ନୂଆଦିଲ୍ଲୀ : ସିଭିଲ ସୁଟ୍‌ ପ୍ରତ୍ୟାହାର କରି ନିଆଯାଇଥିବାରୁ ମାମଲାକୁ ଆଉଥରେ ଦାଖଲ କରିବା ପାଇଁ ସ୍ବାଧୀନତା ନାହିଁ। ଏଭଳି ସ୍ଥିତିରେ ଅନୁରୂପ ଆଶ୍ବସ୍ତି ପାଇଁ ରିଟ୍‌ ପିଟିସନ ଗ୍ରହଣଯୋଗ୍ୟ ନୁହେଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ଓଡ଼ିଶା ସରକାର ଓ ଅନ୍ୟ ବନାମ ଲକ୍ଷ୍ମୀ ନାରାୟଣ ଦାସ(ମୃତ)-ଏଲ୍‌ଆର ଓ ଅନ୍ୟ ମାମଲାର ରାୟ ପ୍ରକାଶ କରି ସୁପ୍ରିମକୋର୍ଟର ବିଚାରପତି ଏଏସ୍‌ ଓକା ଓ ବିଚାରପତି ରାଜେଶ ବିନ୍ଦାଲଙ୍କ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିବା ସହିତ ହାଇକୋର୍ଟଙ୍କ ଆଦେଶ ବିରୋଧରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ଅପିଲକୁ ଗ୍ରହଣ କରିଛନ୍ତି। ଅପିଲରେ ମେରିଟ ରହିଛି ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି।

Advertisment

ସୂଚନା ଅନୁଯାୟୀ, ଓଡ଼ିଶା ସର୍ବେକ୍ଷଣ ଓ ବନ୍ଦୋବସ୍ତ ନିୟମ ୧୯୫୮ର ଧାରା ୧୨ର ରେକର୍ଡ ଅଫ ରାଇଟ୍ସ ଅନୁସାରେ, ଜମିର ଏକ ବିଶେଷ ଭୂଖଣ୍ଡକୁ ୧୯୬୧ରେ ଚୂଡ଼ାନ୍ତ କରାଯାଇଥିଲା। ପ୍ରତିବାଦୀଙ୍କ ପକ୍ଷରୁ ଦାବି କରାଯାଇଥିଲା ବନ୍ଦୋବସ୍ତ ସମୟରେ ସେମାନେ ଜମିର ମାଲିକ ଭୂମିକାରେ କିଛି ଆପତ୍ତି ଉଠାଇଥିଲେ। ବନ୍ଦୋବସ୍ତ ଅଧିକାରୀଙ୍କ ପକ୍ଷରୁ ଏହାକୁ ସ୍ବୀକାର କରାଗଲା ନାହିଁ ଏବଂ ଜମିକୁ ସାଧାରଣ ପ୍ରଶାସନ (ଜିଏ) ବିଭାଗ ନାମରେ କରିଦିଆଗଲା ଏବଂ ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଷ୍ଟାଫ କ୍ବାଟର୍ସ ନିର୍ମାଣ ପାଇଁ ଦିଆଗଲା। ପ୍ରତିବାଦୀଙ୍କ ଦ୍ବାରା ବନ୍ଦୋବସ୍ତ ଅଧିକାରୀଙ୍କ ପାଖରେ ୧୯୯୦ରେ ଅପିଲ ଦାଏର କରାଗଲା। ‌‌ହେଲେ ରେକର୍ଡ ଅଫ ରାଇଟ୍ସ ଚୂଡ଼ାନ୍ତ ହୋଇଯାଇଥିବାରୁ ବନ୍ଦୋବସ୍ତ ଅଧିକାରୀ ଅପିଲ ଶୁଣାଣି ପାଇଁ ଯୋଗ୍ୟ ନଥିଲେ। ଯଦିବା ଏହି ମାମଲାର ଶୁଣାଣି ପାଇଁ ବନ୍ଦୋବସ୍ତ ଅଧିକାରୀ ଯୋଗ୍ୟ ନଥିଲେ ତଥାପି ବନ୍ଦୋବସ୍ତ ଅଧିକାରୀ ମାମଲାର ଶୁଣାଣି କଲେ ଏବଂ ମାର୍ଚ୍ଚ ୧, ୧୯୯୦ରେ ଏକ ଆଦେଶ ଜାରି କରି ପ୍ରତିବାଦୀଙ୍କୁ ଜିଏ ବିଭାଗ ସହିତ ଯୋଗାଯୋଗ ପାଇଁ କହିଲେ। ପ୍ରତିବାଦୀଙ୍କ ପକ୍ଷରୁ ୨୦୦୩ରେ ଜିଏ ବିଭାଗ ବିରୋଧରେ ସିଭିଲ ସୁଟ୍‌ ଦାଖଲ କରାଗଲା। ହେଲେ ୨୦୦୭ରେ ସିଭିଲ ସୁଟ୍‌କୁ ପ୍ରତ୍ୟାହାର ସହିତ ଖାରଜ କରିଦିଆଗଲା।

୨୦୦୮ରେ ପ୍ରତିବାଦୀଙ୍କ ଦ୍ବାରା ହାଇକୋର୍ଟରେ ଆରବିଆଇକୁ ଜମି ଆବଣ୍ଟନକୁ ଚ୍ୟାଲେଂଜ କରାଯାଇ ରିଟ୍‌ ପିଟିସନ ଦାଖଲ କରାଗଲା ଏବଂ ଜମିକୁ ପ୍ରତିବାଦୀଙ୍କ ନାମରେ ରେକର୍ଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ପ୍ରାର୍ଥନା କରାଗଲା। ହେଲେ ପିଟିସନରେ ପୂର୍ବରୁ ସିଭିଲ ସୁଟ୍‌ ପ୍ରତ୍ୟାହାର କରାଯାଇଥିବା ତଥ୍ୟକୁ ଉଲ୍ଲେଖ କରାଗଲା ନାହିଁ। ନ‌ଭେମ୍ବର ୨୧,୨୦୦୮ରେ ହାଇକୋର୍ଟର ଜଣିକିଆ ବେଂଚ ରିଟ୍‌ ପିଟିସନର ଅନ୍ତ ଘଟାଇ କହିଥିଲେ ଯଦି ପ୍ରତିବାଦୀଙ୍କ କିଛି ଆପତ୍ତି ରହିଛି ତା’ହେଲେ ଚୂଡ଼ାନ୍ତ ରେକର୍ଡ ଅଫ ‌ରାଇଟ୍ସ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେଇ ପାରିବେ। ଏହା ପରେ ପ୍ରତିବାଦୀଙ୍କ ଦ୍ବାରା ହାଇକୋର୍ଟରେ ଅପିଲ କରଗଲା। ହାଇକୋର୍ଟର ଖଣ୍ଡପୀଠ ପ୍ରତିବାଦୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଥିଲେ। ହାଇକୋର୍ଟ ରେକର୍ଡ ଅଫ ରାଇଟ୍ସ ୧୯୬୨ର ଚୂଡ଼ାନ୍ତ ଆଦେଶ ଉପରେ ହସ୍ତକ୍ଷେପ କରିଥିଲେ। ପ୍ରତିବାଦୀଙ୍କୁ ଜମି ଦେବାକୁ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଲେ। ରାୟରେ ସୁପ୍ରିମକୋର୍ଟ କହିଛନ୍ତି ରେକର୍ଡ ଅଫ ରାଇଟ୍ସର ଚୂଡ଼ାନ୍ତ ପ୍ରକାଶନ ପରେ ତାହା ବିରୋଧରେ ପ୍ରତିବାଦୀ ଆଶ୍ବସ୍ତି ପାଇଁ ବହୁତ ବିଳମ୍ବ କରିଛନ୍ତି। ରିଟ୍‌ ପିଟିସନ ଦାଖଲ କରିବା ସମୟରେ ସିଭିଲ ସୁଟ୍‌କୁ ପ୍ରତ୍ୟାହାର କରିନିଆଯାଇଥିବା ତଥ୍ୟକୁ ଲୁଚାଇଛନ୍ତି ତଥା ସରକାରଙ୍କ ପକ୍ଷରୁ ସେମାନଙ୍କୁ ଜମି ଆବଣ୍ଟନ କରିବାର କୌଣସି ଆଦେଶ ନଥିବାରୁ ‌ପ୍ରତିବାଦୀ ଆଶ୍ବସ୍ତିର ହକ୍‌ଦାର ନୁହନ୍ତି ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି।