ନୂଆଦିଲ୍ଲୀ: ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ହୋଇଛି। ଏହା ବିଶ୍ବରେ ପ୍ରଥମ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଗତକାଲି ପଶ୍ଚିମ ଲଣ୍ଡନର ପାଡିଙ୍ଗଟନ୍‌ ନିକଟସ୍ଥ ଏକ ଟିକାକରଣ କ୍ଲିନିକ୍‌ ଯିବା ସମୟରେ ଏହା କହିଛନ୍ତି। ବୋରିସ ଜନସନ୍‌ ଗତକାଲି ଟେଲିଭିଜନ୍‌ରେ ଉଦ୍‌ବୋଧନ ଦେଇ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ସଚେତନ କରିଛନ୍ତି। ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେବାପାଇଁ ଜନ୍‌ସନ୍‌ ଘୋଷଣା କରିଛନ୍ତି। ବ୍ରିଟେନ ସ୍ବାସ୍ଥ୍ୟ ସଚିବ ସଜିଦ ଜାଭିଦ କହିଛନ୍ତି, ଓମିକ୍ରନ୍‌ ପ୍ରଜାତି ଅତ୍ୟନ୍ତ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି। ପ୍ରତି ୨କିମ୍ବା ୩ ଦିନରେ ସଂକ୍ରମଣ ଦ୍ବିଗୁଣା ହେଉଛି। ଓମିକ୍ରନ୍‌ ପ୍ରଜାତିରେ ଆକ୍ରାନ୍ତ ହୋଇ ଇଂଲଣ୍ଡରେ ଏବେ ୧୦ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ସେ କହିଛନ୍ତି। ଓମିକ୍ରନ୍‌ ପ୍ରଜାତି ଅତ୍ୟନ୍ତ କ୍ଷୀପ୍ର ଗତିରେ ମାଡ଼ୁଥିବାରୁ ଲଣ୍ଡନରେ ଏହା ୪୦ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ। ତେଣୁ ଲୋକମାନେ ବୁଷ୍ଟର ଡୋଜ୍‌ ନେବା ଆବଶ୍ୟକ। ୨ଟି ଯାକ ଡୋଜ୍‌ ଟିକା ନେଇ ଏବେ ବି ଅସୁସ୍ଥ ଥିବା ବ୍ୟକ୍ତି ବୁଷ୍ଟର୍‌ ଡୋଜ ନେବା ଉପରେ ଗୁରୁତ୍ବାରୋପ କରାଯାଉଛି। ନଭେମ୍ବର ୨୭ରେ ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିଲା। ଏହାପରଠାରୁ ବ୍ରିଟେନ୍‌ରେ ସଂକ୍ରମଣ ବଢ଼ି ଚାଲିଛି। ଏଥିପାଇଁ ବ୍ରିଟେନ୍‌ରେ ସୁରକ୍ଷା କଡ଼ାକଡ଼ି ହୋଇଛି ଏବଂ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ରେ ରବିବାର ଦିନ ୧୨୩୯ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଏଥିସହ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩୭ରେ ପହଞ୍ଚିଛି। ଶନିବାର ସୁଦ୍ଧା ବ୍ରିଟେନ୍‌ରେ ଓମିକ୍ରନ୍‌ ମାମଲା ୧୮୯୮ ଥିବାବେଳେ ରବିବାର ଏହା ୩ ହଜାର ଟପିଯାଇଛି।

Advertisment

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆଉ ୨ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି। ନିକଟରେ ଏମାନେ ଦୁବାଇରୁ ଫେରିଥିଲେ। ସେମାନେ କରୋନା ଟିକାର ୨ଟି ଯାକ ଡୋଜ୍‌ ନେଇ ସାରିଛନ୍ତି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଓମିକ୍ରନ୍‌ ପ୍ରଜାତିରେ ସଂକ୍ରମିତ ହୋଇଥିବା ଉକ୍ତ ୨ ଜଣଙ୍କ ମଧ୍ୟରୁ ଜଣେ ଲାଟୁର ବାସିନ୍ଦା ଏବଂ ଅନ୍ୟ ଜଣେ ପୁଣେର। ଏଥିସହ ମହାରାଷ୍ଟ୍ରରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ଆଜିସୁଦ୍ଧା ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି ପାଇଛି। ‌ଦେଶରେ ଗତ ୨୪ ଘଣ୍ଟାରେ ୭,୩୫୦ ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୬,୯୭,୮୬୦କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ୯୧,୪୫୬ ରହିଛି। ୫୬୧ ଦିନରେ ଏହା ସବୁଠାରୁ କମ୍‌। ଗତ ୨୪ ଘଣ୍ଟା‌ରେ ୨୦୨ ଜଣଙ୍କର କରୋନାରେ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୭୫,୬୩୬କୁ ବୃଦ୍ଧି ପାଇଛି। ଲଗାତାର ୪୬ ଦିନ ଧରି ଦେଶରେ ଦୈନିକ ମାମଲା ୧୫ ହଜାର ତଳେ ରହୁଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୨୬ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ କୋଭିଡ ଆରୋଗ୍ୟ ହାର ୯୮.୩୭ ରହିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୮୬ ପ୍ରତିଶତ ଅଛି। ଲଗାତାର ୭୦ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୬୯ ପ୍ରତିଶତ ଅଛି। ଲଗାତାର ୨୯ ଦିନ ଧରି ସାପ୍ତାହିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି।