ପାକିସ୍ତାନରେ ୧୨ ବିଦେଶୀ ଆତଙ୍କବାଦୀ ସଂଗଠନ: ୫ ସଂଗଠନ ଭାରତ ବିରୋଧରେ ସର୍ବାଧିକ ସକ୍ରିୟ

ୱାଶିଂଟନ: ପାକିସ୍ତାନରେ ୧୨ଟି ବିଦେଶୀ ଆତଙ୍କବାଦୀ ସଂଗଠନ ରହୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଲଶ୍କର-ଇ-ତୋଇବା ଓ ଜୈଶ୍-ଇ-ମହମ୍ମଦ ପରି ୫ଟି ସଂଗଠନ ଭରତ ବିରୋଧରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ବୋଲି ଆମେରିକା କଂଗ୍ରେସର ଦ୍ବିଦଳୀୟ ଗବେଷଣା ଶାଖା ରିପୋର୍ଟ ପ୍ରକାଶ କରିଛି।
ଆମେରିକୀୟ କର୍ମକର୍ତ୍ତାମାନେ ପାକିସ୍ତାନକୁ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ବୋଲି ଚିହ୍ନଟ କରିଛନ୍ତି। ଅନେକ ବୈଦେଶିକ ଆତଙ୍କବାଦୀ ଗୋଷ୍ଠୀ ଏଠାରେ ରହି ନିଜର କାର୍ଯ୍ୟକଳାପ ଚଳାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ୧୯୮୦ ଦଶକରୁ ସକ୍ରିୟ ଅଛନ୍ତି ବୋଲି ସ୍ବାଧୀନ କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ୍ (ସିଆର୍‌ଏସ୍‌) ରିପୋର୍ଟ କରିଛି।

ରିପୋର୍ଟରେ କୁହାଯାଇଛି ଯେ, ଉକ୍ତ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇପାରେ: ବିଶ୍ବ-କେନ୍ଦ୍ରିକ, ଆଫଗାନିସ୍ତାନ-କେନ୍ଦ୍ରିକ, ଭାରତ ଓ କାଶ୍ମୀର-କେନ୍ଦ୍ରିକ, ଆଭ୍ୟନ୍ତରୀଣ-କେନ୍ଦ୍ରିକ ଓ ସାମ୍ପ୍ରଦାୟିକ (ସିଆ-ବିରୋଧୀ)। ୧୯୮୦ ଦଶକର ଦ୍ବିତୀୟାର୍ଦ୍ଧରେ ପାକିସ୍ତାନରେ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ସୃଷ୍ଟି। ୨୦୦୧ରେ ଏହାକୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫ୍‌ଟିଓ) ଭାବେ ପରିଚିତ କରାଗଲା। ଏହି ସଂଗଠନ ଭାରତରେ ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ ଦାୟୀ। ତା’ଛଡ଼ା ବିଭିନ୍ନ ସମୟରେ ଏହା ଅନେକ ବଡ଼ ଧରଣର ଆକ୍ରମଣ କରିଛି। କାଶ୍ମୀରୀ ଉଗ୍ରବାଦୀ ନେତା ମାସୁଦ ଆଝାରଙ୍କ ଦ୍ବାରା ୨୦୦୦ ମସିହାରେ ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌)ଗଠିତ ହୋଇଛି। ଏହାକୁ ୨୦୦୧ରେ ଏକ ଏଫ୍‌ଟିଓ ଭାବେ ପରିଚିତ କରାଯାଇଛି।

ଏଲ୍‌ଇଟି ସହ ମିଶି ଏହା ୨୦୦୧ରେ ଭାରତୀୟ ପାର୍ଲାମେଣ୍ଟ ଉପରେ ଆକ୍ରମଣ କରିଥିଲା। ତା’ଛଡ଼ା ଅନେକ ଆକ୍ରମଣରେ ଏହାର ହାତ ଅଛି। ହରକତ-ଉଲ୍ ଜିହାଦ ଇସଲାମୀ (ଏଚ୍‌ୟୁଜେଆଇ) ୧୯୮୦ରେ ଆଫଗାନିସ୍ତାନରେ ସୋଭିଏତ ସେନା ବିରୋଧରେ ଲଢ଼ିବା ପାଇଁ ଗଠିତ ହୋଇଥିଲା। ୨୦୧୦ରେ ଏହାକୁ ଏଫ୍‌ଟିଓ ଭାବେ ଆଖ୍ୟାତ କରାଗଲା। ୧୯୮୯ ପରେ ଏହା ତା’ର କାର୍ଯ୍ୟକ୍ରମକୁ ଭାରତମୁହାଁ କରିଦେଲା, ଯଦିଚ ଏହା ଆଫଗାନ ତାଲିବାନମାନଙ୍କୁ ଯୋଦ୍ଧା ଯୋଗାଉଥିଲା। ଏହି ସଂଗଠନ ବର୍ତ୍ତମାନ ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ଭାରତରେ ତା’ର କାର୍ଯ୍ୟକଳାପ ଚଳାଇଛି। ସେ ଚାହୁଁଛି କାଶ୍ମୀର ସମ୍ପୂର୍ଣ୍ଣରୂପେ ପାକିସ୍ତାନରେ ମିଶିଯାଉ। ଏଚ୍‌ୟୁଏମ୍‌କୁ ୧୯୯୭ ମସିହାରେ ଏଫ୍‌ଟିଓ ଭାବେ ଅଭିହିତ କରାଯାଇଛି। ଏହା ମୁଖ୍ୟତଃ ପାକ୍‌-ଅଧିକୃତ କାଶ୍ମୀର ଓ ପାକିସ୍ତାନର କେତେକ ସହରରେ ରହି କାର୍ଯ୍ୟ କରୁଛି।

ଶେଷରେ ହିଜବୁଲ ମୁଜାହିଦ୍ଦିନ (ଏଚ୍‌ଏମ୍) ୧୯୮୯ରେ ଗଠିତ ହୋଇଥିଲା। ଏହା ପାକିସ୍ତାନର ବୃହତ୍ ଇସଲାମିଷ୍ଟ ରାଜନୈତିକ ଦଳର ସଶସ୍ତ୍ର ଉଗ୍ରବାଦୀ ଶାଖା ରୂପେ ଗଠିତ ହୋଇଥିଲା ଏବଂ ୨୦୧୭ରେ ଏହାକୁ ଏଫ୍‌ଟିଓ ଭାବେ ନାମିତ କରାଯାଇଛି। ଏହା ଜମ୍ମୁ-କାଶ୍ମୀରରେ ଦୀର୍ଘଦିନରୁ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇ ଆସୁଛି। ପାକିସ୍ତାନରେ ରହୁଥିବା ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ଅଛି ଅଲ୍‌ କାଏଦା ବୋଲି ସିଆର୍‌ଏସ୍‌ କହିଛି।

ସମ୍ବନ୍ଧିତ ଖବର