ବେଜିଂ: ହୁଆଜିଆଙ୍ଗ ଗ୍ରାଣ୍ଡ କ୍ୟାନିୟନରେ ଯାତ୍ରା ସମୟକୁ ଦୁଇ ଘଣ୍ଟାରୁ ମାତ୍ର ଦୁଇ ମିନିଟ୍କୁ ହ୍ରାସ କରି ଚୀନ୍ ଗୁଇଝୋରେ ବିଶ୍ୱର ସର୍ବୋଚ୍ଚ ସେତୁର ଉଦ୍ଘାଟନ କରିଛି। ଭୂମିଠାରୁ ୬୨୫ ମିଟର ଉଚ୍ଚରେ ଏହା ଛିଡ଼ା ହୋଇଛି। ଏହି ସଂରଚନା ତିନି ବର୍ଷ ମଧ୍ୟରେ ସମାପ୍ତ ହୋଇଥିଲା। ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ କରିଛି ଯେ, କିଆନସିନାନ୍ ବୁଇ ଓ ମିଆଓ ଅଟୋନୋମସ୍ ପ୍ରିଫେକ୍ଚର୍ ଓ ଗୁଇଝୋଉର ଆନସୁନ ସିଟି ମଧ୍ୟରେ ସୀମାରେ ବ୍ୟାପିଥିବା ହୁଆଜିଆଙ୍ଗ ଗ୍ରାଣ୍ଡ କାନିୟନ୍ ବ୍ରିଜ୍ ଯାତ୍ରା ସମୟକୁ ଦୁଇ ଘଣ୍ଟାରୁ ଦୁଇ ମିନିଟ୍କୁ ହ୍ରାସ କରିଛି, ଯାହା ଆଞ୍ଚଳିକ ସଂଯୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିଛି ଏବଂ ଅର୍ଥନୈତିକ ଓ ସାମାଜିକ ବିକାଶକୁ ତ୍ୱରାନ୍ୱିତ କରିଛି।
ହୁଆଜିଆଙ୍ଗ ଗ୍ରାଣ୍ଡ କ୍ୟାନିୟନ୍ ବ୍ରିଜ୍ ହେଉଛି ୧୯୦ କିଲୋମିଟର ଲମ୍ବା ଶାନ୍ତିଆନ୍-ପୁକ୍ସି ଏକ୍ସପ୍ରେସୱେର ଏକ ଅଂଶ, ଯାହା ଦକ୍ଷିଣ-ପଶ୍ଚିମ ଚୀନ୍ରେ ଆଞ୍ଚଳିକ ସଂଯୋଗକୁ ବୃଦ୍ଧି କରିବା ପାଇଁ ପରିକଳ୍ପନା କରାଯାଇଛି। ଚୀନ୍ର ପାର୍ବତ୍ୟ ଦକ୍ଷିଣ ପ୍ରଦେଶ ଗୁଇଝୋଉରେ ଏକ ନଦୀ ଓ ଗଭୀର ଉପତ୍ୟକାରୁ ୬୨୫ ମିଟର ଉଚ୍ଚରେ ଥିବା ଏହି ସେତୁ ବିଶ୍ୱର ସର୍ବୋଚ୍ଚ ଆଖ୍ୟା ହାସଲ କରିଛି। ଏହି ଚାରି ଲେନ୍ ବିଶିଷ୍ଟ ବ୍ରିଜ୍ ବର୍ତ୍ତମାନ ଉଭୟ ପାହାଡ଼ିଆ ଅଞ୍ଚଳରେ ନିର୍ମିତ ବିଶ୍ୱର ସର୍ବୋଚ୍ଚ ସେତୁ ଏବଂ ସର୍ବବୃହତ ସ୍ପାନ୍ ବ୍ରିଜ୍ ପାଇଁ ରେକର୍ଡ ସୃଷ୍ଟି କରିଛି, ଯାହାର ମୋଟ ଦୈର୍ଘ୍ୟ ୨,୮୯୦ ମିଟର। ଜିନୁଆ ଅନୁଯାୟୀ, ବିଶ୍ୱର ୧୦୦ଟି ଉଚ୍ଚତମ ସେତୁ ମଧ୍ୟରୁ ପ୍ରାୟ ୫୦ଟି ଏହି ପ୍ରଦେଶରେ ଅବସ୍ଥିତ।