ଦେଶରେ ୪୩,୭୩୩ ନୂଆ ମାମଲା: କେରଳରେ ସଂକ୍ରମଣ କମୁନି, ଲ‌େକ୍ଷ ଉପରେ ସକ୍ରିୟ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୪୩,୭୩୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମଙ୍ଗଳବାର ସଂକ୍ରମଣ ତୁଳନାରେ ଆଜି ସଂକ୍ରମଣ ଅଧିକ ରହିଛି। ୯୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୩,୦୬,୬୩,୬୬୫ ପହଞ୍ଚିଥିବା‌ବେଳେ ମୃତ୍ୟୁସଂଖ୍ୟା ୪,୦୪,୨୧୧କୁ ବୃଦ୍ଧି ପାଇଛି। ଆଜି ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୪୭,୨୪୦ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ମାମଲା ୪,୫୯,୯୨୦ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ମାତ୍ର ୧.୫ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଆରୋଗ୍ୟ ହାର ୯୭.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ଲଗାତାର ୫୫ ଦିନ ଧରି ଦୈନିକ ଆରୋଗ୍ୟ ସଂଖ୍ୟା ଦୈନିକ ସଂକ୍ରମଣ ମାମଲାଠାରୁ ଅଧିକ ରହୁଛି। ଦେଶରେ ଏଯାବତ ମୋଟ୍‌ ୨,୯୭,୯୯,୫୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ତେବେ ଗୋଟିଏ ପ‌ଟେ ଦେଶରେ ସଂକ୍ରମଣ ମାମଲା କମୁଥିଲେ ସୁଦ୍ଧା କେରଳ ସଂକ୍ରମଣ ବଢ଼ିବାରେ ଲାଗିଛି। ମଙ୍ଗଳବାର କେରଳରେ ୧୪,୩୭୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ଲଗାତାର ଭାବେ ସଂକ୍ରମଣ ବଢ଼ି ଚାଲିଛି। ଅନ୍ୟପକ୍ଷେ କେରଳରେ ସକ୍ରିୟ ମାମଲା ମଧ୍ୟ ୧ ଲକ୍ଷରୁ ଅଧିକ ରହିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ଲଗାତାର ୧୬ ଦିନ ଧରି ୩ ପ୍ରତିଶତ ତଳେ ରହିଛି। ଦୈନିକ ପଜିଟିଭ୍‌ ହାର ଏବେ ୨.୨୯ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ପଜିଟିଭ୍‌ ହାର ୨.୩୯ ପ୍ରତିଶତ ରହିଛି। ଦେଶରେ ଏଯାବତ୍‌ ୪୨.୩୩ କୋଟି ଟେଷ୍ଟିଂ ହୋଇଛି। ଜୁଲାଇ ୬ ସୁଦ୍ଧା ଦେଶରେ ୪୨,୩୩,୩୨,୦୯୭ ନମୁନା ପରୀକ୍ଷା ହୋଇଛି ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର