ନୂଆଦିଲ୍ଲୀ, ୧୨/୧୨ : ଦେଶରେ ଆଜି ପୁଣି ୫ ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଫଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ୩୮କୁ ବୃଦ୍ଧି ପାଇଛି। ଚଣ୍ଡିଗଡ଼, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ କେରଳରେ ଆଜି ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଏବଂ ଚଣ୍ଡିଗଡ଼ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିବାବେଳେ କର୍ଣ୍ଣାଟକରେ ଏହା ତୃତୀୟ ମାମଲା। ଅନ୍ୟପକ୍ଷେ ମହାରାଷ୍ଟ୍ରର ନାଗପୁରରେ ପ୍ରଥମ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ୪୦ ବର୍ଷୀୟ ଯୁବକ ନାଗପୁରରେ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଗତ ୬ ତାରିଖରେ ବିମାନବନ୍ଦରରେ କରୋନା ଟେଷ୍ଟ୍ କରିବା ସମୟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କ ନମୁନାର ଜିନୋମ ସିକ୍ବେନ୍ସିଂ କରାଯାଇଥିଲା। ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହା ମହାରାଷ୍ଟ୍ରର ୧୮ ତମ ମାମଲା। ଅନ୍ୟପକ୍ଷେ ଇଟାଲିରୁ ଚଣ୍ଡିଗଡ଼କୁ ଫେରିଥିବା ଜଣେ ୨୦ ବର୍ଷୀୟ ଯୁବକ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନଭେମ୍ବର ୨୨ରେ ସେ ଭାରତ ପହଞ୍ଚିଥିଲେ। ଡିସେମ୍ବର ୧ରେ ତାଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଥିଲା। ତେବେ ତାଙ୍କ ନମୁନାର ଜିନୋମ ସିକ୍ବେନ୍ସିଂ ପରେ ସେ ଓମିକ୍ରନ୍ ପଜିଟିଭ୍ ଥିବା ଜଣାପଡ଼ିଛି। ସମ୍ପୃକ୍ତ ବ୍ୟକ୍ତିଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। ସେ ସମ୍ପୂ୍ର୍ଣ୍ଣ ଟିକା ନେଇଛନ୍ତି। ସେହିପରି ଆୟର୍ଲାଣ୍ଡରୁ ଫେରିଥିବା ଜଣେ ବ୍ୟକ୍ତି ଆନ୍ଧ୍ରପ୍ରଦେଶରେ ସଂକ୍ରମିତ ହୋଇଛନ୍ତି। ସେ ଏବେ ବିଶାଖାପାଟନମରେ ରହୁଛନ୍ତି। ଦକ୍ଷିଣ ଆଫ୍ରିକାରୁ କର୍ଣ୍ଣାଟକକୁ ଫେରିଥିବା ଜଣେ ୩୪ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। କେରଳରେ ଆଜି ଓମିକ୍ରନରେ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ବ୍ରିଟେନରୁ କୋଚିକୁ ଗତ ୬ ତାରିଖରେ ଫେରିଥିଲେ। ୮ ତାରିଖରେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଆଜି ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଆଜି ଜଣାପଡ଼ିଛି।
ଏଯାବତ ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୁଜରାଟ, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼ ଓ କେଳରରେ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ୍ ମାମଲା ରହିଛି। ମହାରାଷ୍ଟ୍ରରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇସାରିଛନ୍ତି। ସେମାନେ ହସ୍ପିଟାଲ୍ରୁ ଡିସଚାର୍ଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ରୋଗୀଙ୍କଠାରେ କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବଂ ଅନ୍ୟ କିଛି ରୋଗୀଙ୍କଠାରେ କିଛି ଲକ୍ଷଣ ନଥିଲା। ଓମିକ୍ରନ୍ ୫୯ ରାଷ୍ଟ୍ରକୁ ବ୍ୟାପିଲାଣି। ବ୍ରିଟେନ୍, ଡେନମାର୍କ ଏବଂ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ଓମିକ୍ରନ୍ ମାମଲା ରହିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp