ବିଶ୍ବର ଶ୍ରେଷ୍ଠ ସ୍ନାଇପର ‘ୱାଲି’ ୟୁକ୍ରେନ୍ ପାଇଁ ଲଢ଼ୁଛନ୍ତି

କିବ୍: ରୁଷ୍-ୟୁକ୍ରେନ୍ ଯୁଦ୍ଧ ସରିବାର ଲକ୍ଷଣ ଦେଖିବାକୁ ମିଳୁ ନ ଥିବା ବେଳେ ୟୁକ୍ରେନ୍ ସପକ୍ଷରେ ଓ ରୁଷ୍ ସେନା ବିରୋଧରେ ଲଢ଼ିବା ପାଇଁ ବିଶ୍ବର ଶ୍ରେଷ୍ଠ ସ୍ନାଇପର (ଲୁଚିକରି ଗୁଳି ଚଳାଉଥିବା ବ୍ୟକ୍ତି) ୱାଲି ୟୁକ୍ରେନ୍‌ରେ ପହଞ୍ଚିଛନ୍ତି। ଗତ ସୋମ ଓ ମଙ୍ଗଳବାର ଦୁଇଦିନରେ ସେ ଛଅଜଣ ରୁଷ୍ ସୈନିକଙ୍କୁ ହତ୍ୟା କରିଥିବା ବୁଧବାର ରିପୋର୍ଟ ପ୍ରକାଶ ପାଇଥିଲା। ରୟାଲ କାନାଡ଼ିଆନ ୨୨ତମ ରେଜିମେଣ୍ଟର ଯୋଦ୍ଧା ୱାଲି କହିଛନ୍ତି ଯେ ସେ ହେଉଛନ୍ତି ଜଣେ ଫାୟାର୍‌ଫାଇଟର ପରି, ଯିଏ ଆଲାର୍ମ ଶୁଣିବା ମାତ୍ରେ କାର୍ଯ୍ୟ ଆରମ୍ଭ କରେ। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ରୁଷ୍ ବିରୋଧରେ ଲଢ଼ିବା ପାଇଁ ବିଦେଶୀମାନଙ୍କୁ ଆହ୍ବାନ କରିଥିବାରୁ ସେ ୟୁକ୍ରେନ୍‌କୁ ଏହି ବିପଦ ସମୟରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ରୁଷୀୟ ବଦଳରେ ଏଠି ଲୋକମାନେ ୟୁରୋପୀୟ ହେବାକୁ ଚାହୁଁଥିବାରୁ ତାଙ୍କ ଉପରେ ବୋମାମାଡ଼ କରାଯିବା ଅନ୍ୟାୟ ବୋଲି ୱାଲି କହିଛନ୍ତି।

ୱାଲି ବିଶ୍ବର ଅନ୍ୟତମ ଶ୍ରେଷ୍ଠ ସ୍ନାଇପର ଭାବେ ବିବେଚିତ ଯିଏ କି ଦିନକରେ ୪୦ ଜଣଙ୍କୁ ହତ୍ୟା କରିପାରନ୍ତି। ଅନ୍ୟପକ୍ଷରେ ଜଣେ ଭଲ ସ୍ନାଇପର ଦିନକୁ ୫-୬ ଜଣଙ୍କୁ ଏବଂ ଜଣେ ଗ୍ରେଟ୍ ସ୍ନାଇପର ଦିନକୁ ୭-୧୦ ଜଣଙ୍କୁ ହତ୍ୟା କରିପାରନ୍ତି। ୪୦ ବର୍ଷୀୟ ୱାଲି ହେଉଛନ୍ତି ଜଣେ ଫ୍ରେଞ୍ଚ-କାନାଡିଆନ୍ କମ୍ପ୍ୟୁଟର ବୈଜ୍ଞାନିକ ଯିଏ ୨୦୦୯ରୁ ୨୦୧୧ ମଧ୍ୟରେ ଦୁଇଥର ଆଫଗାନିସ୍ତାନ ଯୁଦ୍ଧରେ ଯୋଗ ଦେଇଥିଲେ। ଆଫଗାନିସ୍ତାନରେ ସେ କର୍ମରତ ଥିବା ସମୟରେ ‘ୱାଲି’ ନାମ ଅର୍ଜନ କରିଥିଲେ, ଆରବୀରେ ଯାହାର ଅର୍ଥ ହେଉଛି ରକ୍ଷକ।

ସମ୍ବନ୍ଧିତ ଖବର