ୱାସିଂଟନ୍‌ : ଆମେରିକାରେ ସୋମବାର ଦିନ ରେକର୍ଡ ସଂକ୍ରମଣ ହୋଇଛି। ୨୪ ଘଣ୍ଟାରେ ଆମେରିକାରେ ୧୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଓମିକ୍ରନ୍‌ ପାଇଁ ଆମେରିକାରେ ସଂକ୍ରମଣ ମାଡ଼ିବାରେ ଲାଗିଛି। ଗତ ୪ ଦିନ ତଳେ ଆମେରିକାର ସଂକ୍ରମଣ ମାମଲା ୫୯୦,୦୦୦ ଥିବାବେଳେ ଗତକାଲି ସଂକ୍ରମଣ ମାମଲା ଦ୍ବିଗୁଣା ହୋଇଛି। ପୂର୍ବ ଲହର ଗୁଡ଼ିକରେ ଆମେରିକାରେ ଏତେ ସଂଖ୍ୟାରେ ସଂକ୍ରମଣ ଚିହ୍ନଟ ହୋଇନି। ଆମେରିକାରେ ଦିନକରେ ଯେତିକି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ତାହା ପୂର୍ବରୁ ଅନ୍ୟ କୌଣସି ଦେଶରେ ଚିହ୍ନଟ ହୋଇଥିବା ମାମଲାର ୨ ଗୁଣାରୁ ଅଧିକ ହେବ। ଭାରତରେ ମେ’ ୭ ୨୦୨୧ରେ ଦୈନିକ ସଂକ୍ରମଣ ୪୧୪,୦୦୦ ଥିଲା। ଆମେରିକାରେ ସଂକ୍ରମଣ ବଢ଼ିବାରୁ ବିମାନ ଚଳାଚଳ ବନ୍ଦ ରହିଛି। ସ୍କୁଲ୍‌ ଏବଂ ଅଫିସ୍‌ ବନ୍ଦ ରହିଛି। ହସ୍ପିଟାଲ୍‌ରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯୋଗାଣରେ ବାଧା ଉପୁଜିଥିବା ଜଣାପଡ଼ିଛି। ଗତ ସପ୍ତାହରେ ଆମେରିକାରେ ୧୦୦ ଜଣରେ ଜଣେ କରୋନା ସଂକ୍ରମିତ ହୋଇଥିବା ଜନ୍‌ ହପକିନ୍ସ ବିଶ୍ବବିଦ୍ୟାଳୟ ତଥ୍ୟରୁ ଜଣାପଡ଼ିଛି। ଆମେରିକାରେ ମୋଟ୍‌ ସଂକ୍ରମଣ ମାମଲା ୫୭,୧୩୧,୧୮୭ ଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୮୪୮,୮୮୫ ରହିଛି।