ରାଏସିନା ଡାଏଲଗ୍‌ -୨୦୨୨: ‘ଭାରତର ଅଭିବୃଦ୍ଧିକୁ ବିଶ୍ବ ସ୍ବାଗତ କରୁଛି’

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ‘ଅବଜର୍ଭର ରିସର୍ଚ ଫାଉଣ୍ଡେସନ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଏସିନା ଡାଏଲଗ୍‌-୨୦୨୨ର ସପ୍ତମ ସଂସ୍କରଣ ଦ୍ବିତୀୟ ଦିବସରେ ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ଭାରତର ପ୍ରତିନିଧିଭାବେ ଯୋଗଦେଇଥିଲେ। ଆଲୋଚନାରେ ଶ୍ରୀ ପଣ୍ଡା ଉଦାରବାଦ ଓ ବିଶ୍ବ ଧୃବୀକରଣ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ। ସେ କହିଲେ ଯେ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ସାରା ବିଶ୍ବ ସ୍ବାଗତକରୁଛି। ଏକ ବିଂଶ ଶତାବ୍ଦୀରେ ବିଶ୍ବ ପାଇଁ ଥିବା ଆହ୍ବାନରେ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏ ସବୁର ବାସ୍ତବତା ପାଇଁ ଏକ ବିଶ୍ବସ୍ତରୀୟ ନିୟମ ନିର୍ଣ୍ଣୟ ହେବା ଉଚିତ ବୋଲି ସେ ନିଜ ଉଦବୋଧନରେ ଗୁରୁତ୍ବାରୋପ କରିଛନ୍ତି।

ନିକଟରେ ଋଣଗ୍ରସ୍ତ ଶ୍ରୀଲଙ୍କାର ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ ଭାରତ ପ୍ରଥମେ ସହଯୋଗର ହାତ ବଢ଼ାଇଥିଲା। ସେହିପରି ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ସେଠାରେ ଫସିଥିବା ଭାରତୀୟମାନଙ୍କୁ ସ୍ବଦେଶ ଫେରାଇ ଆଣିବାରେ ମୋଦୀ ସରକାର ସଫଳ ହୋଇଥିବା ଶ୍ରୀ ପଣ୍ଡା ଏହି ଅବସରରେ କହିଥିଲେ। ଆଲୋଚନାର ଦ୍ବିତୀୟ ଦିବସରେ ଶ୍ରୀ ପଣ୍ଡାଙ୍କ ସମେତ ଫିଲିପାଇନ୍‌ସ ବୈଦେଶିକ ସଚିବ, ସ୍ବିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଟ, କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ ହାରପର, ଆମେରିକାର ପୂର୍ବତନ ଉପସଚିବ ଜେନ ହୋଲ ଲ୍ୟୁଟ ପ୍ରମୁଖ ଭାଗ ନେଇଥିଲେ। ନୂ୍ଆଦିଲ୍ଲୀଠାରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର