ପାକିସ୍ତାନର ନୂଆ ସରକାର ପାଇଁ ଅନେକ ଆହ୍ବାନ

ଇସଲାମାବାଦ: ବିରୋଧୀ ମେଣ୍ଟକୁ ବାରମ୍ବାର ଚକମା ଦେଇ ଗାଦି ସମ୍ଭାଳି ଆସୁଥିବା ଇମ୍ରାନ୍ ଖାନ୍ ଶେଷରେ ହାରିଯାଇଛନ୍ତି। ଇମ୍ରାନ୍‌ଙ୍କ ଷ୍ଟମ୍ପ-ଆଉଟ୍ ହେବା ଖୁସିରେ ବିରୋଧୀ ମେଣ୍ଟ ଉତ୍ସବ ମନାଉଥିବା ବେଳେ ସେହି ଖୁସି ବେଶି ସମୟ ରହି ନ ପାରେ। ଏବେ କ୍ଷମତାସୀନ ହେବାକୁ ଥିବା ନୂଆ ନେତାଙ୍କ ପାଇଁ ଇମ୍ରାନ୍ ଅନେକ ଆହ୍ବାନ ଛାଡ଼ି ଯାଇଛନ୍ତି। ସୋମବାର ନ୍ୟାସନାଲ ଆସେମ୍ଲି ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରିବ। ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ୍ (ନୱାଜ) ନେତା ଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପୂର୍ବରୁ ଘୋଷଣା କରିଥିଲା ଏବଂ ସେ ହିଁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଯାଇଛି।

ତେବେ ଯିଏ ବି ନୂଆ ପ୍ରଧାନମନ୍ତ୍ରୀ ହୁଅନ୍ତୁ ନା କାହିଁକି ତାଙ୍କୁ ସେହିସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ, ଇମ୍ରାନ୍‌ଙ୍କ ସରକାର ଯାହାର ସମ୍ମୁଖୀନ ହେଉଥିଲା। ସେଗୁଡ଼ିକ ଭିତରେ ଅଛି ଅଣ୍ଟାଭଙ୍ଗା ଋଣଭାର, ବୃଦ୍ଧିଶୀଳ ମୁଦ୍ରାସ୍ଫୀତି, ଉଗ୍ରବାଦ ଏବଂ ବିଦେଶୀ ଶକ୍ତିଗୁଡ଼ିକ ସହ ଅସ୍ଥିର ସମ୍ପର୍କ। ପରବର୍ତ୍ତୀ ସରକାରକୁ ଘରୋଇ ଓ ବିଦେଶୀ ସମ୍ପର୍କକୁ ନେଇ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଐତିହାସିକ ଓ ସାମାଜିକ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଜାଫର ଅହମଦ କହିଛନ୍ତି। ଦେଶରେ ଆର୍ଥିକ କୁପରିଚାଳନାକୁ ଆଳ କରି ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା। ଦେଶ ଉପରେ ବର୍ତ୍ତମାନ ୧୩୦ ବିଲିୟନ (ଶହ କୋଟି) ଡଳାରର ଋଣଭାର ରହିଛି ଯାହା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪୩ ପ୍ରତିଶତ। ସେହିପରି ମୁଦ୍ରାସ୍ଫୀତି ହାର ୧୨ ପ୍ରତିଶତ ଉପରେ ଥିବା ବେଳେ ପାକିସ୍ତାନୀ ଟଙ୍କା ଆମେରିକା ଡଲାର ତୁଳନାରେ ୧୯୦କୁ ଖସିଯାଇଛି। ଅର୍ଥାତ୍ ୧୯୦ ପାକିସ୍ତାନୀ ଟଙ୍କା ଦେଲେ ୧ ଡଲାର ମିଳିବ। ଗତ ତିନିବର୍ଷ ହେଲା ଅଭିବୃଦ୍ଧି ହାର ଗତିହୀନ (ପ୍ରାୟ ଶୂନ) ହୋଇଯାଇଛି।

ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଆତଙ୍କବାଦୀଙ୍କୁ ପୋଷୁଥିବା ପାକିସ୍ତାନ ନିଜେ ଏବେ ସେମାନଙ୍କର ଶିକାର ହେଉଛି। ବିଷଧର ସାପକୁ ଘରେ କ୍ଷୀର ଦେଇ ପୋଷିଲେ ଯାହା ଅବସ୍ଥା ହୁଏ! ଗତ କିଛିମାସ ହେଲା ପାକିସ୍ତାନୀ ତାଲିବାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଏମାନଙ୍କ ଚେର ଲମ୍ବିଛି ଆଫଗାନିସ୍ତାନକୁ। ଇମ୍ରାନ୍ ଖାନ୍ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥି‌ଲେ କିନ୍ତୁ ତାହା ବିଫଳ ହୋଇଥିଲା। ସେମାନଙ୍କ ସହ ହୋଇଥିବା ସନ୍ଧି ମାସେରୁ ଅଧିକ ତିଷ୍ଠି ନ ଥିଲା। ନୂଆ ସରକାର ପାଇଁ ବି ଏମାନେ ସମସ୍ୟା ସୃଷ୍ଟି କରିବେ ଯାହାର କୌଣସି ସହଜ ସମାଧାନ ନାହିଁ। ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ ବେଲୁଚିସ୍ତାନରେ ବିଚ୍ଛିନ୍ନତାବାଦୀମାନେ ସ୍ବତନ୍ତ୍ରତା ଦାବି କରୁଛନ୍ତି। ଉକ୍ତ ଅଞ୍ଚଳ‌ରେ ବ୍ୟାପକ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳୁଛି। ଉଗ୍ରବାଦୀ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ପାକିସ୍ତାନ ପାଇଁ ଏକ ବଡ଼ ଆହ୍ବାନ ବୋଲି କହିଛନ୍ତି ରାଜନୈତିକ ବିଶ୍ଳେଷକ ରଫିଉଲ୍ଲା କହର। ପାକିସ୍ତାନ ସରକାରକୁ ଭାଙ୍ଗିବା ଲାଗି ଆମେରିକା ଷଡ଼୍‌ଯନ୍ତ୍ର କରିଛି ବୋଲି ଦାବି କରି ଇମ୍ରାନ୍ ଖାନ୍ ନୂଆ ସରକାର ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛନ୍ତି। ନୂଆ ସରକାରକୁ ଏବେ ଆମେରିକା ସହ ସମ୍ପର୍କ ସଜାଡ଼ିବାକୁ ହେବ କାରଣ ଆମେରିକା ହିଁ ପାକିସ୍ତାନର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ରାଷ୍ଟ୍ର। ଗତ ଫେବ୍ରୁଆରିରେ ରୁଷିଆ ଯେଉଁଦିନ ୟୁକ୍ରେନ୍ ଆକ୍ରମଣ କଲା ସେଦିନ ଇମ୍ରାନ୍ ଖାନ୍ ମସ୍କୋ ଗସ୍ତ କରି ପାଶ୍ଚାତ୍ୟ ସହ ସମ୍ପର୍କକୁ ବିଗାଡ଼ି ଦେଇଛନ୍ତି। ଚୀନ୍‌ର ମାନବାଧିକାର ରେକର୍ଡ ଖରାପ ଥିବାରୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଚୀନ୍ ଦ୍ବାରା ଆୟୋଜିତ ଶୀତ ଅଲିମ୍ପିକ୍‌କୁ ବର୍ଜନ କରିଥିବା ବେଳେ ପାକିସ୍ତାନ କିନ୍ତୁ ସେଥିରେ ଯୋଗ ଦେଇଥିଲା। ତେଣୁ ଇମ୍ରାନ୍ ଖାନ୍ ବିଦେଶ ସହ ସମ୍ପର୍କକୁ ଯେଭଳିଭାବେ ନଷ୍ଟ କରିଛନ୍ତି ତାକୁ ସଜାଡ଼ିବା ଏବେ ନୂଆ ସରକାର ପାଇଁ ଏକ ବଡ଼ ଆହ୍ବାନ ହେବ ବୋଲି ରାଜନୈତିକ ବିଶ୍ଳେଷକ ତୌସିଫ ଅହମଦ ଖାନ୍ କହିଛନ୍ତି।

ସମ୍ବନ୍ଧିତ ଖବର