିଛି। ଯେତେ ଶୀଘ୍ର ସେଥିରୁ କେମିତି ଗୋଟିଏ ଟିକା ମିଳିଯିବ ବୋଲି ପ୍ରତ୍ୟେକ ରାଷ୍ଟ୍ର ଚାତକ ପରି ଚାହି ବସିଛନ୍ତି। ଟିକାଗୁଡ଼ିକ ଭିତରୁ ସର୍ବାଗ୍ରେ ରହିଛି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ସିଏଚ୍‌ଏଡିଓଏକ୍ସ୧ ନାମକ ଟିକା। ଅନ୍ୟତ୍ର ଏହାର ତୃତୀୟ ବା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଶେଷ ହେବାକୁ ବସିଥିବା ବେଳେ ଭାରତରେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଛି।

ପୁଣେ ସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ‘କୋଭିସିଲ୍‌ଡ’ ନାମରେ ଉକ୍ତ ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିଥିବା ବେଳେ ଦେଶର ୧୭ଟି ଡାକ୍ତରଖାନାରେ ଏହା ସଂପନ୍ନ କରିବାକୁ ଲକ୍ଷ୍ୟ ରଖିଛି। ବର୍ଷ ଶେଷ ଆଡ଼କୁ ଏହି ଟିକା ବଜାରରେ ମିଳିଯିବ ବୋଲି ଆଶା ରଖାଯାଇଥିବା ବେଳେ ଏହାର ମୂଲ୍ୟ ୪ ଡଲାର ବା ୨୯୫ ଟଙ୍କା ଭିତରେ ରହିବା ଅନୁମାନ କରାଯାଉଛି। ସେହିପରି ଆମେରିକୀୟ ଭେଷଜ କମ୍ପାନି ମଡର୍ଣ୍ଣା ଦ୍ବାରା ବିକଶିତ ଏମ୍‌ଆର୍‌ଏନ୍‌ଏ-୧୨୭୩ ନାମକ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଅଧୁନା ୩,୦୦୦ ସ୍ବେଚ୍ଛାସେବୀଙ୍କ ଠାରେ ଜାରି ରହିଛି। ସେପ୍ଟେମ୍ବର ଶେଷ ସୁଦ୍ଧା ଏହାର ଫଳାଫଳ ମିଳିବାକୁ ଥିବା ବେଳେ ଡିସେମ୍ବର ସୁଦ୍ଧା ଏହା ସାର୍ବଜନୀନ ବ୍ୟବହାର ପାଇଁ ମିଳିବା ଆଶା ରହିଛି। ତେବେ ଏହାର ଦର ୧,୮୦୦ ଟଙ୍କାରୁ ୨,୩୦୦ ଟଙ୍କା ଭିତରେ ରହିବ ବୋଲି ଜଣାଯାଇଛି।

ଅପରପକ୍ଷେ, ଚୀନ କମ୍ପାନି ସିନୋଫାର୍ମ ଦ୍ବାରା ବିକଶିତ ଏକ ଟିକାର ଚୂଡ଼ାନ୍ତ ପରୀକ୍ଷଣ ସଂଯୁକ୍ତ ଆରବରେ ଚାଲିଛି। ନାମ ଘୋଷିତ ହୋଇନଥିବା ଏହି ଟିକା ଚଳିତ ବର୍ଷ ଶେଷ ବେଳକୁ ମିଳିବ ବୋଲି ଆଶା କରାଯାଉଥିବା ବେଳେ ଏହାର ଦୁଇଟି ମାତ୍ରାର ମୂଲ୍ୟ ୧୦,୭୦୦ ଟଙ୍କା ପଡ଼ିବ ବୋଲି ଆକଳନ କରାଯାଇଛି। ସେହିପରି ଚୀନର ଅନ୍ୟତମ କମ୍ପାନି ପକ୍ଷରୁ ମଧ୍ୟ ବିକଶିତ ଏଡି୫ଏନ୍‌କୋଭ୍‌ ନାମକ ଟିକା ଅନୁରୂପ ଭାବେ ଡିସେମ୍ବର ଶେଷ ଆଡ଼କୁ ମିଳିଯିବାକୁ ଥିବା ବେଳେ ଏହାର ଦର ସମ୍ପର୍କରେ କିଛି ସୂଚନା ଦିଆଯାଇନାହିଁ। ଏହି ଟିକା ବିକାଶରେ ସାମିଲ ହୋଇଥିବା ରୁଷିଆ ମଧ୍ୟ ‘ସ୍ପୁଟନିକ୍‌-ଭି’ ନାମକ ଟିକାର ଲୋକାର୍ପଣ କରିସାରିଛି। ଗମାଲେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ୍‌ ମାଇକ୍ରୋବାୟୋଲୋଜି ଦ୍ବାରା ବିକଶିତ ଉକ୍ତ ଟିକାର ବ୍ୟାବସାୟିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ଏହାର ସର୍ବାଙ୍ଗୀନ ନିରାପତ୍ତା ତଥା ଫଳପ୍ରଦତାକୁ ନିଶ୍ଚିତ କରିବା ପାଇଁ ଏହାର ବିକ୍ଷିପ୍ତ ଗଣପରୀକ୍ଷଣରେ ଦେଶର ୪୫ଟି ଚିକିତ୍ସା କେନ୍ଦ୍ରରେ ୪୦ ହଜାରରୁ ଅଧିକ ସ୍ବେଚ୍ଛାସେବୀ ସାମିଲ ହେବେ ବୋଲି ସୂଚନା ମିଳିଛି। ଏହା ସେପ୍ଟେମ୍ବର ବେଳକୁ ବଜାରରେ ଉପଲବ୍‌ଧ ହୋଇପାରିବ ବୋଲି କୁହାଯାଇଥିବା ବେଳେ ଏହାର ମୂଲ୍ୟ ସମ୍ପର୍କରେ ମଧ୍ୟ ସେଭଳି ସୂଚନା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର