ଭାରତର ବିଭିନ୍ନ କୋର୍ଟରେ ୪.୫ କୋଟିରୁ ଊର୍ଦ୍ଧ୍ବ ମାମଲା ପଡ଼ିରହିଛି

ନୂଆଦିଲ୍ଲୀ: ସାରା ଭାରତରେ ବିଭିନ୍ନ କୋର୍ଟରେ ୪.୫ କୋଟିରୁ ଊର୍ଦ୍ଧ୍ବ ମାମଲା ବିଚାର ଅପେକ୍ଷାରେ ପଡ଼ିରହିଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ପିଆର୍‌ଏସ୍ ଲେଜିସ୍‌ଲେଟିଭ୍ ରିସର୍ଚ୍ଚ ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ଅନୁସାରେ, ୨୦୧୦ରୁ ୨୦୨୦ ଭିତରେ ପଡ଼ିରହିଥିବା ମାମଲାଗୁଡ଼ିକର ସଂଖ୍ୟା ବାର୍ଷିକ ୨.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି ଏବଂ ୨୦୨୧ ସେପ୍ଟେମ୍ବର ୧୫ ସୁଦ୍ଧା ଏହା ୪.୫ କୋଟିରୁ ଉପରେ ପହଞ୍ଚିଛି। ଯଦି ଆଉ କୌଣସି ନୂଆ ମାମଲା କୋର୍ଟକୁ ନ ଯାଏ ଏବଂ ବର୍ତ୍ତମାନ ହାରରେ ଯଦି ବିଚାର ପ୍ରକ୍ରିୟା ଚାଲେ ତେବେ ସୁପ୍ରିମ୍‌କୋର୍ଟରେ ପଡ଼ିରହିଥିବା ମାମଲାଗୁଡ଼ିକ ସରିବା ପାଇଁ ୧.୩ ବର୍ଷ ଏବଂ ହାଇକୋର୍ଟ ଓ ଅଧସ୍ତନ କୋର୍ଟଗୁଡ଼ିକରେ ପଡ଼ି ରହିଥିବା ମାମଲାଗୁଡ଼ିକ ସରିବା ପାଇଁ ୩ ବର୍ଷ ଲେଖାଁ ସମୟ ଲାଗିବ।

ତଥ୍ୟ ଅନୁସାରେ, ହାଇକୋର୍ଟ ଓ ଅଧସ୍ତନ କୋର୍ଟଗୁଡ଼ିକରେ ଗତ ୧୦ ବର୍ଷ ହେଲା ପ୍ରାୟ ୪୫ ଲକ୍ଷ କେସ୍ ପଡ଼ିରହିଛି। ହାଇକୋର୍ଟଗୁଡ଼ିକରେ ପ୍ରାୟ ୨୧ ପ୍ରତିଶତ ଏବଂ ଅଧସ୍ତନ କୋର୍ଟଗୁଡ଼ିକରେ ୮ ପ୍ରତିଶତ କେସ୍ ୧୦ ବର୍ଷ ହେଲା ପଡ଼ିରହିଛି। ଖାଲି ଥିବା ବିଚାରପତି ସଂଖ୍ୟା ବଢ଼ୁଛି ଏବଂ ତଦନୁଯାୟୀ ପଡ଼ି ରହିଥିବା ମାମଲା ସଂଖ୍ୟା ମଧ୍ୟ ବଢ଼ୁଛି। ତ୍ବରିତ ବିଚାର ପାଇଁ ଯେଉଁ ଫାଷ୍ଟ ଟ୍ରାକ୍ କୋର୍ଟଗୁଡ଼ିକ ପ୍ରତିଷ୍ଠା କରାଯାଇଥିଲା, ସେଗୁଡ଼ିକରେ ଖାଲି ଥିବା ବିଚାରପତି ସଂଖ୍ୟା ଓ ପଡ଼ିରହିଥିବା ମାମଲା ସଂଖ୍ୟା ବି ବଢ଼ୁଛି। ୨୦୨୧ ମେ ଶେଷ ସୁଦ୍ଧା ୯୫୬ଟି ଫାଷ୍ଟ ଟ୍ରାକ୍ କୋର୍ଟରେ ୯.୨ ଲକ୍ଷରୁ ଅଧିକ ମାମଲା ପଡ଼ିରହିଛି। ଏହାର ସମାଧାନ ପାଇଁ ବିଭିନ୍ନ କୋର୍ଟରେ ଖାଲି ଥିବା ବିଚାରପତି ସଂଖ୍ୟା ଯଥାଶୀଘ୍ର ପୂରଣ କରାଯିବା ଉଚିତ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର