ନୂଆଦିଲ୍ଲୀ: ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨୧୬ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫ରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ରହିଛି। ତେଲେଙ୍ଗାନାରେ ଆଜି ସୁଦ୍ଧା ୨୦ ମାମଲା ଚିହ୍ନଟ ହୋଇଥବା ବେଳେ କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮, କେରଳରେ ୧୫ ଏବଂ ଗୁଜରାଟରେ ୧୪ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଏହା ଜଣାପଡ଼ିଛି। ଦିଲ୍ଲୀରେ ଆଜି ୨୪ଟି ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀ ଏଲଏନଜେପି ହସ୍ପିଟାଲରେ ୩୪ ନୂଆ ଓମିକ୍ରନ୍ ରୋଗୀ ଭର୍ତ୍ତି ହୋଇଛନ୍ତି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି।
ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ୫,୩୨୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୪୫୩ ଜଣଙ୍କ ମୃତ୍ୟୁ ହୋଇଛି। ୫୮୧ ଦିନରେ ଦୈନିକ ସଂକ୍ରମଣ ସବୁଠାରୁ କମ୍ ରହିଛି। ଅନ୍ୟପକ୍ଷେ ଦେଶରେ ସକ୍ରିୟ ମାମଲା ୭୯,୦୯୭ ରହିଛି। ଏହା ୫୭୪ ଦିନରେ ସବୁଠୁ କମ୍। ୪୫୩ ମୃତ୍ୟୁ ସହ ଦେଶରେ ମୋଟ୍ କୋଭିଡ୍ ମୃତ୍ୟୁସଂଖ୍ୟା ୪.୭୮ ଲକ୍ଷକୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୪୭, ୫୨,୧୬୪କୁ ବୃଦ୍ଧି ପାଇଛି। ଲଗାତାର ୫୪ ଦିନ ଧରି ଦେଶରେ ସଂକ୍ରମଣ ୧୫ ହଜାର ତଳେ ରହିଛି। ଦେଶରେ ଆରୋଗ୍ୟ ହାର ୯୮.୪୦ ପ୍ରତିଶତ ରହିଛି। ଓମିକ୍ରନ୍ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆଜି ସତର୍କ କରାଇ ଦେଇଛନ୍ତି।
ମହାରାଷ୍ଟ୍ରରେ ୮୧ ପ୍ରତିଶତ ଓମିକ୍ରନ୍ ରୋଗୀ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି
ମୁମ୍ବାଇ : ମହାରାଷ୍ଟ୍ରରେ ଦେଶର ସର୍ବାଧିକ ଓମିକ୍ରନ୍ ଆକ୍ରାନ୍ତ ରହିଛନ୍ତି। ମହାରାଷ୍ଟ୍ରରେ ମୋଟ୍ ୫୪ ଜଣ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୧ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ ଟିକା ନେଇ ସାରିଛନ୍ତି। ଏହାକୁ ବ୍ରେକ୍ଥ୍ରୁ ମାମଲା କୁହାଯାଉଛି। ଓମିକ୍ରନରେ ଆକ୍ରାନ୍ତ ହୋଇଥିବା କିଛି ଲୋକ ବି ଫାଇଜର୍ ଟିକା ନେଇଛନ୍ତି। ଟିକା ଓମିକ୍ରନ୍ ବିରୋଧରେ କାମ ଦେଉନି। ଏହା ରୋଗକୁ ବେଶୀ ଗୁରୁତର ନକଲେ ବି ସଂକ୍ରମଣରୁ ସୁରକ୍ଷା ଦେଉନାହିଁ। ରାଜ୍ୟରେ ମୋଟ୍ ୫୪ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୪୪ ଜଣ ୨ଟି ଯାକ ଡୋଜ୍ ନେଇଛନ୍ତି। ଟିକା ନେଇନଥିବା ୧୦ ଜଣଙ୍କ ମଧ୍ୟରେ ୨ ଜଣ ବୟସ୍କ ଏବଂ ୮ ଜଣ ଶିଶୁ ଏବଂ କିଶୋର ରହିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତ ଗତ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ। ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ଶାହିଦ ଜମିଲ କହିଛନ୍ତି, ଟିକା ନେଇଥିବା ବ୍ୟକ୍ତି ଓମିକ୍ରନ୍ରେ ଆକ୍ରାନ୍ତ ହେବା ଅତି ସାଧାରଣ। ଓମିକ୍ରନ୍ ୫୦ରୁ ଅଧିକ ଥର ରୂପାନ୍ତରଣ ହେଉଛି। ତେଣୁ ଏହା ଦ୍ରୁତ ଗତିରେ ବ୍ୟାପୁଛି।
ଆମେରିକାରେ ଓମିକ୍ରନ୍ର ସୁଅ: ୭୩ ପ୍ରତିଶତ ନୂଆ ମାମଲା ଓମିକ୍ରନ୍ କଟକଣା ବଢ଼ିଲା
ୱାସିଂଟନ୍: କରୋନାର ଓମିକ୍ରନ୍ ପ୍ରଜାତି ଏବେ ଆମେରିକାରେ ହଠାତ୍ ପ୍ରଭାବଶାଳୀ ପ୍ରଜାତି ହୋଇଉଠିବାରୁ କଟକଣା ବଢ଼ିଛି। ଆମେରିକାର ନୂଆ ମାମଲାର ୭୩ ପ୍ରତିଶତ ଓମିକ୍ରନ୍ ରହିଥିବା ସ୍ପଷ୍ଟ ହେବାପରେ ଅଧିକ ସତର୍କତା ପଦକ୍ଷେପ ନିଆଯାଇଛି।ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ ଆମେରିକାରେ କେବଳ ଗୋଟିଏ ସପ୍ତାହରେ ଓମିକ୍ରନ୍ ସଂକ୍ରମଣରେ ୬ ଗୁଣା ବୃଦ୍ଧି ହୋଇଛି। ନ୍ୟୁୟର୍କରେ ୯୦ ପ୍ରତିଶତ ନୂଆ ସଂକ୍ରମଣ ପାଇଁ ଓମିକ୍ରନ୍ ଦାୟୀ। ଆମେରିକାରେ ଗତ ସପ୍ତାହରେ ୬୫୦,୦୦୦ ସଂକ୍ରମଣ ଚିହ୍ନଟ ହୋଇଛି। ଆମେରିକାରେ ଗତକାଲି ପ୍ରଥମ ଓମିକ୍ରନ୍ ମୃତ୍ୟୁ ହୋଇଛି। ଟେକ୍ସାସରେ ଜଣେ ବ୍ୟକ୍ତି ଓମିକ୍ରନ୍ରେ ପ୍ରାଣ ହରାଇଥିବା କୁହାଯାଇଛି। ତେବେ ସେ ଟିକା ନେଇନଥିବା କୁହାଯାଇଛି। ପୂର୍ବରୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କରୋନା ସଂକ୍ରମିତ ହୋଇଥିଲେ।