ମାଳଦ୍ବୀପ ଉପକୂଳରେ ଖସିଲା ଚୀନ୍‌ ରକେଟ୍‌ର ଧ୍ବଂସାବଶେଷ

ଚୀନ୍‌ର ଆଭିମୁଖ୍ୟ ଦାୟିତ୍ବହୀନ: ନାସା

ବେଜିଂ: ଚୀନ୍‌ର ନିର୍ମାଣାଧୀନ ନୂତନ ମହାକାଶ କେନ୍ଦ୍ରର ଏକ ଭାରୀ ଅଂଶକୁ ଗତ ୨୯ ତାରିଖରେ ପରିବହନ କରିଥିବା ଲଙ୍ଗ୍‌ ମାର୍ଚ୍ଚ-୫ବି ନାମକ ବିଶାଳ ରକେଟ୍‌ର ଏକ ବୃହତ୍‌ ଅଂଶ ଆଜି ସକାଳେ ମାଳଦ୍ବୀପ ନିକଟ ଭାରତମହାସାଗରରେ ଖସିପଡ଼ିଛି। ଫଳରେ ମହାକାଶରେ ନିୟନ୍ତ୍ରଣ ହରାଇ ଖସୁଥିବା ଏହି ୧୮ ଟନ୍‌ ଓଜନର ଯନ୍ତ୍ରାଂଶ କେଉଁ ଜନବସତିରେ ପଡ଼ି ବ୍ୟାପକ ଧନଜୀବନ କ୍ଷତିକରିବ ବୋଲି ଆଶଙ୍କାରେ ଥିବା ବିଶ୍ବ ବୈଜ୍ଞାନିକ ସମୁଦାୟ ଆଶ୍ବସ୍ତ ହୋଇଛନ୍ତି।

ଏହା ମହାକାଶରୁ ଖସୁଥିବା ବେଳେ ସକାଳ ୧୦ଟା ୨୪ରେ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିଥିଲା ଏବଂ ମାଳଦ୍ବୀପ ଉପକୂଳରେ ଜଳଭାଗ ଛୁଇଁବା ଆଗରୁ ଏହାର ସିଂହଭାଗ ବାୟୁମଣ୍ଡଳୀୟ ଘର୍ଷଣରେ ଜଳି ପାଉଁଶ ହୋଇଯାଇଥିଲା। ପୃଥିବୀର ପ୍ରାୟ ତିନି ଚତୁର୍ଥାଂଶ ଜଳଭାଗ ହୋଇଥିବାରୁ ଉକ୍ତ ରକେଟ୍‌ଟି କୌଣସି ଜଳଭାଗରେ ପଡ଼ି କିଛି କ୍ଷତି କରିବନି ବୋଲି ଯଦିଓ ଅନେକ ଆଶା ରଖିଥିଲେ, ତେବେ ଏପରି ନିୟନ୍ତ୍ରଣ ହରାଇ ଭୂପୃଷ୍ଠକୁ ଖସୁଥିବା ଏହି ରକେଟ୍‌ର ଭଗ୍ନାଂଶ ସଂକ୍ରାନ୍ତ ଚୀନ୍‌ର ଆଭିମୁଖ୍ୟ ଅତ୍ୟନ୍ତ ଦାୟିତ୍ବହୀନ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ସମେତ ବିଶ୍ବର ଅନେକ ପ୍ରମୁଖ ମହାକାଶ ବିଜ୍ଞାନୀ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର