ଭାରତରେ ୫ଟି ଟେବୁଲ୍‌ଟପ୍‌ ରନ୍‌ୱେ, ୧୦ ବର୍ଷରେ ୨ଟି ବଡ଼ ବିମାନ ଦୁର୍ଘଟଣା

ନୂଆଦିଲ୍ଲୀ: କୋଝିକୋଡ୍ ବିମାନ ବନ୍ଦରର ଟେବୁଲ୍‌ଟପ୍‌ ରନ୍‌ୱେରେ ଗତକାଲି ବଡ଼ ବିମାନ ଦୁର୍ଘଟଣା ହୋଇ ୨୦ ଜଣଙ୍କ ଜୀବନ ଯାଇଛି ଏବଂ ଶତାଧିକ ଆହତ ହୋଇଛନ୍ତି। ଭାରତରେ ୫ଟି ଟେବୁଲ୍‌ଟପ୍‌ ରନ୍‌ୱେ ରହିଛି। ଏଗୁଡ଼ିକ କର୍ଣ୍ଣାଟକର ମାଙ୍ଗାଲୋର୍‌, କେରଳର କୋଝିକୋଡ଼, ମିଜୋରାମ୍‌ର ଲେଙ୍ଗ୍‌ପୁଇ, ହିମାଚଳର ଶିମ୍‌ଲା ଏବଂ କୁଲ୍ଲୁ, ସିକ୍କିମ୍‌ରେ ପକ୍‌ୟୋଙ୍ଗ୍‌ରେ ରହିଛି। ୨୦୧୦ ମସିହାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବୋଇଂ ୭୩୭ ବିମାନ ମାଙ୍ଗାଲୋର୍‌ରେ ରନ୍‌ୱେରୁ ଖସି ଯାଇ ଖାଇରେ ପଡ଼ି ଯାଇଥିଲା ଏବଂ ଏହା ଜଳି ଯାଇଥିଲା। ବିମାନରେ ଥିବା ୧୫୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ କେରଳରେ ବର୍ଷା ପାଇଲଟ୍‌ଙ୍କ ପାଇଁ ଅଧିକ ଚ୍ୟାଲେଂଜ ସୃଷ୍ଟି କରିଥିଲା।

ଟେବୁଲ୍‌ଟପ୍‌ ରନ୍‌ୱେ କ’ଣ?
ଟେବୁଲ୍‌ଟପ୍‌ ରନ୍‌ୱେ ହେଉଛି ଏକ ବିମାନବନ୍ଦର ଯାହା ପାହାଡିଆ ଅଞ୍ଚଳର ଶୀର୍ଷ ଭାଗରେ ଥା‌ଏ। ରନ୍‌ୱେର ଶେ‌ଷ ଭାଗରେ ଏକ ବଡ଼ ଖାଇ ଥାଏ। ଏହିସବୁ ବିମାନ ବନ୍ଦରଗୁଡ଼ିକରେ ଲ୍ୟାଣ୍ଡିଂ ପାଇଁ ସ୍ବତନ୍ତ୍ର ଦକ୍ଷତା ଆବଶ୍ୟକ। କାରଣ ଏଠାରେ ଖୁବ୍‌ କମ୍‌ ଜାଗା ଥାଏ। ସେଥିପାଇଁ ଟେବୁଲ୍‌ଟପ୍‌ ରନ୍‌ୱେରେ ଅବତରଣ ଅଧିକ ବିପଜ୍ଜନକ ହୋଇଥାଏ। ଅବତରଣ ସମୟରେ ମଧ୍ୟ କୌଣସି ତ୍ରୁଟି ହେଲେ ବଡ଼ ବିପଦ ସୃଷ୍ଟି ହୋଇପାରେ। ଅନେକ ସମୟରେ ଏହି ରନ୍‌ୱେଗୁଡ଼ିକରେ ପାଇଲଟ୍‌ଙ୍କ ପାଇଁ ଏକ ଭ୍ରମ ସୃଷ୍ଟି ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ହିମାଚଳ ପ୍ରଦେଶର ଜୁବ୍ବାରହାଟ୍ଟିରେ ଥିବା ବିମାନବନ୍ଦର ୨,୧୯୬ ମିଟର ଉଚ୍ଚତାରେ ଅବସ୍ଥିତ। ଦେଶରେ ଏହା ସବୁଠାରୁ ବିପଦପୂର୍ଣ୍ଣ ଟେବୁଲ୍‌ଟପ୍‌ ବିମାନବନ୍ଦର।

ସମ୍ବନ୍ଧିତ ଖବର