ବିଶ୍ବର ସର୍ବବୃହତ୍ କୋଭିଡ୍‌ କେୟାର କେନ୍ଦ୍ର ପ୍ରସ୍ତୁତ, ୧୦ ହଜାର ରୋଗୀ ଏକାଥରେ ଚିକିତ୍ସିତ ହେବେ

୬୦୦ରୁ ଅଧିକ ପାଇଖାନା, ପ୍ରଥମ ପର୍ଯ୍ୟାୟରେ ୨୦୦୦ ଶଯ୍ୟା କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଛତରପୁରଠାରେ ରାଧା ସ୍ବାମୀ ସତସଙ୍ଗ ବ୍ୟାସରେ ନିର୍ମିତ ବିଶ୍ବର ସର୍ବବୃହତ୍ କୋଭିଡ୍ କେୟାର କେନ୍ଦ୍ରର ନିର୍ମାଣ ଶେଷ ହୋଇଛି। ଯୁଦ୍ଧକାଳୀନ ଭିତ୍ତରେ ୧୦ ଦିନ ଭିତରେ ଏହାର ନିର୍ମାଣ କରାଯାଇଛି। ରବିବାରଠାରୁ ଏଠାରେ ‌ରୋଗୀଙ୍କୁ ଭର୍ତ୍ତି କରାଯିବାକୁ ନିଷ୍ପତ୍ତି ‌ନିଆଯାଇଛି। ଏହି କେନ୍ଦ୍ରର ନାମ ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟର ଆଣ୍ଡ୍ ହସ୍ପିଟାଲ (ଏସ୍ପିସିସିସିଏଚ୍‌) ରହିଛି। ଲକ୍ଷଣହୀନ ଏବଂ ସ୍ବଳ୍ପ ଲକ୍ଷଣ ଦେଖାଦେଉଥିବା ରୋଗୀମାନଙ୍କୁ ଏହି ପୃଥକ କେନ୍ଦ୍ରରେ ରଖାଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସହଯୋଗରେ ଦକ୍ଷିଣ ଦିଲ୍ଲୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ କେନ୍ଦ୍ର ନିର୍ମାଣ କରାଯାଇଛି। ରୋଗୀମାନଙ୍କୁ ଏକ ଚାପମୁକ୍ତ ଏବଂ ଶାନ୍ତି ପୃଥକାବାସ ସୁବିଧା ଯୋଗାଇ ଦେବା ପାଇଁ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ଦୀନ ଦୟାଲ ଉପାଧ୍ୟାୟ ଓ ମଦନ ମୋହନ ମାଲବ୍ୟ ହସ୍ପିଟାଲ ସହିତ ଏହି କେନ୍ଦ୍ରକୁ ଯୋଡ଼ାଯାଇଛି। ତେବେ ଏଲ୍‌ଏନଜେପି ଏବଂ ରାଜୀବ ଗାନ୍ଧି ସୁପର ସ୍ପେସାଲିଟି ହସ୍ପିଟାଲକୁ ଏଠାରୁ ଗୁରୁତର ରୋଗୀଙ୍କୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ସର୍ଭେଲାନ୍ସ ଅଧିକାରୀମାନଙ୍କ ମାଧ୍ୟମରେ ଉକ୍ତ କେନ୍ଦ୍ରରେ ଦିଲ୍ଲୀର ସବୁସ୍ଥାନର ରୋଗୀ ଏଠାରେ ରହିବେ।

୧୭୦ ଡାକ୍ତର, ୭୦୦ରୁ ଅଧିକ ନର୍ସ ନିୟୋଜିତ ରହିବେ
୧୦% ଶଯ୍ୟାରେ ଅକ୍ସିଜେନ ସୁବିଧା

ଏହି କେନ୍ଦ୍ରର ଆକାର ୨୦ଟି ଫୁଟବଲ ପଡ଼ିଆ ସହ ପ୍ରାୟ ସମାନ। ଉକ୍ତ କେନ୍ଦ୍ରର ଲମ୍ବ ୧୭୦୦ ଫୁଟ ହୋଇଥିବାବେଳେ ଚଉଡ଼ା ୭୦୦ ଫୁଟ ରହିଛି। ୫୦ଟି ଲେଖାଏଁ ଶଯ୍ୟାକୁ ନେଇ ଗୋଟିଏ ଲେଖାଏଁ ୟୁନିଟ ପ୍ରସ୍ତୁତ ହୋଇଛି। ତେଣୁ ମୋଟରେ ୨୦୦ଟି ୟୁନିଟ ଏଠାରେ ରହିଛି। ଉକ୍ତ ଚିକିତ୍ସା କେନ୍ଦ୍ରକୁ ଥଣ୍ଡା ରଖିବା ପାଇଁ ୧୮ ହଜାର ଟନ୍‌ର ଏସି ଲଗାଯାଇଛି। ତେବେ ରୋଗୀଙ୍କ ସଂପର୍କୀୟଙ୍କୁ ଉକ୍ତ ଗେଟ୍ ଭିତରକୁ ଯିବାକୁ ଅନୁମତି ମିଳବ ନାହିଁ। ଦିଲ୍ଲୀ ସରକାର ଏହି କେନ୍ଦ୍ର ପାଇଁ ପ୍ରଶାସନିକ ସହାୟତା ଯୋଗାଇଦେବେ ଏବଂ ଇଣ୍ଡୋ-ତିବ୍ଦତୀୟ ସୀମା ବଳ (ଆଇଟିବିପି) ଉକ୍ତ କେନ୍ଦ୍ରର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ରାଧା ସ୍ବାମୀ ବ୍ୟାସର ସ୍ବେଚ୍ଛାସେବୀମାନେ ଏଠାରେ ସହାୟତା ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ଆଇଟିବିପି ୨୦୦୦ ‌ଶଯ୍ୟାର ପରିଚାଳନଳା କରିବ। ଏଥିପାଇଁ ୧୭୦ ଜଣ ଡାକ୍ତର, ବିଶେଷଜ୍ଞଙ୍କ ସମେତ ୭୦୦ରୁ ଅଧିକ ନର୍ସ ଓ ପାରାମେଡିକାଲ କର୍ମଚାରୀ ନିୟୋଜିତ ‌ରହିବେ।

୧୦ ପ୍ରତିଶତ ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା ରହିବ। ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ରୋଗୀମାନଙ୍କୁ ଏହି ଅକ୍ସିଜେନ ଯୋଗାଇ ଦିଆଯିବ। ପ୍ରତ୍ୟେକ ରୋଗୀଙ୍କୁ ଗୋଟିଏ ଶଯ୍ୟା, ଗୋଟିଏ ଷ୍ଟୁଲ, ଗୋ‌ଟେ ଛୋଟ ପ୍ଲାଷ୍ଟିକ୍ କପବୋର୍ଡ, ଡଷ୍ଟବିନ, ବାସନକୁସନ ଆଦି ପ୍ରଦାନ କରାଯିବ। ପ୍ରତ୍ୟେକ ଶଯ୍ୟା ନିକଟରେ ବ୍ୟକ୍ତିଗତ ଫୋନ ଓ ଲାପଟପ୍ ଚାର୍ଜିଂ ସୁବିଧା ରହିବ। ରୋଗୀମାନେ ନିଜ ସହିତ ଲାପଟପ ଆଣିପାରିବେ। କିନ୍ତୁ ଅଡିଓ ଓ ଭିଡିଓ ଆପ୍ଲିକେସନ ସମୟରେ ସେମାନଙ୍କୁ ହେଡଫୋନ ବ୍ୟବହାର କରିବାକୁ ହେବ। ରୋଗୀଙ୍କ ପାଇଁ ଏକ ଆମୋଦପ୍ରମୋଦ କେନ୍ଦ୍ର ଏଠାରେ ରହିଛି। ସେଠାରେ ଲାଇବ୍ରେରି, ଖେଳିବା ପାଇଁ ବିଭିନ୍ନ ଉପକରଣ ମଧ୍ୟ ଉପଲବ୍ଧ ହେବ। ସ୍ବେ‌ଚ୍ଛାସେବୀମାନେ ରୋଗୀମାନଙ୍କୁ ଟ୍ରଲିରେ ଧାଡ଼ିକି ଧାଡ଼ିରେ ଯାଇ ଶଯ୍ୟା ନିକଟରେ ଖାଦ୍ୟ ପରଷିବେ। ରୋଗୀମାନଙ୍କ ଶୌଚ ହେବା ପାଇଁ ଏଠାରେ ୬୦୦ରୁ ଅଧିକ ପାଇଖାନା ନିର୍ମାଣ ହୋଇଥିବାବେଳେ ଏଥିରୁ ୭୦ଟି ପାଇଖାନା ଭ୍ରାମ୍ୟମାଣ। ଏଥିସହିତ ଭିନ୍ନକ୍ଷମ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ଥିବା ୩ଟି ପାଇଖାନା ରହିଛି। ଉକ୍ତ କେନ୍ଦ୍ରକୁ ନିରବଚ୍ଛିନ୍ନ ‌ଜଳଯୋଗାଣ ପାଇଁ ଏଠାରେ ୧.୭ ଲକ୍ଷ ଲିଟର ପାଣି ମହଜୁଦ ବ୍ୟବସ୍ଥା କରାଯାଇଛି। ଇ-ହସ୍ପିଟାଲ ନାମକ ଏକ ଆପ୍‌ ଏନଆଇସି ପକ୍ଷରୁ ବିକାଶ କରାଯାଇଛି। ରୋଗୀଙ୍କ ଆଡମିସନ ଓ ଡିସଚାର୍ଜ ପାଇଁ ଏହି ଆପ୍‌ର ଉପଯୋଗ କରାଯିବ। ୪୦୦ କମ୍ପ୍ୟୁଟରକୁ ନେଇ ଏକ ଟିମ୍ ଏସବୁ କମ୍ପ୍ୟୁଟର ପରିଚାଳନା କରିବେ। ଏହି କମ୍ପ୍ୟୁଟର କେନ୍ଦ୍ରକୁ ଲ୍ୟାଣ୍ଡଲାଇନ୍ ଓ ଇଣ୍ଟରନେଟ୍ ସଂଯୋଗ ଯୋଗାଇ ଦେବା ପାଇଁ ଏମଟିଏନଏଲକୁ କୁହାଯାଇଛି।

ସମ୍ବନ୍ଧିତ ଖବର