ନୂଆଦିଲ୍ଲୀ: ୟୁକ୍ରେନ୍-ରୁଷ୍ ବିବାଦ ତେଜିବା ଏବଂ ରୁଷ୍କୁ ଚାପଗ୍ରସ୍ତ କରିବା ଲାଗି ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକା ଜାରି କରିଥିବା ବେଳେ ଏବେ ସମଗ୍ର ବିଶ୍ବର ଧ୍ୟାନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ଉପରେ। କିଏ ଏହି ପୁଟିନ୍? ଜଣେ ସାମାନ୍ୟ ଗୁଇନ୍ଦା ଅଧିକାରୀରୁ କ୍ୟାରିୟର୍ ଆରମ୍ଭ କରିଥିବା ଭ୍ଲଦିମିର୍ ପୁଟିନ୍ ଅନାୟାସରେ ଦେଶର ସର୍ବୋଚ୍ଚ ପଦବୀକୁ ଉନ୍ନୀତ ହୋଇ ଅବଶ୍ୟ ସମସ୍ତଙ୍କୁ ଚମତ୍କୃତ କରିଛନ୍ତି।
୬୯ ବର୍ଷରେ ପଦାର୍ପଣ କରିଥିବା ଭ୍ଲାଦିମିର୍ ପୁଟିନ୍ ୧୯୫୨ ମସିହା ଅକ୍ଟୋବର ୭ ତାରିଖରେ ଲେଲିନ୍ଗ୍ରାଦ୍ରେ ଜନ୍ମ ଗ୍ରହଣ କରିଥିଲେ।
ଅଧ୍ୟୟନ ଶେଷ ପରେ ୧୯୭୫ରେ ସେ ଜଣେ ଗୁଇନ୍ଦା ଅଧିକାରୀଭାବେ ‘କେଜିବି’ରୁ ନିଜର ଚାକିରି ଜୀବନ ବା କ୍ୟାରିୟର୍ ଆରମ୍ଭ କରି ୧୯୯୮ ବେଳକୁ ‘ଫେଡେରାଲ୍ ସିକ୍ୟୁରିଟି ସର୍ଭିସ୍’ର ନିର୍ଦେଶକ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିଲେ। ସୂଚନାଯୋଗ୍ୟ, ସେତେବେଳକୁ ‘କେଜିବି’ ନାମ ପରିବର୍ତ୍ତନ ହୋଇ ‘ଫେଡେରାଲ୍ ସିକ୍ୟୁରିଟି ସର୍ଭିସ୍’ ହୋଇସାରିଥିଲା।
୧୯୯୦ରେ ଲେନିନ୍ଗ୍ରାଦ୍ର ମେୟର୍ ଆନାତୋଲି ସୋବ୍ଚାକ୍ଙ୍କ ବୈଦେଶିକ ବ୍ୟାପାର ବିଭାଗର ଜଣେ ପରାମର୍ଶଦାତା ଭାବେ ନିଯୁକ୍ତି ପାଇବା ପରେ ପୁଟିନ୍ ସକ୍ରିୟ ରାଜନୀତିକୁ ଆସିଥିଲେ। ତହିଁ ଆର ବର୍ଷ ସେ ମେୟର୍ଙ୍କ କାର୍ଯ୍ୟାଳୟର ‘ବୈଦେଶିକ ସମ୍ପର୍କ କମିଟି’ର ମୁଖ୍ୟ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିଲେ।
ଏହାପରେ ସେ ୧୯୯୪ରେ ସେଣ୍ଟ୍ ପିଟର୍ସବର୍ଗ ସରକାରଙ୍କ ପ୍ରଥମ ଡେପୁଟି ଚେୟାର୍ମ୍ୟାନ୍ ହୋଇଥିଲେ। ସରକାରଙ୍କୁ ସମର୍ଥନ କରୁଥିବା ‘ଆୱାର୍ ହୋମ୍ ରଷିଆ’ର ସେଣ୍ଟ୍ ପିଟର୍ସବର୍ଗ ଶାଖାକୁ ସେ ସଙ୍ଗଠିତ କଲେ। ଏହି ଉଦାରବାଦୀ ରାଜନୈତିକ ଦଳର ସଂସ୍ଥାପକ ଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭିକ୍ଟର୍ ଚେର୍ନୋମିର୍ଦିନ୍। ଏହାପରେ ପୁଟିନ୍ଙ୍କୁ ଉକ୍ତ ଦଳର ସେଣ୍ଟ୍ ପିଟର୍ସବର୍ଗ ଶାଖାର ନେତା ଭାବେ ନିଯୁକ୍ତ କରାଯାଇଥିଲା।
/sambad/media/post_attachments/wp-content/uploads/2022/02/putin1.jpg)
୧୯୯୯ରେ ରୁଷ୍ ସଙ୍ଘୀୟ ସରକାର ପ୍ରଥମ ୩ ଜଣ ଉପ-ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ ଭାବେ ନିଯୁକ୍ତି ପାଇଥିଲେ ପୁଟିନ୍। ପରେ ତତ୍କାଳୀନ ରାଷ୍ଟ୍ରପତି ୟେଲ୍ଷ୍ଟିନ୍ ତାଙ୍କୁ ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ଏହାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପୁଟିନ୍ ସ୍ଥାୟୀ ରାଷ୍ଟ୍ରପତି ହୋଇଥିଲେ।
ପରେ ସେ ବର୍ଷ ୟେଲ୍ଷ୍ଟିନ୍ ଇସ୍ତଫା ଦେବାରୁ ପୁଟିନ୍ ରୁଷ୍ର କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୦୦ ମେ ୭ ତାରିଖରେ ପୁଟିନ୍ ପ୍ରଥମ ଥର ପାଇଁ ରୁଷ୍ର ରାଷ୍ଟ୍ରପତି ହେଲେ। ୪ ବର୍ଷିଆ କାର୍ଯ୍ୟକାଳ ଅବଧି ସହ ପୁଟିନ୍ କ୍ରମାଗତ ୨ଟି ପାଳିରେ ବିଜୟ ହାସଲ କରି ୨୦୦୮ ପର୍ଯ୍ୟନ୍ତ ପଦବୀରେ ରହିଲେ। କିନ୍ତୁ, ଦେଶର ସମ୍ବିଧାନ ଅନୁସାରେ, ତୃତୀୟ ଥର ପାଇଁ ସେ ଆଉ ରାଷ୍ଟ୍ରପତି ହୋଇ ପାରି ନ ଥିଲେ।
କିନ୍ତୁ, ୨୦୧୨ରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ୩ୟ ପାଳିରେ ରାଷ୍ଟ୍ରପତି ହେବା ସହ ୨୦୧୮ରେ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଥିଲେ। ରାଷ୍ଟ୍ରପତି ଥାଇ ସେ ୨୦୨୦ରେ ଦେଶର ସମ୍ବିଧାନ ସଂଶୋଧନ କରାଇଲେ। ସଂଶୋଧିତ ସମ୍ବିଧାନ ଅନୁସାରେ, ସେ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ।
ପୁଟିନ୍ ରାଷ୍ଟ୍ରପତି ଥିବା ବେଳେ ଯୁଦ୍ଧ କରି ରୁଷ୍ କ୍ରିମିଆ ଦଖଲ କରିବା ଘଟଣାରୁ ପୁଟିନ୍ଙ୍କ ଉପରେ ବିଶ୍ବର ଦୃଷ୍ଟି ନିବଦ୍ଧ ହୋଇଥିଲା। ‘ରେଫରେଣ୍ଡମ୍’ (ନିର୍ବାଚନରେ ସମ୍ମତି ପାଇ) ପାଇ ୨୦୧୪ରେ ରୁଷ୍ ୟୁକ୍ରେନୀୟ ଭୂଖଣ୍ଡକୁ ସୈନ୍ୟ ପଠାଇ କ୍ରିମିଆ ଅଧିକାର କରିନେବା ପରେ ଆରମ୍ଭ ହୋଇଥିଲା ରୁଷ୍-ୟୁକ୍ରେନ୍ ସଙ୍କଟ। ପୂର୍ବ ୟୁକ୍ରେନ୍ର ଡନ୍ବାସ୍ ଅଞ୍ଚଳରେ ଥିବା ରୁଷ୍ ସମର୍ଥୀତ ବିଦ୍ରୋହୀମାନଙ୍କ ସହାୟତା କିଛି ଦିନ ଧରି ରୁଷ୍-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିଲା। ସମ୍ପ୍ରତି ରୁଷ୍ ପୂର୍ବ ୟୁକ୍ରେନ୍ର ଦୁଇ ବିଦ୍ରୋହୀ ଅଞ୍ଚଳ ଡୋନେତସ୍କ ଏବଂ ଲୁହାନସ୍କକୁ ଦୁଇଟି ପୃଥକ୍ ରାଷ୍ଟ୍ର ଭାବେ ସ୍ବୀକୃତି ଦେବାରୁ ରୁଷ୍-ୟୁକ୍ରେନ୍ ଉତ୍ତେଜନା ତୀବ୍ରତର ହୋଇଚାଲିଛି।
ଶାନ୍ତିରକ୍ଷା ଉଦ୍ୟମ ନାଁରେ ୨୦୨୨ ଫେବ୍ରୁଆରି ୨୧ରେ ରୁଷ୍ ୟୁକ୍ରେନ୍ର ପୂର୍ବାଞ୍ଚଳସ୍ଥିତ ଡୋନ୍ବାସ୍ ଅଞ୍ଚଳକୁ ସେନା ପଠାଇଛି। କିନ୍ତୁ, ଏହା ଶାନ୍ତିରକ୍ଷା ନୁହେଁ, ଆକ୍ରମଣର ଯୋଜନା ବୋଲି ଅଭିଯୋଗ ହେଉଥିଲେ ବି ରୁଷ୍ ତାହା ଅସ୍ବୀକାର କରୁଛି।