ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି ଏବଂ ଗୁରୁତର ରୋଗୀଙ୍କ ପାଇଁ ବି ରାଜ୍ୟରେ ଶଯ୍ୟା ଅଭାବ ଦେଖାଦେଇଛି। ନାସିକ୍ରେ ଜଣେ ୩୮ ବର୍ଷୀୟ କରୋନା ରୋଗୀ ଚିକିତ୍ସା ପାଇଁ ୩ଟି ହସ୍ପିଟାଲ୍ ଯାଇଥିଲେ ମଧ୍ୟ କେଉଁଠି ବି ତାଙ୍କୁ ବେଡ୍ ମିଳିନଥିଲା। ଶେଷରେ ସେ ନିରାଶ ହୋଇ ଫେରିଥିଲେ ଏବଂ ବେଡ୍ ପାଇବା ପାଇଁ ଅକ୍ସିଜେନ୍ ମାସ୍କ ପିନ୍ଧି ଧାରଣାରେ ବସିଥିଲେ। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି। ବାବାସାହେବ କୋଲେ ନାମକ ଉକ୍ତ ୩୮ ବର୍ଷୀୟ ରୋଗୀ ନାସିକ୍ ପୌର ନିଗମ ମୁଖ୍ୟାଳୟ ବାହାରେ ଗତକାଲି ଅକ୍ସିଜେନ୍ ମାସ୍କ ପିନ୍ଧି ଧାରଣାରେ ବସିଥିଲେ।
ସନ୍ଧ୍ୟାରେ ତାଙ୍କୁ ମ୍ୟୁନିସପାଲ୍ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଯାଇଛି। କୋଲେଙ୍କ ପରିବାର ସଦସ୍ୟଙ୍କ ଦାବି ଅନୁଯାୟୀ ୩ ଦିନ ତଳେ କୋଲେ ବିଟ୍କୋ ହସ୍ପିଟାଲ୍ ଚିକିତ୍ସା ପାଇଁ ଯାଇଥିଲେ। ସେଠାରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ସେଠାରୁ ସେ ଅନ୍ୟ ଏକ ହସ୍ପିଟାଲ୍ ଯିବା ସହ ସରକାରୀ ମେଡିକାଲ୍ କଲେଜ୍ ମଧ୍ୟ ଯାଇଥିଲେ। କିନ୍ତୁ କେଉଁଠି ବି ତାଙ୍କୁ ଭର୍ତ୍ତି ହେବାପାଇଁ ସୁଯୋଗ ମିଳିନଥିଲା।