ବ୍ୟାଙ୍କକ: ଥାଇଲାଣ୍ଡରେ ଜଣେ ପାରା ଆଥଲେଟ୍ ତାଙ୍କ ବାହାଘର ଦିନ କନ୍ୟା ସମେତ ନିଜର ବୋଉ ଓ ଭଉଣୀଙ୍କୁ ହତ୍ୟା କରିଛି। ଏଥିସହିତ ବାହାଘର ଉତ୍ସବରେ ସାମିଲ ହୋଇଥିବା ଅନ୍ୟ ଜଣେ ଅତିଥିଙ୍କର ମଧ୍ୟ ତାଙ୍କ ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ଅନ୍ୟମାନଙ୍କୁ ଗୁଳି ମାଡ଼ କରିବା ପରେ ବର ନିଜେ ଆତ୍ମହତ୍ୟା କରିଛନ୍ତି। ହତ୍ୟା କରିଥିବା ବ୍ୟକ୍ତିଜଣକ ଜଣେ ପୂର୍ବତନ ସେନା କର୍ମଚାରୀ ମଧ୍ୟ। ଗୁଳିକାଣ୍ଡ ଅବସ୍ଥାରେ ସେ ନିଶାସକ୍ତ ଥିବା କୁହାଯାଉଛି। ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ। ବାହାଘର ଦିନ ୪ ଜଣଙ୍କୁ ଗୁଳିକରି ହତ୍ୟା କରିଥିବା ଏହି ଯୁବକଙ୍କ ନାମ ଚତୁରୋଙ୍ଗ ସୁକସୁକ ଓ ତାଙ୍କର ବୟସ ୨୯। ସେ ବିବାହ କରୁଥିବା କନ୍ୟାଙ୍କ ନାମ କଞ୍ଚନା ପଚୁନଥୁଏକ୍ ଓ ତାଙ୍କ ବୟସ ୪୪ ବର୍ଷ। ଥାଇଲାଣ୍ଡର ଉତ୍ତର ପୂର୍ବର ଏକ ସ୍ଥାନରେ ତାଙ୍କର ବାହାଘର ହେଉଥିଲା। ତେବେ ଚତୁରୋଙ୍ଗ ତୁରନ୍ତ ବାହାଘର ପାର୍ଟି ଛାଡ଼ି କେଉଁଆଡ଼େ ପଳାଇଥିଲେ।
କିଛି ସମୟ ପରେ ସେ ବନ୍ଧୁକ ଥରି ଫେରିଥିଲେ। ଏହାପରେ ସେ ତାଙ୍କର ୬୨ ବର୍ଷୀୟ ମା’ ଓ ୩୮ ବର୍ଷୀୟା ଭଉଣୀ ଏବଂ ପତ୍ନୀଙ୍କୁ ହତ୍ୟା କରିଥିଲେ। ତାଙ୍କ ବନ୍ଧୁକରୁ ବାହାରିଥିବା ଗୁଳି ଦୁଇଜଣ ଅତିଥିଙ୍କ ଦେହରେ ବାଜିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଖାନାରେ ଆଖି ବୁଜିଛନ୍ତି। ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ବିବାହର ଖୁସି ପରିବେଶରେ ବରର ଗୁଳିମାଡ଼ରେ ୫ ଜଣଙ୍କ ଜୀବନ ଚାଲିଯିବା ଦ୍ବାରା ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ବ୍ୟକ୍ତିଜଣକ ଗତବର୍ଷ ବନ୍ଧୁକ ଓ ଗୁଳି ଗତବର୍ଷ ଆଇନଗତ ଭାବେ କିଣିଥିଲା। ବିବାହ ସ୍ଥଳରେ ବର ଓ କନ୍ୟା ମଧ୍ୟରେ ପାଟିତୁଣ୍ଡ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। କିନ୍ତୁ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।