ବିଶ୍ବରେ ଦିନକରେ ୨ ଲକ୍ଷ ୨୮ ହଜାର ଆକ୍ରାନ୍ତ: ନେତୃତ୍ବର ଅଭାବ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କଲା ‘ହୁ’

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଶୁକ୍ରବାର ଦିନ ବିଶ୍ବରେ ରେକର୍ଡ ୨ ଲକ୍ଷ ୨୮ ହଜାର ୧୦୨ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ଆମେରିକା, ବ୍ରାଜିଲ୍‌, ଭାରତ ଏବଂ ଦକ୍ଷିଣ ଆଫ୍ରିକା‌ରୁ ସଂକ୍ରମଣ ମାମଲା ଅଧିକ ରହିଛି। ପୂର୍ବରୁ ଜୁଲାଇ ୪ ତାରିଖରେ ବିଶ୍ବରେ ୨ ଲକ୍ଷ ୧୨ ହଜାର ୩୨୬ ନୂଆ ସଂକ୍ରମଣ ମାମଲା ରେକର୍ଡ କରାଯାଇଥିଲା। ବିଶ୍ବରେ ଦୈନିକ ମୃତ୍ୟୁସଂଖ୍ୟା ପ୍ରାୟ ୫ ହଜାର ରହୁଛି। ତେବେ ୱାର୍ଲ୍ଡ ମିଟର ତଥ୍ୟ ଅନୁଯାୟୀ ଆଜି ପୁଣି ବିଶ୍ବରେ ୨ ଲକ୍ଷ ୩୬ ହଜାର ୯୧୮ ନୂଆ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣ ବଢ଼ିବା ଏବେ ଖୁବ୍‌ ଚିନ୍ତାଜନକ ହୋଇଛି। କିନ୍ତୁ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ କହିଛନ୍ତି କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିହେବ। ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ସଂକ୍ରମଣ ମାମଲା ୩୩ ଲକ୍ଷ ଟପିଥିବା ବେଳେ ୧ ଲକ୍ଷ ୩୬ ହଜା‌ରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ଗତକାଲି ପୁଣି ୬୩ ହଜାର ୯୦୦ ନୂଆ ମାମଲା ଚିହ୍ନଟ ‌ହୋଇଛି।

ଅନ୍ୟପକ୍ଷେ ବ୍ରାଜିଲ୍‌ରେ ସଂକ୍ରମଣ ୧୮ ଲକ୍ଷ ଟପିଛି ଏବଂ ମୃତ୍ୟୁସଂଖ୍ୟା ୭୦ ହଜାର ଟପିଯାଇଛି। ବ୍ରାଜିଲ୍‌ ପଛକୁ ରହିଛି ଭାରତ। ତେବେ ଭାରତ ପଛକୁ ରୁଷ୍‌ରେ ସଂକ୍ରମଣ ମାମଲା ୭ ଲକ୍ଷ ୨୦ ହଜାର ଟପିଛି। ଗୋଟିଏ ପଟେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଅନ୍ୟପକ୍ଷେ କରୋନା ବିରୋଧରେ ଲଢ଼େଇ ପାଇଁ ନେତୃତ୍ବର ଅଭାବ ଥିବାରୁ ଏନେଇ ଗଭୀର ଅସ‌ନ୍ତୋଷ ପ୍ରକାଶ କରିଛନ୍ତି ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ। ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ରଗୁଡ଼ିକରେ ସଂକ୍ରମଣ ବଢ଼ି ଚାଲିଥିବାରୁ ଡବ୍ଲ୍ୟୁଏଚ୍ଓ ପକ୍ଷରୁ ବିଶ୍ବ ଏକତା ପାଇଁ ଅନୁରୋଧ କରାଯାଇଛି। ଟେଡ୍ରସ୍‌ ଆଦନମ୍‌ କହିଛନ୍ତି, ବିଶ୍ବ ନେତୃବୃନ୍ଦ ଏ ଦିଗରେ ଗମ୍ଭୀରତାର ସହ ଚିନ୍ତା କରିବା ଆବଶ୍ୟକ। ଏବେ ଆମ ପାଇଁ ସବୁଠାରୁ ବଡ଼ ବିପଦ ଭାଇରସ୍‌ ନୁହେଁ ବରଂ ନେତୃତ୍ବର ଅଭାବ। ଉଭୟ ବୈଶ୍ବିକ ଏବଂ ଜାତୀୟ ସ୍ତରରେ ସହଯୋଗର ଅଭାବ ରହିଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଇଙ୍ଗିତ କରି ଟେଡ୍ରସ୍‌ ଏଭଳି କହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର