ହଂକଂରେ ବିଶ୍ବର ପ୍ରଥମ ପୁନଃସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ହଂକଂରେ ଜଣେ ୩୩ ବର୍ଷୀୟଙ୍କୁ ପୁଣି ଥରେ କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି। ଏହା ବିଶ୍ବର ପ୍ରଥମ ସାନି ସଂକ୍ରମିତ ମାମଲା ବୋଲି ଜଣାଯାଇଛି। ଗତ ଏପ୍ରିଲ ମାସରେ ସେ ଅଭିନବ କରୋନା ଭୂତାଣୁ ସାର୍ସ-କୋଭ-୨ ଦ୍ବାରା ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇ ଆରୋଗ୍ୟଲାଭ କରିଥିଲେ। ତେବେ ସେ ଚଳିତ ମାସରେ ୟୁରୋପରୁ ସ୍ବଦେଶ ଫେରୁଥିବା ବେଳେ ବିମାନବନ୍ଦରରେ ସ୍କ୍ରିନିଂ ବେଳେ ତାଙ୍କଠାରେ ପୁଣି ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଜଣେ କୋଭିଡ୍‌-୧୯ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହେବାର ଚାରି ମାସ ପରେ ପୁଣି ଥରେ ଏହି ଘାତକ ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ଘଟଣା ଚିକିତ୍ସା ବିଜ୍ଞାନୀମାନଙ୍କୁ ଚିନ୍ତାରେ ପକାଇଛି। ଅପରପକ୍ଷେ, ହଂକଂ ବିଶ୍ବବିଦ୍ୟାଳୟର ଗବେଷକମାନେ ଉକ୍ତ ଯୁବକଙ୍କ ନମୁନା ପରୀକ୍ଷଣରୁ ତାଙ୍କ ଠାରେ ଭିନ୍ନ ପ୍ରଜାତିର କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ପ୍ରମାଣ କରିଛନ୍ତି। ତେବେ ଦ୍ବିତୀୟ ଥର ସଂକ୍ରମଣରେ ସଂପୃକ୍ତ ଯୁବକଙ୍କ ଠାରେ ସେଭଳି କିଛି ଲକ୍ଷଣ ପରିଲକ୍ଷିତ ହୋଇନାହିଁ। ସୁତରାଂ ପରବର୍ତ୍ତୀ ଭୂତାଣୁ ସଂକ୍ରମଣର କ୍ଷିପ୍ରତା ସେତେ ଅଧିକ ନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର