ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଦିଲ୍ଲୀର ମଦନପୁର ଖଦର ଅଞ୍ଚଳରେ ୨.୧୦ ହେକ୍ଟରରୁ ଅଧିକ ଜମିରେ ଥିବା ବେଆଇନ ରୋହିଙ୍ଗ୍ୟା ଶିବିରକୁ ଧ୍ବଂସ କରି ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏହି ଜମି ଗୁଡ଼ିକ ଉତ୍ତରପ୍ରଦେଶ ଜଳସେଚନ ବିଭାଗର ଏବଂ ଏହି ଜମିକୁ ରୋହିଙ୍ଗ୍ୟାମାନେ ଜବରଦଖଲ କରିନେଇଥିଲେ। ତେବେ ଆଜି ଭୋର୍ ୪ଟା ସମୟରେ ଉତ୍ତରପ୍ରଦେଶ ଜଳସେଚନ ବିଭାଗର ଏକ ଟିମ୍ ଏହି ଶିବିର ନିକଟରେ ପହଞ୍ଚିଥିଲେ ଏବଂ ବୁଲ୍ଡୋଜରା ଦ୍ବାରା ସମସ୍ତ ରୋହିଙ୍ଗ୍ୟା ଶିବିର ଧ୍ବଂସ କରିଦେଇଥିଲେ। ସେମାନେ ଜବରଦଖଲ ହୋଇଥିବା ୧୫୦ କୋଟି ଟଙ୍କାର ସମ୍ପତ୍ତିକୁ ମୁକ୍ତ କରିଦେଇଛନ୍ତି।
ଚଳିତବର୍ଷ ମାର୍ଚ୍ଚରେ ମଧ୍ୟ ଉତ୍ତରପ୍ରଦେଶ ସରକାର ଦିଲ୍ଲୀର ସରିତା ବିହାରରେ ଏହିଭଳି ଏକ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବେଆଇନ ଶିବିର ଭାଙ୍ଗି ଯୋଗୀ ସରକାର ୬ ଏକର ଜମି ମୁକୁଳାଇଥିଲେ। ଉତ୍ତରପ୍ରଦେଶ ଜଳ ଶକ୍ତି ମନ୍ତ୍ରୀ ମହେନ୍ଦ୍ର ସିଂହ କହିଛନ୍ତି, ଉକ୍ତ ପ୍ରସଙ୍ଗରେ ଦିଲ୍ଲୀ ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କୁ ଚିଠି ଲେଖାଯାଇଥିଲା। ଉପରାଜ୍ୟପାଳ ଏହି ଘଟଣାରେ ପୂର୍ଣ୍ଣ ସମର୍ଥନ ଦେଇଥିଲେ ଏବଂ ଦିଲ୍ଲୀ ପୁଲିସ ସହାୟତରେ ୟୁପି ଜଳସେଚନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ସେ କହିଛନ୍ତି। ଦିଲ୍ଲୀରେ ବେଆଇନ ଭାବେ ଜବରଦଖଲ ହୋଇଥିବା ଉତ୍ତରପ୍ରଦେଶ ସରକାରଙ୍କ ଅନ୍ୟ ସମସ୍ତ ଜମି ବି ଖୁବ୍ଶୀଘ୍ର ମୁକ୍ତ ହେବ ବୋଲି ସେ କହିଛନ୍ତି। ଯୋଗୀ ସରକାର କ୍ଷମତାକୁ ଆସିବା ପରଠାରୁ ଜମି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।