୫ କୋଟି ଅକ୍ସଫୋର୍ଡ କରୋନା ଟିକା ମହଜୁଦ ଅଛି: ସିରମ୍ ସିଇଓ

୪ ରାଜ୍ୟରେ କୋଭିଡ୍‌ ଟିକାର ଡ୍ରାଏ ରନ୍‌ ଆରମ୍ଭ

ନୂଆଦିଲ୍ଲୀ: ଦେଶରେ ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା କରୋନା ଟିକା ଉତ୍ପାଦନ କରୁଥିବା ସିରିମ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବର୍ତ୍ତମାନ ସୁଦ୍ଧା ୪ରୁ ୫ କୋଟି ଟିକା ଡୋଜ୍ ମହଜୁଦ କରି ରଖିଛି। କମ୍ପାନିର ସିଇଓ ଆଦର ପୁନାୱାଲା ଆଜି ଏହା କହିଛନ୍ତି। ଏଥିସହିତ କମ୍ପାନି ଆସନ୍ତାବର୍ଷ ଜୁଲାଇ ସୁଦ୍ଧା ପାଖାପାଖି ୩୦ କୋଟି ଟିକା ଉତ୍ପାଦନ କରିପାରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ ଟିକାର ଜରୁରୀ ବ୍ୟବହାର ପାଇଁ କମ୍ପାନି ଗତ ସପ୍ତାହରେ ଅନୁମତି ମାଗିଛି। ଆସନ୍ତା କିଛିଦିନ ମଧ୍ୟରେ କମ୍ପାନିକୁ ଏହି ଅନୁମତି ମିଳିଯିବ ବୋଲି ଆଶା କରାଯାଉଛି। ତେବେ ସରକାର କେତେଶୀଘ୍ର ଏବଂ କିଭଳି ଏହି ଟିକା ନେଇ ବ୍ୟବହାର କରିବେ ତାହା ସରକାରଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।

ନୂଆଦିଲ୍ଲୀ/ହାଇଦ୍ରାବାଦ୍‌: କରୋନା ଟିକାକରଣ କାର୍ଯ୍ୟକ୍ରମ ପାଇଁ ଆଜିଠାରୁ ୪ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ପଂଜାବ, ଗୁଜରାଟ ଏବଂ ଆସାମରେ କୋଭିଡ୍‌ ଟିକାର ଡ୍ରାଏରନ୍‌ ଆରମ୍ଭ ହୋଇଯାଇଛି। ଟିକାକରଣ ପରେ କୌଣସି ସମ୍ଭାବ୍ୟ ପ୍ରତିକୂଳ ଘଟଣାର ପରିଚାଳନା ଉପରେ ମୁଖ୍ୟ ଫୋକସ୍‌ ରହିଛି। ଶୀତଳ ଭଣ୍ଡାର ଏବଂ ପରିବହନ ବ୍ୟବସ୍ଥା ମଧ୍ୟ ଏହି କାର୍ଯ୍ୟକ୍ରମର ଅନ୍ତର୍ଗତ। ତେବେ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସମସ୍ତ ତଥ୍ୟ ରାଜ୍ୟମାନେ କେନ୍ଦ୍ର ସରକାରକୁ ଅବଗତ କରିବେ। ସରକାର ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୩୦ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏଯାବତ୍‌ ଟିକାକରଣ କାର୍ଯ୍ୟ ପାଇଁ ମୋଟ୍‌ ୨,୩୬୦ ତାଲିମ ଶିବିର ହୋଇସାରିଛି ଏବଂ ୭ ହଜାର ସ୍ବାସ୍ଥ୍ୟ ଅଧିକାରୀ ତାଲିମ ନେଇ ସାରିଛନ୍ତି। ୨ ଦିନିଆ ଏହି ଡ୍ରାଏ ରନ୍ କାର୍ଯ୍ୟକ୍ରମ ଆସନ୍ତାକାଲି ଶେଷ ହେବ। ୪ ରାଜ୍ୟରେ ୫ଟି ଅଧିବେଶନ ହେବ। ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ କୋଭିଡ୍‌ ଟିକାର ଡ୍ରାଏ ରନ୍‌ କାର୍ଯ୍ୟକ୍ରମ ଚାଲିଥିବାବେଳେ ଆସାମର ସୋନିତପୁର ଏବଂ ନଳବରି ଜିଲ୍ଲାରେ ଟିକାର ଡ୍ରାଏ ରନ୍‌ ଆରମ୍ଭ ହୋଇଛି। ଏହା ହେଉଛି ଏକ ଡମି ଟିକାକରଣ କାର୍ଯ୍ୟକ୍ରମ।

ସମ୍ବନ୍ଧିତ ଖବର