ନୂଆଦିଲ୍ଲୀ: କନସର୍ନ ୱାର୍ଲ୍ଡ ୱାଇଡ୍ ଏବଂ ୱେଲ୍ଟ ହଙ୍ଗର ହିଲ୍ଫ ପ୍ରକାଶନୀ ସଂସ୍ଥା ପକ୍ଷରୁ ୧୪ ଅକ୍ଟୋବର, ୨୦୨୧ରେ ପ୍ରକାଶିତ ବିଶ୍ୱ କ୍ଷୁଧା ରିପୋର୍ଟ ୨୦୨୧ ଉପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନ ବିବୃତି ଜାରି କରାଯାଇଛି । “ପୁଷ୍ଟିହୀନ ଜନସଂଖ୍ୟାଙ୍କ ଭାଗ ଉପରେ ଏଫଏଓର ଆକଳନକୁ ଆଧାର କରି ବିଶ୍ୱ କ୍ଷୁଧା ରିପୋର୍ଟ ୨୦୨୧ରେ ଭାରତର ମାନ୍ୟତା ନିମ୍ନକୁ ହ୍ରାସ କରାଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଏହି ରିପୋର୍ଟର ବାସ୍ତବତା ଏବଂ ତଥ୍ୟ ସନ୍ଦିହାନ ଏବଂ ଏହାର ସର୍ବେକ୍ଷଣରେ ଗମ୍ଭୀର ପଦ୍ଧତିଗତ (ମେଥଡୋଲୋଜିକାଲ୍) ତ୍ରୁଟି ରହିଛି । ବିଶ୍ୱ କ୍ଷୁଧା ରିପୋର୍ଟ ପ୍ରକାଶ କରିଥିବା କନସର୍ନ ୱାର୍ଲ୍ଡ ୱାଇଡ୍ ଏବଂ ୱେଲ୍ଟ ହଙ୍ଗର ହିଲ୍ଫେ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ଉପଯୁକ୍ତ ତଥ୍ୟ ପ୍ରତି ଧ୍ୟାନ ଦେଇନାହାନ୍ତି ।
ଏଫଏଓ ପକ୍ଷରୁ ଉପଯୋଗ କରାଯାଇଥିବା ପଦ୍ଧତି ଅବୈଜ୍ଞାନିକ । ‘ଚାରିଟି ପ୍ରଶ୍ନ’ ଆଧାରିତ ମତ ସଂଗ୍ରହର ଫଳାଫଳକୁ ଆଧାର କରି ସେମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ଗ୍ୟାଲଅପ୍ ଦ୍ୱାରା ଟେଲିଫୋନ ମାଧ୍ୟମରେ ସଂଗ୍ରହ କରାଯାଇଛି । ପୁଷ୍ଟିହୀନ ଜନସଂଖ୍ୟାର ବୈଜ୍ଞାନିକ ହିସାବ ନିମନ୍ତେ ଲୋକମାନଙ୍କର ଓଜନ ଏବଂ ଉଚ୍ଚତା ମାପିବାକୁ ହୋଇଥାଏ । ମାତ୍ର ଏହି ରିପୋର୍ଟରେ ଗ୍ୟାଲଅପ୍ ପକ୍ଷରୁ ସମ୍ପୂର୍ଣ୍ଣ ଟେଲିଫୋନ ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆକଳନର ପଦ୍ଧତି ଭାବେ ଗ୍ରହଣ କରାଯାଇଛି । କୋଭିଡ ସମୟରେ ଭାରତ ସରକାର ସମ୍ପୂର୍ଣ୍ଣ ଜନସଂଖ୍ୟାର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବ୍ୟାପକ ଅଭିଯାନ କରିଥିଲେ । ଏହାର ଯାଞ୍ଚଯୋଗ୍ୟ ତଥ୍ୟ ଉପଲବ୍ଧ ରହିଛି । ମାତ୍ର ରିପୋର୍ଟରେ ସରକାରଙ୍କ ଏହି ପ୍ରୟାସକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ସରକାରଙ୍କ ପକ୍ଷରୁ କିମ୍ବା ଅନ୍ୟ କୌଣସି ସୂତ୍ରରୁ କୌଣସି ପ୍ରକାରର ଖାଦ୍ୟ ସହାୟତା ଯୋଗାଇ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ ଏହି ମତ ସଂଗ୍ରହରେ ଗୋଟିଏ ହେଲେ ପ୍ରଶ୍ନ ନାହିଁ । ଏହି ମତ ସଂଗ୍ରହରେ ଭାରତ ଏବଂ ଅନ୍ୟ ଦେଶ ପାଇଁ ପ୍ରତିନିଧିତ୍ୱକୁ ନେଇ ସନ୍ଦେହ ରହିଛି ।
ଏଫଏଓ ରିପୋର୍ଟରେ ‘ବିଶ୍ୱରେ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନର ସ୍ଥିତି ୨୦୨୧’ରେ ଆହୁରି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି କୋଭିଡ-୧୯ ମହାମାରୀ ଜନିତ ଚାକିରି ହରାଇବା, ବ୍ୟବସାୟିକ କ୍ଷତି ଏବଂ ଆୟ ହ୍ରାସର କୌଣସି ପ୍ରଭାବ ଏହି କ୍ଷେତ୍ରର ଅନ୍ୟ ଚାରିଟି ଦେଶ ଆଫଗାନିସ୍ତାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଉପରେ ପଡ଼ିନାହିଁ । ବରଂ ଏହି ଦେଶଗୁଡ଼ିକର ‘ପୁଷ୍ଟିହୀନ ଜନସଂଖ୍ୟା ଭାଗ’ରେ ୨୦୧୭-୧୯ ତୁଳନାରେ ୨୦୧୮-୨୦ରେ ଯଥାକ୍ରମେ ୪.୩%, ୩.୩%, ୧.୩% ଏବଂ ୦.୮ ପ୍ରତିଶତ ସୁଧାର ଆସିଛି । ଏହି ତଥ୍ୟକୁ ନେଇ ସନ୍ଦେହ ଓ ପ୍ରଶ୍ନବାଚୀ ରହିଛି ।
‘ବିଶ୍ୱରେ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନର ସ୍ଥିତି ୨୦୨୧’ ଉପରେ ଏଫଏଓ ରିପୋର୍ଟରେ ସର୍ବସାଧାରଣ ମଞ୍ଚରେ ଦିଆଯାଇଥିବା ନିମ୍ନଲିଖିତ ତଥ୍ୟକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି:
କୋଭିଡ-୧୯ ଜନିତ ଆର୍ଥିକ କ୍ଷତିକୁ ଭରଣା କରିବା ଲାଗି, ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଏବଂ ଆତ୍ମ ନିର୍ଭର ଭାରତ ଯୋଜନା (ଏଏନବିଏସ) ଭଳି ଦେଶବ୍ୟାପୀ ଅତିରିକ୍ତ ଯୋଜନା କାର୍ଯ୍ୟକାରୀ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଭାରତ ସରକାର ଜଣେ ବ୍ୟକ୍ତି ପିଛା ମାସିକ ୫ କିଗ୍ରା ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଇଛନ୍ତି । ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ପାଖାପାଖି ୮୦ କୋଟି ହିତାଧିକାରୀ ଏହି ଯୋଜନାରେ ଲାଭାନ୍ୱିତ ହେଉଛନ୍ତି। ଖାଦ୍ୟ ସୁରକ୍ଷା ଆଇନ (ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ପରିବାର) ଅଧୀନରେ ଆସୁଥିବା ଲୋକମାନେ ଏହାର ସୁଫଳ ପାଇପାରୁଛନ୍ତି । ୨୦୨୦ ଏପ୍ରିଲରୁ ନଭେମ୍ବର ଏବଂ ୨୦୨୧ ମେ’ରୁ ନଭେମ୍ବର ମଧ୍ୟରେ ସେମାନେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାର ଲାଭ ପାଇପାରିଛନ୍ତି ।
୨୦୨୦ରେ ୩.୨୨ କୋଟି ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଛି । ୨୦୨୧ରେ ପାଖାପାଖି ୩.୨୮ କୋଟି ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଆବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କୁ ଏହି ଖାଦ୍ୟଶସ୍ୟ ସହାୟତା ପ୍ରଦାନ କରାଯାଇଛି। ଖାଦ୍ୟଶସ୍ୟ ବ୍ୟତୀତ, ୨୦୨୦ ଏପ୍ରିଲରୁ ନଭେମ୍ବର ମାସ ମଧ୍ୟରେ ପ୍ରତ୍ୟେକ ପରିବାରକୁ ମାସିକ ୧ କିଗ୍ରା ଲେଖାଏଁ ଡାଲି ଯୋଗାଇ ଦିଆଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ତଥା ୧୯.୪ କୋଟି ପରିବାରକୁ ସମ୍ପୂର୍ଣ୍ଣ ମାଗଣାରେ ଏହି ଡାଲି ଦିଆଯାଇଛି ।
ଏଏନବିଏସ ଯୋଜନା ଅଧୀନରେ, ସମସ୍ତ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶକୁ ପାଖାପାଖି ୮ ଲକ୍ଷ ମେଟ୍ରିକ୍ ଟନ୍ ଅତିରିକ୍ତ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି । ଏନଏଫଏସଏ କିମ୍ବା ରାଜ୍ୟ ସାଧାରଣ ବଣ୍ଟନ କାର୍ଡ ଯୋଜନାରେ ସାମିଲ ନଥିବା ପ୍ରବାସୀ/ଅଟକି ରହିଥିବା ପ୍ରବାସୀମାନଙ୍କୁ ଏହି ଖାଦ୍ୟ ଶସ୍ୟ ପାଇଛନ୍ତି । ୨୦୨୦ ମେ ଏବଂ ଜୁନ୍ ଦୁଇ ମାସ ପାଇଁ ମାସିକ ୫ କିଗ୍ରା ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଇଛି । ଖାଦ୍ୟଶସ୍ୟ ବ୍ୟତୀତ, ଏହି ଅବଧି ମଧ୍ୟରେ ଏଏନବିଏସ ଯୋଜନା ଅନ୍ତର୍ଗତ ୨୭ ହଜାର ମେଟ୍ରିକ୍ ଟନ୍ ଚଣା ହିତାଧିକାରୀମାନଙ୍କୁ ମାଗଣରେ ବିତରଣ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ସାଧାରଣତଃ ବଣ୍ଟନ କରାଯାଉଥିବା ଖାଦ୍ୟସାମଗ୍ରୀ ଅତିରିକ୍ତ ପିଏମଜିକେଏୱାଇ ଏବଂ ଏନବିଏସ ଯୋଜନାରେ ଖାଦ୍ୟଶସ୍ୟ, ଡାଲି, ଚଣା ଆବଣ୍ଟନ କରାଯାଇଛି ।
ପିଏମଜିକେଏୱାଇ ଏବଂ ଏଏନବିଏସ ବ୍ୟତୀତ, ଭାରତ ସରକାରଙ୍କ ପକ୍ଷରୁ ଖୋଲା ବଜାର ବିକ୍ରି ଯୋଜନା (ଘରୋଇ) ମାଧ୍ୟମରେ ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ କରାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ରାସନକାର୍ଡ ପାଇଥିବା, କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନଥିବା ସମସ୍ତ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ଖାଦ୍ୟସାମଗ୍ରୀ ଯୋଗାଇ ଦିଆଯାଇଛି । ସେମାନେ ୨୦୨୦ ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ତିନି ମାସ ପାଇଁ କିଲୋ ପ୍ରତି ୨୧ ଟଙ୍କାରେ ଗହମ ଏବଂ କିଲୋପ୍ରତି ୨୨ ଟଙ୍କାରେ ଚାଉଳ ପାଇଛନ୍ତି । ଖାଦ୍ୟଶସ୍ୟ ଆବଣ୍ଟନରେ କୌଣସି ସର୍ବାଧିକ ସୀମା ନିର୍ଦ୍ଧାରଣ କରାଯାଇନାହିଁ । ଏହି ଯୋଜନାକୁ ମେ ୨୦୨୧ ଠାରୁ ଅଧିକ ଅବଧି ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ମାସିକ ୧୫ହଜାର ଟଙ୍କାରୁ କମ ଦରମା ପାଉଥିବା ଏବଂ ୧୦୦ରୁ କମସଂଖ୍ୟକ କର୍ମଚାରୀ ଥିବା ସଂଗଠିତ କ୍ଷେତ୍ରର ସଂସ୍ଥା ଏବଂ ବ୍ୟବସାୟଗୁଡ଼ିକର କ୍ଷତିକୁ ଆଖି ଆଗରେ ରଖି ଏପରି ସଂସ୍ଥାର କର୍ମଚାରୀମାନଙ୍କର ମାସିକ ଦରମାର ୨୪ ପ୍ରତିଶତ ସରକାର ସେମାନଙ୍କର ପିଏଫ ଆକାଉଣ୍ଟରେ ଜମା କରିଛନ୍ତି । ୨୦୨୦ ଏପ୍ରିଲ, ମେ ଏବଂ ଜୁନ୍-ତିନି ମାସ ପାଇଁ କର୍ମଚାରୀମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯାଇଛି । ୧ ଏପ୍ରିଲ ୨୦୨୦ ଠାରୁ ଏମଏନଆରଇଜିଏ ମଜୁରି ୨୦ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ପ୍ରାୟ ୧୩.୬୨ କୋଟି ଶ୍ରମିକ ପରିବାର ବାର୍ଷିକ ବାର୍ଷିକ ଅତିରିକ୍ତ ୨୦୦୦ ଟଙ୍କା ଲାଭ ପାଇବାକୁ ହକଦାର ହୋଇଛନ୍ତି ।
ପିଏମ କିଷାନ ଯୋଜନା ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତି ବାବଦ ୨୦୦୦ ଟଙ୍କା ଏପ୍ରିଲ ୨୦୨୦ରେ ଆଗୁଆ ପ୍ରଦାନ କରାଯାଇଛି, ଯାହାଫଳରେ ୮.୭ କୋଟି ଚାଷୀ ଲାଭବାନ ହୋଇଛନ୍ତି । ଏପ୍ରିଲରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ତିନି ମାସ ପାଇଁ ମହିଳା ଜନ ଧନ ଯୋଜନା ଆକାଉଣ୍ଟଧାରୀମାନଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯାଇଛି । ଏଥିରେ ୨୦.୪ କୋଟି ହିତାଧିକାରୀ ଲାଭବାନ ହୋଇଛନ୍ତି । ୬୩ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ସୁବିଧା ୧୦ରୁ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଏମାନେ ୬.୮୫ କୋଟି ପରିବାର ଲାଭବାନ ହୋଇଛନ୍ତି । କୋଭିଡ-୧୯ ଜନିତ ଆର୍ଥିକ କ୍ଷତି ସହିଥିବା ଦୁର୍ବଳ ଲୋକମାନଙ୍କୁ ସଙ୍କଟ ସମୟରେ ସହାୟତା କରିବା ଲାଗି ତିନି କୋଟି ବୟସ୍କ ବିଧବା ଏବଂ ଦିବ୍ୟାଙ୍ଗ ଲୋକମାନଙ୍କୁ ଏପ୍ରିଲରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ମାସିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି ।
ଏହି ରିପୋର୍ଟ ଅନୁଯାୟୀ, ପ୍ରଥମ ସୂଚକାଙ୍କ ବା ଭାରତରେ ଶିଶୁ ମୃତ୍ୟୁହାର ସ୍ଥିତିରେ ୨୦୨୦ ତୁଳନାରେ ୨୦୨୧ରେ ସୁଧାର ଆସିଥିବା ପରିଲକ୍ଷିତ ହୋଇଛି । ଭାରତରେ ଶିଶୁ ଦୁର୍ବଳତା ଏବଂ ବିକାଶହୀନତା ସ୍ଥିତି ୨୦୨୦ ତୁଳନାରେ ୨୦୨୧ ଅପରିବର୍ତ୍ତିତ ରହିଛି ।