ମନ୍ତ୍ରିମଣ୍ଡଳରେ ୭ ନୂଆ ମହିଳା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୭ ଜଣ ମହିଳା ସାଂସଦ ସାମିଲ ହୋଇଛନ୍ତି। ଉକ୍ତ ୭ ନୂଆ ମନ୍ତ୍ରୀ ‌ହେଉଛନ୍ତି।
ଅନୁପ୍ରିୟା ସିଂହ ପଟେଲ (୪୦)
ଉତ୍ତରପ୍ରଦେଶର ମିର୍ଜାପୁର ଲୋକସଭା ସାଂସଦ ଅନୁପ୍ରିୟା ସିଂହ। କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ସମ୍ପାଦନ କରିଛନ୍ତି। ଦ୍ବିତୀୟ ଥର ସେ ସାଂସଦ ଭାବେକାର୍ଯ୍ୟ ସମ୍ପାଦନ କରୁଛନ୍ତି। ଉତ୍ତରପ୍ରଦେଶର ସେ ମଧ୍ୟ ପୂର୍ବତନ ବିଧାୟିକା। ଛତ୍ରପତି ଶାହୁଜୀ ମହାରାଜ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ବିଶ୍ବବିଦ୍ୟାଳୟରେ ପ୍ରଫେସର ଥିଲେ।
ସୁଶ୍ରୀ ଶୋଭା କରନ୍ଦଲାଜେ (୫୪)
କର୍ଣ୍ଣାଟକ ଚିକମାଗାଲୁର୍‌ର ସେ ଉଡ଼ୁପି ଲୋକସଭା ସାଂସଦ। ଏହି ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ ଦ୍ବିତୀୟ ଥର ପାଇଁ ସାଂସଦ ହୋଇଛନ୍ତି। ସେ ମଧ୍ୟ ଥରେ ବିଧାୟକ ଏବଂ ଥରେ ଏମ୍‌ଏଲ୍‌ସି ଥିଲେ। କର୍ଣ୍ଣାଟକ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ଶକ୍ତି, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ ପରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ସେ ରହିଛନ୍ତି। ଦୀର୍ଘ ୩ ଦଶନ୍ଧି ଧରି ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି।
ଦର୍ଶନ ବିକ୍ରମ ଜରଦୋଶ (୬୦)
ସୁରଟ ଲୋକସଭା‌ ସାଂସଦ ଦର୍ଶନ ବିକ୍ରମ ଜରଦୋଶ ତୃତୀୟ ଥର ପାଇଁ ସାଂସଦ ଭାବେ କାର୍ଯ୍ୟକାଳରେ ରହିଛନ୍ତି। ସେ ମଧ୍ୟ ସୁରଟ ପୌର ନିଗମ ଏବଂ ଗୁଜରାଟ ସମାଜ ବିକାଶ ବୋର୍ଡର ଜଣେ ସଦସ୍ୟ। ଦୀର୍ଘ ୪ ଦଶନ୍ଧି ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି। ଏକ ସାଂସ୍କୃତିକ ଅନୁଷ୍ଠାନର ସେ ନିର୍ଦ୍ଦେଶିକା। କେପି କମର୍ସ‌୍ କଲେଜ୍‌ରୁ ବିକମ୍‌ କରିଛନ୍ତି।
ମିନାକ୍ଷୀ ଲେଖି (୫୧)
ଦିଲ୍ଲୀର ପ୍ରମୁଖ ବିଜେପି ନେତ୍ରୀ ମିନାକ୍ଷୀ ଲେଖି ସାଂସଦ ଭାବେ ଦ୍ବିତୀୟ ଥର କାର୍ଯ୍ୟକାଳରେ ରହିଛନ୍ତି। ସେ ମଧ୍ୟ ଏନ୍‌ଡିଏମ୍‌ସି (ନୂଆଦିଲ୍ଲୀ ପୌର ନିଗମ)ର ଜଣେ ସଦସ୍ୟ। ‌ସେ ସୁପ୍ରିମକୋର୍ଟର ଆଇନଜୀବୀ।
ଅନ୍ନପୂର୍ଣ୍ଣ ଦେବୀ (୫୧)
ଝାଡ଼ଖଣ୍ଡ କୋଡ଼ର୍ମା ସାଂସଦ ପ୍ରଥମ ଥର ପାଇଁ ସାଂସଦ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଝାଡ଼ଖଣ୍ଡ ଏବଂ ବିହାରରେ ସେ ୪ ଥର ବିଧାୟକ ହୋଇଛନ୍ତି। ଝାଡ଼ଖଣ୍ଡ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ଜଳସେଚନ, ମହିଳା ଏବଂ ଶିଶୁ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବରେ ସେ ରହିଥିଲେ। ୩୦ ବର୍ଷ ବୟସରେ ସେ ବିହାର ସରକାରରେ ମନ୍ତ୍ରୀ ହୋଇଥିଲେ। ରାଞ୍ଚି ବିଶ୍ବବିଦ୍ୟାଳୟ‌ରୁ ସେ ଇତିହାସରେ ଏମ୍‌ଏ କରିଛନ୍ତି।
ସୁଶ୍ରୀ ପ୍ରତିମା ଭୌମିକ (୫୨)
ତ୍ରିପୁରା ପଶ୍ଚିମର ଲୋକସଭା ସାଂସଦ ଭୌମିକ ପ୍ରଥମ ଥର ସାଂସଦ ହୋଇଛନ୍ତି। ସେ ଗରିବ ପରିବାରରୁ ଆସିଛନ୍ତି ଏବଂ କୃଷିକାର୍ଯ୍ୟ କରୁଥିଲେ। ତ୍ରିପୁରା ବିଶ୍ବବିଦ୍ୟାଳୟରେ ସେ ବାୟୋ ସାଇନ୍ସରେ ଗ୍ରାଜୁଏଟ୍ ଡିଗ୍ରି ହାସଲ କରିଛନ୍ତି।
ଭାରତୀ ପ୍ରବୀଣ ପାୱାର (୪୨)
ମହାରାଷ୍ଟ୍ରର ଦିନ୍ଦୋରି ଲୋକସଭା ସାଂସଦ ଭାରତୀ ପ୍ରବୀଣ ପାୱାର ପ୍ରଥମ ଥର ସାଂସଦ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ନାଶିକ ଜିଲା ପରିଷଦ ସଦସ୍ୟ ଥିଲେ। କୁପୋଷଣ ହଟାଇବା ଦିଗରେ ଏବଂ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିଛନ୍ତି। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ଡାକ୍ତର ଥିଲେ। ଏନ୍‌ଡିଏମ୍‌ଭିପିଏସ୍‌ ମେଡିକାଲ୍‌ରୁ ସେ ସର୍ଜରିରେ ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର