ପୂର୍ବ ଲଦାଖ୍‌ରେ ୬୦ ହଜାର ଚୀନ୍‌ ସୈନ୍ୟ ମୁତୟନ ଅଛନ୍ତି: ଆମେରିକା

ଵାସିଂଟନ: ଭାରତର ପୂର୍ବ ଲଦାଖ୍‌ ଅଂଚଳରେ ଚୀନ୍‌ ପ୍ରାୟ ୬୦ ହଜାରରୁ ଅଧିକ ସୈନ୍ୟଙ୍କୁ ମୁତୟନ କରି ରଖିଛି ବୋଲି ଆମେରିକାର ବିଦେଶ ସଚିବ ମାଇକ୍‌ ପମ୍ପେଓ କହିଛନ୍ତି। ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକାକୁ ନେଇ ଗଠିତ ଚତୁର୍ଶକ୍ତି(କ୍ବାଡ୍‌) ପ୍ରତି ଚୀନ୍‌ର ଦୁର୍ବ୍ୟବହାର ଏବଂ ବିପଦ ସୃଷ୍ଟିକାରୀ ମନୋଭାବ ବର୍ଣ୍ଣନା କରିବା ଅବସରରେ ପମ୍ପେଓ ଏହି ତଥ୍ୟ ରଖିଛନ୍ତି। ମହାମାରୀ କୋଭିଡ୍‌ର ଆବିର୍ଭାବ ପରଠାରୁ ପ୍ରଥମ ଥର ଲାଗି ଏହି ଚାରି ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ବ୍ୟକ୍ତିଗତ ଭାବେ ମଙ୍ଗଳବାର ଟୋକିଓ ଠାରେ ଉପସ୍ଥିତ ରହି ସଂଗଠନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଭାରତ-ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ଓ ଦକ୍ଷିଣ ଚୀନ୍‌ ସାଗର ସମେତ ଭାରତର ପୂର୍ବ ଲଦାଖ ନିକଟ ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ୍‌ ସେନାର ଆକ୍ରମଣାତ୍ମକ ଆଭିମୁଖ୍ୟ ପରିପ୍ରେକ୍ଷୀରେ ଏହି କ୍ବାଡ୍‌ ବୈଠକ ଗୁରୁତ୍ବ ବହନ କରୁଛି।

ଚୀନ୍‌ର ବିସ୍ତାରବାଦୀ ନୀତିକୁ ବିରୋଧ କରି ଭାରତ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଏହି ପ୍ରସଙ୍ଗରେ ଭାରତ ସହିତ ଦୃଢ଼ ଭାବେ ରହିଛନ୍ତି। ଚୀନ୍‌ ଶାନ୍ତି ଆଲୋଚନାର ବିରୋଧରେ ଯାଇ ଦିନକୁ ଦିନ ଉତ୍ତେଜନା ବଢ଼ାଉଥିବାରୁ ଏବେ ବିସ୍ଫୋରକ ସ୍ଥିତି ଉପୁଜିଛି। ଉତ୍ତେଜନା ହ୍ରାସ ଦିଗରେ ଚୀନ୍‌ର ଆଭିମୁଖ୍ୟ ସକରାତ୍ମକ ନଥିବାରୁ ଭାରତ ଯେ କୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ଆମେରିକା ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ ବ୍ରାୟନ କହିଛନ୍ତି। ଅନ୍ୟପକ୍ଷରେ ପମ୍ପେଓ ଟୋକିଓଠାରେ ମଙ୍ଗଳବାର ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ସାକ୍ଷାତ କରି ତାହା ଫଳପ୍ରଦ ହୋଇଥିବା କହିଛନ୍ତି। ଭାରତ-ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ସମେତ ସାରା ବିଶ୍ବରେ ଶାନ୍ତି, ସମୃଦ୍ଧି ଓ ସୁରକ୍ଷା ବଜାୟ ରଖିବା ପାଇଁ ମିଳିମିଶି କାମ କରିବାକୁ ଉଭୟ ନେତା ହୃଦୟଙ୍ଗମ କରିଥିବା ପମ୍ପେଓ କହିଛନ୍ତି। ଦଶନ୍ଧି ଦଶନ୍ଧି ଧରି ପାଶ୍ଚାତ୍ୟ ରାଷ୍ଟ୍ରମାନେ ଚୀନ୍‌ର କମୁନିଷ୍ଟ ପାର୍ଟିକୁ ଆଗକୁ ମାଡ଼ିଯିବା ପାଇଁ ଅନୁମତି ଦେଇଥିଲେ। ଏଣିକି ସଂଘବଦ୍ଧ ହୋଇ ଆମ ଚାରି ରାଷ୍ଟ୍ର ଚୀନ୍‌କୁ ବିରୋଧ କରିବାର ସମୟ ଆସିଛି ବୋଲି ପମ୍ପେଓ କହିଛନ୍ତି।

ସମ୍ବନ୍ଧିତ ଖବର