କୋଭିଡ-୧୯ର ମୁକାବିଲା ପାଇଁ ପଦକ୍ଷେପ ନିଆଯାଇ ନ ଥିଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପି ଯାଇଥାନ୍ତା : ଲବ ଅଗ୍ରୱାଲ

ଦେଶରେ ବର୍ତ୍ତମାନ ୫୮୬ଟି କୋଭିଡ -୧୯ ଡାକ୍ତରଖାନା ଏବଂ ୧ ଲକ୍ଷରୁ ଅଧିକ ଆଇସୋଲସନ ବେଡ ରହିଛି

ନୂଆଦିଲ୍ଲୀ: କୋଭିଡ-୧୯ ଭଳି ମହାମାରୀ ସହ ଲଢ଼ିବା ପାଇଁ ଲକଡାଉନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ | ଯଦି ଆମେ କୋଭିଡ-୧୯ ଭଳି ମହାମାରୀକୁ ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥାନ୍ତେ, ତେବେ ଏହି ସମୟରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ଟପି ଯାଇଥାନ୍ତା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି | ଏହା ସହ ଦେଶରେ ବର୍ତ୍ତମାନ ୫୮୬ଟି କୋଭିଡ -୧୯ ଉତ୍ସର୍ଗୀକୃତ ଡାକ୍ତରଖାନା ଏବଂ ୧ ଲକ୍ଷରୁ ଅଧିକ ଆଇସୋଲସନ ବେଡର ବ୍ୟବସ୍ଥା କରାଯାଇଥିବା ନେଇ ଜଣାଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ |

ତାଙ୍କ କହିବା ମୁତାବକ, କରୋନା ମୁକାବିଲା ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ | ଲୋକଙ୍କ ସହାୟତା ମିଳିଲେ ଆମେ ସଂକ୍ରମଣକୁ ଆହୁରି କମାଇ ପାରିବୁ | ସରକାର ଲକଡାଉନ୍ ଭଳି ପଦକ୍ଷେପ ଠିକ ସମୟରେ ନେବାରୁ ଆଜି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି | ନଚେତ ଏବେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ ରହିଥାନ୍ତା | ତେବେ ପରିସ୍ଥିତିକୁ ଦେଖି ୫୮୬ଟି କୋଭିଡ -୧୯ ଉତ୍ସର୍ଗୀକୃତ ଡାକ୍ତରଖାନା ଏବଂ ୧ ଲକ୍ଷରୁ ଅଧିକ ଆଇସୋଲସନ ବେଡର ବ୍ୟବସ୍ଥା ହୋଇଛି, ଯାହା କୋଭିଡ-୧୯ର ମୁକାବିଲାରେ ସାହାଯ୍ୟ କରିବ |

କରୋନା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ତାଜା ତଥ୍ୟ :
– ଏପର୍ଯ୍ୟନ୍ତ ଦେଶରେ ୧ ଲକ୍ଷ ୭୮ ହଜାର ନମୁନା ପରୀକ୍ଷା କରାଯାଉଛି।
– ସାରା ଦେଶରେ ୫୮୬ କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଛି ।
– ପ୍ରାୟ ୧ ଲକ୍ଷ ଆଇସୋଲେସନ୍ ବେଡ୍ ଏହି ହସ୍ପିଟାଲଗୁଡିକରେ ରହିଛି ।
– ସବୁ ରାଜ୍ୟ ସହ ମିଶି କେନ୍ଦ୍ର ସରକାର ଏସବୁ ପ୍ରସ୍ତୁତ କରୁଛନ୍ତି ।
– ଦେଶରେ ଏପର୍ଯ୍ୟନ୍ତ ୬୫୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି ।
– କରୋନା ଭୂତାଣୁ ୨୪୨ ଜଣଙ୍କ ନେଇଛି ଜୀବନ ।
– ଗତ ୨୪ ଘଣ୍ଟାରେ ୪୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।
– ଦେଶରେ ଏପର୍ଯ୍ୟନ୍ତ କରୋନାରେ ୭,୫୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର